ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା: କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସାହୁ, ଘୁଞ୍ଚିଲା ଶୁଣାଣି

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆଜି ହେବାକୁ ଥିବା ଶୁଣାଣି ଘୁଞ୍ଚିଥିବା ଜଣାଯାଇଛି। ପ୍ରତିପକ୍ଷ ଓକିଲ ଆବଶ୍ୟକୀୟ କାଗଜପତ୍ର ପାଇନଥିବାରୁ ଶୁଣାଣି ଘୁଞ୍ଚାଇବାକୁ ଆବେଦନ କରିଥିଲେ।


ସୂଚନା ଅନୁଯାୟୀ, ଆଜି କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ହାଜର ହୋଇଛନ୍ତି। କଡ଼ା ସୁରକ୍ଷା ବଳରେ ପୁଲିସ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ କଣ୍ଟାବାଞ୍ଜି କୋର୍ଟକୁ ଆଣିଛି। କୋର୍ଟରେ ଗୋବିନ୍ଦ ସାହୁଙ୍କ ଓକିଲ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି। ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗା ପାଢ଼ୀଙ୍କ କହିବା ଅନୁସାରେ ସେମାନେ କଲ ରେକର୍ଡ, ସାଇଣ୍ଟିଫିକ ତଦନ୍ତର ରିପୋର୍ଟ ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦେବାକୁ କୋର୍ଟକୁ ଅନୁରୋଧ କରିଥଲେ। ଆଜି ତାହାର ଶୁଣାଣି ଥିଲା। ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖ ଦିନ ପୁଣି ଗୋବିନ୍ଦ ସାହୁଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍‌ରେ ଗାତ ଖୋଳି ପୋତିଥିଲା।  ରିମାଣ୍ଡ ସମୟରେ ଯେଭଳି ଭାବେ ହତ୍ୟା କରିଥିଲା ତା’ର ‘ଡେମୋ’ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୁଲିସ ଆଗରେ ଦେଖାଇଥିଲା। ଅପରାଧ ସ୍ଥଳରେ ଅପରାଧିକ ଘଟଣାର ପୁନଃସଂରଚନା ନିମନ୍ତେ ପୁଲିସ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମ୍‌କୁ ନେଇଥିଲା। ମମିତାଙ୍କୁ ହତ୍ୟା କରି କେମିତି ଗାତ ଖୋଳି ପୋତିଥିଲା, ସେ ସମ୍ବନ୍ଧରେ ପ୍ରାୟ ୧୫ ମିନିଟ୍‌ ଧରି ଗୋବିନ୍ଦ ପୁଲିସକୁ କହିଥିଲା। ସେ କହିଥିଲା କି, ପ୍ରଥମେ କାଠ ଏବଂ କାଠ ଉପରେ ମମିତାଙ୍କ ଶବକୁ ରଖି ‘ଜେସିବି’ଦ୍ୱାରା ତାହାକୁ ଖଣ୍ଡବିଖଣ୍ଡ କରିଥିଲା। ତା’ପରେ ଟାୟାର୍‌ ଓ କେତୋଟି ବେଞ୍ଚ୍‌କୁ ଭାଙ୍ଗି ପୋଡ଼ି ଦେଇଥିଲା। ମୋବାଇଲ୍‌ ଫୋନ୍‌କୁ ମଧ୍ୟ ଭାଙ୍ଗି ସେହି ଜଳନ୍ତା ନିଆଁରେ ପକାଇ ଦେଇଥିଲା।

ସମ୍ବନ୍ଧିତ ଖବର