ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମ୍ ମେସିନ୍ ଏବଂ ଭିଭିପ୍ୟାଟ୍ ଯେପରି ସୁରକ୍ଷିତ ଭାବେ ରହିବ ସେଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ଗୋଦାମ ଘର ନିର୍ମାଣ ହେବ। ରାଜ୍ୟର ୩୦ଟି ଜିଲ୍ଲାରେ ୮୦ଟି ସ୍ୱତନ୍ତ୍ର ଗୋଦାମ ଘର ନିର୍ମାଣ ହେବାକୁ ଥିବାବେଳେ ଏଥିପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି ଗୋଦାମ ଘର ନିର୍ମାଣ ହେବାକୁ ଥିବାବେଳେ ଏଥିପାଇଁ ୧୨୪କୋଟି ୩୨ଲକ୍ଷ ୪୦ହଜାର ଟଙ୍କା ଆୟୋଗ ଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ବର୍ଷ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଁ ଅଧିକାଂଶ ଜିଲ୍ଲାରେ ଗୋଦାମ ଘର ନିର୍ମାଣ ଆରମ୍ଭ ହୋଇନି। ଏପରିକି ନିର୍ବାଚନ ଆୟୋଗ ପ୍ରଥମ ପର୍ଯ୍ୟାୟରେ ୨୮କୋଟି ୨୬ଲକ୍ଷ ୯୨ହଜାର ଟଙ୍କା ମଞ୍ଜୁର କରିଥିଲେ ହେଁ ଗୋଦାମ ଘର ନିର୍ମାଣ କାର୍ଯ୍ୟ ଅଗ୍ରଗତି ହୋଇନଥିବାରୁ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପୂର୍ତ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଏହି ସ୍ୱତନ୍ତ୍ର ଗୋଦାମ ଘର ଯେପରି ନିର୍ମାଣ ଶେଷ ହେବ ସେଥିପାଇଁ ବଳକା ୯୬କୋଟି ୫ଲକ୍ଷ ୪୮ହଜାର ଟଙ୍କା ବି ଆୟୋଗ ମଞ୍ଜୁର କରିଛନ୍ତି। ଖୁବ୍ ଶୀଘ୍ର ଏହାକୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କୁ ଦିଆଯିବ।
ଏନେଇ ପୂର୍ତ୍ତ ସଚିବଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କେତେକ ଜିଲ୍ଲାରେ ଏହି ସ୍ୱତନ୍ତ୍ର ଗୋଦାମ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବଳକା ଟଙ୍କା ମିଳିଲେ ଅନ୍ୟ ଜିଲ୍ଲାରେ କାମ ଆରମ୍ଭ ହେବ। ବର୍ଷ ଶେଷ ସୁଦ୍ଧା ୮୦ଟି ସ୍ୱତନ୍ତ୍ର ଗୋଦାମ ଘର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୂର୍ତ୍ତ ସଚିବ କହିଛନ୍ତି।