ଓଡ଼ିଶାରେ ଏବର୍ଷ ଭଲ ବର୍ଷା : ଜୁନ୍‌ ୬ରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର : ଜୁୁନ୍‌ ୬ କିମ୍ବା ୭ ତାରିଖରେ ଓଡ଼ିଶା ଛୁଇଁପାରେ ମୌସୁମୀ। ଦକ୍ଷିଣ ଓଡ଼ିଶା ଦେଇ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ସମ୍ଭାବନା ଅଧିକ। ପ୍ରଥମେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି ଉପକୂଳରେ ବର୍ଷା କରାଇବ ଓ ତା’ ପରେ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେବ। କିଛି ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାକୁ ମୌସୁମୀ ଛୁଇଁବ। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ୭ କିମ୍ବା ୮ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ମୌସୁମୀ ବାୟୁ ପ୍ରବେଶ କରିଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦେଶର କେଉଁ ଅଞ୍ଚଳରେ କେତେ ବର୍ଷା ହେବ ସେ ନେଇ ଆଜି ପୂର୍ବାନୁମାନ କରାଯାଇଛି। ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ସାରା ଦେଶରେ ୯୭ ପ୍ରତିଶତ ବର୍ଷା ହେବ, ଯାହାକି ସ୍ୱାଭାବିକ ବୋଲି ବିଭାଗ କହିଛି। କେନ୍ଦ୍ର ଭାରତରେ ୯୯ ପ୍ରତିଶତ ବର୍ଷା ହେବ ଓ ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ଶହେ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପୂର୍ବାଞ୍ଚଳରେ ଟିକିଏ କମ୍‌ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଉତ୍ତର-ପୂର୍ବାଞ୍ଚଳରେ ୯୩ ପ୍ରତିଶତ ବର୍ଷା ହୋଇପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁଲାଇ ମାସରେ ଭାରତରେ ୧୦୧ ପ୍ରତିଶତ ଓ ଅଗଷ୍ଟରେ ୯୪ ପ୍ରତିଶତ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ମଧ୍ୟ ଭାରତ ଲାଗି ହୋଇଥିବା ଆକଳନରେ ଓଡ଼ିଶା ଆସୁଥିବାରୁ ଏଠାରେ ମଧ୍ୟ ପାଖାପାଖି ଶତ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ କହୁଛି ଓଡ଼ିଶାରେ ଭଲ ବର୍ଷା ହେବ। ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ଓଡ଼ିଶାରେ ସାଧାରଣତଃ ୧୧୬୪ ମି.ମି. ବର୍ଷା ହୋଇଥାଏ। ଏଥର ପାଖାପାଖି ୧୧୫୦ରୁ ୧୧୬୦ ମି.ମି. ବର୍ଷା ହୋଇପାରେ। ମୌସୁମୀ ବାୟୁ ଇତିମଧ୍ୟରେ କେରଳ ଓ ତାମିଲନାଡ଼ୁରେ ପହଞ୍ଚିସାରିଛି। ଏବେ କର୍ଣ୍ଣାଟକରେ ରହିଛି। ସେଠାରେ କିଛି ସ୍ଥାନରେ ବର୍ଷା ହେଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ପହଞ୍ଚିବ। ଏହାପରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଛୁଇଁବାର ସମ୍ଭାବନା ରହିଛି। ଜୁନ୍‌ ୬ କିମ୍ବା ୭ ତାରିଖ ବେଳକୁ ଉପକୂଳ ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପହଞ୍ଚିବ ବୋଲି ଶ୍ରୀ ସାହୁ ଆକଳନ କରିଛନ୍ତି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ର୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଏଥର ଓଡ଼ିଶାରେ ଭଲ ବର୍ଷା ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଶହେ ପ୍ରତିଶତରୁ ଅଧିକ ବର୍ଷା ହୋଇପାରେ। ଜୁନ୍‌ ୫ କିମ୍ବା ୬ରେ ରାଜ୍ୟରେ ମୌସୁମୀ ବର୍ଷା ହୋଇପାରେ। ପ୍ରାରମ୍ଭିକ ଭାବେ ଉପକୂଳବର୍ତୀ ଅଞ୍ଚଳରେ ଅଧିକ ବର୍ଷା ହେବ। ଜୁନ୍‌ ଦ୍ୱିତୀୟ ସପ୍ତାହରେ ଲଘୁଚାପ ଜନିତ ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍‌ ଓ ଜୁଲାଇ ମାସରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହୋଇପାରେ। କିନ୍ତୁ ଉତ୍ତର ଓଡ଼ିଶାରେ ଉଭୟ ଜୁନ୍‌ ଓ ଜୁଲାଇ ମାସରେ ସ୍ୱାଭାବିକ ଓ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ସ୍ୱାଭାବିକ ବର୍ଷା ରହିବ। ଚଳିତବର୍ଷର ବର୍ଷା ଚାଷୀଙ୍କ ପାଇଁ ଅନୁକୂଳ ରହିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର