୨୦ରୁ ‘କୋରାପୁଟ ସାହିତ୍ୟ ଉତ୍ସବ’ : ଗୌରହରି ଦାସ, ବିପିନ ନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ

ଭୁବନେଶ୍ବର : ବିଶିଷ୍ଟ କଥାକାର ଗୌରହରି ଦାସ ଓ କବି ବିପିନ ନାୟକ ଚଳିତ ବର୍ଷର ‘କୋରାପୁଟ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ହେବେ। ଅକ୍ଟୋବର ୨୦ ଓ ୨୧ ତାରିଖ ଦୁଇଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଦ୍ବିତୀୟ ଜାତୀୟ କୋରାପୁଟ ସାହିତ୍ୟ ଉତ୍ସବ (କେଏଲ୍‌ଏଫ୍‌-ଓଡ଼ିଶା)ରେ ଦୁଇ ବିଶିଷ୍ଟ ସାରସ୍ବତ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯିବ। ‘ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ କୋରାପୁଟର ‘ଜନଜାତି ସଂଗ୍ରହାଳୟ’ରେ ୨୦ ତାରିଖରେ ପ୍ରତ୍ୟେକଙ୍କୁ ୨୧ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନ ପ୍ରଦାନ କରାଯିବ। ଓଡ଼ିଆ ମିଡିଆର ନିର୍ଦେଶକ ତଥା ଯୁବ ଲେଖକ ଶୁଭ୍ରାଂଶୁ ପଣ୍ଡା ଏକ ପ୍ରେସ୍‌ ବିବୃତ୍ତି‌ରେ ଏହି ସୂଚନା ଦେଇଛନ୍ତି।

ଶ୍ରୀ ପଣ୍ଡା କହି‌ଛନ୍ତି, ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ‘ପ୍ରକୃତି ଓ ସୃଜନଶୀଳତା’। ଦ୍ବିତୀୟ ସଂସ୍କରଣ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କୁ ସମର୍ପଣ କରାଯାଇଛି। ପ୍ରଶାସକ ଭାବେ କୋରାପୁଟରେ ୧୯୩୮ ମସିହାରୁ କାମ କରିବା ମଧ୍ୟରେ ଜନଜାତିଙ୍କ ଜୀବନ ଓ ପ୍ରଥାକୁ ନେଇ ସେ କାଳଜୟୀ ଉପନ୍ୟାସ ରଚନା କରିଥିବାରୁ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଏହି ଉତ୍ସବରେ ସାହିତ୍ୟ ସହ ମନୋରଂଜନଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସାହିତ୍ୟ ଆଲୋଚନା, ସାମାଜିକ କଥାବସ୍ତୁକୁ ନେଇ ବିତର୍କ, କବିତା ପାଠ, ଚଳଚ୍ଚିତ୍ର ପ୍ରଦର୍ଶନ ଓ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ମିଳିବ। ଦେଶର ଖ୍ୟାତନାମା ଲେଖକ, ଚିନ୍ତାନାୟକ, ରାଜନୀତିଜ୍ଞ, କଳାକାର ପ୍ରମୁଖ ଅଂଶଗ୍ରହଣ କରି ମୁକ୍ତ ବିଚାର ରଖିବେ। ଚଳିତ ବର୍ଷ ୫ଶହରୁ ଅଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ‘ପେନ୍‌ ଇନ୍‌ ବୁକ୍‌ସ’ ପ୍ରକାଶିତ ୪୦ ବର୍ଷରୁ କମ୍‌ ବୟସ୍କ ଲେଖକ ଲେଖିକାଙ୍କ ଲିଖିତ ୧୨ଟି ପୁସ୍ତକ ଲୋକାର୍ପିତ ହେବ।

ସମ୍ବନ୍ଧିତ ଖବର