ଭିସୁଟ୍‌ କୁଳପତିଙ୍କୁ ରାଜଭବନରୁ ଡକରା

ଜାରି ରହିବ ଆନ୍ଦୋଳନ: ଶିକ୍ଷକ ସଂଘ

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନରତ ଶିକ୍ଷକ ସଂଘର ସଭାପତି, ଉପ ସଭାପତି,ସମ୍ପାଦକଙ୍କ ସମେତ ୧୮ ଜଣଙ୍କ ବିରୋଧରେ ରାଜ୍ୟ ସରକାର ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ଘଟଣା ପରେ ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଗୋଟିଏ ପଟେ କାର୍ଯ୍ୟାନୁଷ୍ଠାନକୁ ନେଇ ଶିକ୍ଷକ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅନ୍ୟ ପଟେ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଡକରା ଆସିଥିବା ଜଣାପଡ଼ିଛି।

ଗତ ୨୩ ତାରିଖରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ସି.ଆର୍‌.ମହାନ୍ତି ଓ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଯୁଗ୍ମ ସଚିବ ଅଜୟ ନାୟକ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ସମସ୍ତ ଘଟଣାବଳୀର ସମୀକ୍ଷା କରିବା ପରେ ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ଘଟଣା ନେଇ ରାଜଭବନ ସହ ଯୋଗାଯୋଗ କରାଯିବାରୁ ବିଶ୍ବବିଦ୍ୟାଳୟର ସ୍ଥିତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ କୁଳପତିଙ୍କୁ ଡକରା ହୋଇଛି। କିପରି ବିଶ୍ବବିଦ୍ୟାଳୟର ସ୍ଥିତି ସ୍ବାଭାବିକ ହେବ ସେନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୁଳପତିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଅପରପକ୍ଷେ, ଦୁଇଦିନ ଛୁଟି ପରେ ମଙ୍ଗଳବାର ବିଶ୍ବବିଦ୍ୟାଳୟ ଖୋଲିବାକୁ ଯାଉଥିବା ବେଳେ ଶିକ୍ଷକ ସଂଘ ଆନ୍ଦୋଳନ ଜାରି ରଖିବେ ବୋଲି ଉପ ସଭାପତି ଡ.ପାଣ୍ଡବ ପାତ୍ର ସୂଚନା ଦେଇଛନ୍ତି। ଡ.ପାତ୍ରଙ୍କ ସୂଚନା ମୁତାବକ, ମଙ୍ଗଳବାର ଶିକ୍ଷକ ସଂଘର ସାଧାରଣ ପରିଷଦ ବୈଠକ ହୋଇ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଧାରଣ କରାଯିବ। କିନ୍ତୁ ଆନ୍ଦୋଳନ ସ୍ଥଗିତ ହେବ ନାହିଁ ବୋଲି ସେ ସୂଚନା ଦେଇଥିଲେ। ସେପଟେ, କାର୍ଯ୍ୟାନୁଷ୍ଠାନ ବିରୋଧରେ ଶିକ୍ଷକ ସଂଘ ହାଇକୋର୍ଟରେ ରିଟ୍‌ ପିଟିସନ ମଧ୍ୟ ଦାଖଲ କରିବେ ବୋଲି ଡ.ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର