ପ୍ରବଳ ବର୍ଷାକୁ ଖାତିର ନ କରି ପହଞ୍ଚିଲେ ପ୍ରତିଯୋଗୀ: ଆରମ୍ଭ ହେଲା ରାଜ୍ୟବ୍ୟାପୀ ରାଜ୍ୟପାଳଙ୍କ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ରାଜ୍ୟବ୍ୟାପୀ ଓଡ଼ିଶାର ରାଜ୍ୟପାଳଙ୍କ ପ୍ରବନ୍ଧ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଆଜି (୧୧ ତାରିଖ, ରବିବାର) ପୂର୍ବାହ୍ନ ୧୧ଟା ୩୦ରେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି। ପ୍ରବଳ ବର୍ଷା ହେଉଥିଲେ ବି ସେଥିପ୍ରତି ଖାତିର ନ କରି ପ୍ରତିଯୋଗୀମାନେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଏଥିରେ ଭାଗ ନେଇଛନ୍ତି।

ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜନ୍ମମାଟି ସଂପର୍କରେ ପିଲାମାନଙ୍କର ମନକଥା ଜାଣିବା ଲାଗି ଆଗ୍ରହ ପ୍ରକାଶ କରିଥିବା ପରିପ୍ରେକ୍ଷୀରେ ରାଜ୍ୟର ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବାଦ ପକ୍ଷରୁ ଆୟୋଜିତ ହେଉଛି ଏହି ପ୍ରବନ୍ଧ ପ୍ରତିଯୋଗିତା। ପ୍ରତିଯୋଗିତାରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରୁ କେବଳ ନବମ ଓ ଦଶମ ଶ୍ରେଣୀର ପିଲା ଭାଗ ନେଇଛନ୍ତି। ସାରା ଓଡ଼ିଶାରେ ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ୬୦୦ରୁ ଅଧିକ କେନ୍ଦ୍ରରେ ଏହି ପ୍ରତିଯୋଗିତା ହେଉଛି। ଏକାଧିକ ଥର ‘ସମ୍ବାଦ’ ପୃଷ୍ଠାରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ବିଷୟରେ ସୂଚନା ପ୍ରକାଶିତ ହୋଇଛି। ପୂର୍ବରୁ ପଂଜୀକରଣ କରିନଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସିଧାସଳଖ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଛାତ୍ରଛାତ୍ରୀମାନେ ନିଜ ପରିଚୟ ପତ୍ର ସହ କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିଲେ ।


ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ଏହି ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ‘ମୋ ସ୍ବପ୍ନର ଓଡ଼ିଶା’ ଏବଂ ଇଂରାଜୀରେ ଏହାର ଶୀର୍ଷକ ହେଉଛି ‘Odisha of My Dreams’। ଓଡ଼ିଆ କିମ୍ବା ଇଂରାଜୀ ମଧ୍ୟରୁ ଯେକୌଣସି ଗୋଟିଏ ଭାଷାରେ ପ୍ରବନ୍ଧ ଲେଖିବା ଲାଗି ସୁଯୋଗ ରହିଛି। ପରୀକ୍ଷା ପାଇଁ ଯୋଗାଇ ଦିଆଯାଇଥିବା ଖାତା ଭିତରେ ହିଁ ପ୍ରବନ୍ଧ ସୀମିତ ରହିବ। ରାଜ୍ୟସ୍ତରରେ ପ୍ରଥମ ତିନି ଜଣ କୃତୀ ପ୍ରତିଯୋଗୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦନ କରାଯିବ। ରାଜ୍ୟସ୍ତରୀୟ କୃତୀ ପ୍ରତିଯୋଗୀମାନଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ହାତରୁ ପୁରସ୍କାର ରାଶି ଏବଂ ପ୍ରମାଣପତ୍ର ଗ୍ରହଣ କରିବା ଲାଗି ସୁଯୋଗ ମିଳିବ।


ସୂଚନାଯୋଗ୍ୟ, ମହାମହିମ ରାଜ୍ୟପାଳଙ୍କ ଦିଗଦର୍ଶନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ହେଉଥିବା ଏଭଳି ପ୍ରତିଯୋଗିତା ହେଉଛି ରାଜ୍ୟରେ ପ୍ରଥମ। ଏହି ପ୍ରତିଯୋଗିତାରେ ଯେଭଳି ଅଧିକରୁ ଅଧିକ ନବମ ଓ ଦଶମ ଶ୍ରେଣୀ ଛାତ୍ର ଭାଗ ନେଇପାରିବେ। ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତିଯୋଗିତାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେବାଲାଗି ସମ୍ବାଦ ପରିବାରର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର