ହାଇକୋର୍ଟରେ ହାରିସାରିଲେଣି, ସରକାର ଜାଣିନାହାନ୍ତି

ଭୁବନେଶ୍ବର : ହାଇକୋର୍ଟରେ ରୁଜୁ ‌ହୋଇଥିବା ଏକ ମାମଲାରେ ଦୁଇମାସ ତଳୁ ହାରିସାରିଲେଣି। ଅଥଚ ସରକାରଙ୍କ ନିକଟରେ ଖବର ନାହିଁ । ଏଥିଘେନି ସ୍ୟାଟ୍‍ ଅସନ୍ତୋଷ ବ୍ୟକ୍ତ କରିବା ସଂଗେ ସଂଗେ ତୁରନ୍ତ ଅଦାଲତ ଆଦେଶ ଅନୁପାଳନ କରା ନହେଲେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହେବେ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି । ଏହି ଘଟଣା ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି କରିଛି ।

ଚାକିରିରେ ଥାଇ ମୃତ୍ୟୁବରଣ କରିଥିବା ଜଣେ ସରକାରୀ କର୍ମଚାରୀଙ୍କ ବଡପୁଅ ତପନ ମଲ୍ଲିକ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଠିକଣା ସମୟରେ ଆବେଦନ କରିଥିଲେ। ତାଙ୍କ ବିଧବା ମା’ଙ୍କୁ ସରକାରଙ୍କ ଦ୍ୱାରା ଗଠିତ ମେଡିକାଲ ବୋର୍ଡ ଚାକିରି ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି ଘୋଷଣା କରିଥିଲେ। ପରିବାରର ସମସ୍ତ ସଦସ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ସତ୍ୟପାଠ ଦାଖଲକରି ତପନଙ୍କୁ ଚାକିରି ଦେବାପାଇଁ ଜଣାଇଥିଲେ। ଜିଲ୍ଲାପାଳ ବି ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ବୋଲି ଦର୍ଶାଇ ରିେପାର୍ଟ େଦଇଥିଲେ। ଏହା ସତ୍ୱେ ବିଧବା ମାଆ ବଞ୍ଚି ଥାଉ ଥାଉ ପୁଅ କାହିଁକି ଚାକିରି ପାଇଁ ଆବେଦନ କଲାବୋଲି ଆପତ୍ତି ଉଠାଇ ସରକାର ତପନଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

ଏହି ମାମଲାର ବିଚାର କରି ସ୍ୟାଟ୍‍ ସରକାରୀ ନିର୍ଦ୍ଦେଶନାମାକୁ ବାତିଲ କରିଦେବା ସହ ସୁପ୍ରିମ୍‍କୋର୍ଟ, ହାଇକୋର୍ଟ ଓ ସ୍ୟାଟ୍‍ର ଅନ୍ୟ ମାମଲାର ନଜିର ଦର୍ଶାଇ ତପନଙ୍କୁ ଦୁଇମାସ ମଧ୍ୟରେ ନିଯୁକ୍ତି ଦେବାପାଇଁ ଗତବର୍ଷ ମାର୍ଚ୍ଚ ମାସରେ ନିେର୍ଦଶ ଦେଇଥିଲେ । ସ୍ୟାଟ୍‍ଙ୍କ ଏହି ନିର୍ଦ୍ଦେଶ ବିରୁଦ୍ଧରେ ସରକାର ହାଇକୋର୍ଟରେ ରିଟ୍‍ ଆବେଦନ କରିଥିଲେ। ମୁଖ୍ୟ ବିଚାରପତି କେ.ଏସ୍‍.ଜାଭେରୀ ଓ ଅନ୍ୟତମ ବିଚାରପତି କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଗତ ଜାନୁୟାରୀ ୧୦ ତାରିଖରେ ମାମଲାଟିର ଫଏସଲା କରି ସ୍ୟାଟ୍‍ ଆଦେଶରେ କିଛି ତ୍ରୁଟି ନଥିବାରୁ ଏହାର ଅନୁପାଳନ ଲାଗି କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ କହିଥିଲେ ।

ତେବେ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ସ୍ୟାଟ୍‍ ଆଦେଶ ବିରୁଦ୍ଧରେ ସରକାର ହାଇକୋର୍ଟରେ ରିଟ୍‍ ଆବେଦନ କରିଥିବାରୁ ଅଦାଲତ ଅବମାନନା ମାମଲାକୁ ସ୍ଥଗିତ ରଖାଯାଉ। ସ୍ୟାଟ୍‍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ଞାନରଞ୍ଜନ ପୁରୋହିତଙ୍କ ନିକଟରେ ଏହି ମାମଲା ଆଜି ପୁଣି ଉଠିଥିଲା। ଆବେଦନକାରୀଙ୍କ ପକ୍ଷରୁ ପୂବର୍ତନ ସରକାରୀ ଓକିଲ ପ୍ରହଲ୍ଲାଦ ସିଂହ ଓ ଅନ୍ୟତମ ଓକିଲ ଅମୀୟ କୁମାର ଛାଟୋଇ ହାଇକୋର୍ଟଙ୍କ ରାୟ ସ୍ୟାଟ୍‍ ବିଚାରପତିଙ୍କ ଦୃଷ୍ଟିକୁ ଆଣିଥିଲେ । ସ୍ୟାଟ୍‍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତମାସ ୨୮ ତାରିଖରେ ହେବ ବୋଲି ଦିନଧାର୍ଯ୍ୟ କରିବା ସହ ଆଦେଶ କାର୍ଯ୍ୟକାରୀ ନ େହଲେ ଅଦାଲତ ଅବମାନନା ମାମଲାରେ ହାଜର ହୋଇ ଅଭିଯୋଗଫର୍ଦ୍ଦ ଗ୍ରହଣ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର