ଗ୍ରାମ ସେବକ/ସେବିକା ସଂଘର ବାର୍ଷିକ ସମ୍ମିଳନୀ

ତୃଣମୂ ଳସ୍ତରରେ ଥ୍ରି-ଟିର ସଫଳତା ଗ୍ରାମ ସେବକ ଆଣିପାରିବେ

ଭୁବନେଶ୍ବର : ନିଖିଳ ଉତ୍କଳ ଗ୍ରାମ ସେବକ/ସେବିକା ସଂଘର ବାର୍ଷିକ ସମ୍ମିଳନୀ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଆମ ବିକାଶ କାର୍ଯ୍ୟକ୍ରମରେ ଗାଁକୁ ବିଶେଷ ଦୃଷ୍ଟି ଦିଆଯାଇଛି। ଗାଁର ବିକାଶ ସହିତ ଦାରିଦ୍ର୍ୟ ଦୂରୀକରଣ ଓ ସମାଜ ମଙ୍ଗଳ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଗ୍ରାମ ସେବକ/ସେବିକାଙ୍କ ଗୁରୁ ଦାୟିତ୍ବ ରହିଛି। ଲୋକମାନେ ନିଜ ହକ୍ ପାଇବାରେ କୌଣସି ସମସ୍ୟା ନ ହୁଏ ସେଥିପାଇଁ ଗୁରୁତ୍ବ ଦିଆଯିବ ଆବଶ୍ୟକ। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ସହିତ ‘ପିଠା’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ବିଭିନ୍ନ ସରକାରୀ ସେବା ଓ ଯୋଜନାର ସୂଚନା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚିବା ଏସବୁ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ‌ସେହିପରି ‘କାଳିଆ’ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ପଞ୍ଚାୟତରେ ଏହାର ବିଶେଷ ଦାୟିତ୍ବ ରହିଛି। ତୃଣମୂଳସ୍ତରରେ ଥ୍ରିଟିର ସଫଳତା ଗ୍ରାମ ସେବକ/ସେବିକାଙ୍କ ଉପରେ ନିର୍ଭର କରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, ରାଜ୍ୟରେ ୬୭୯୮ ପଞ୍ଚାୟତରେ ୬୨୩୪ ପଞ୍ଚାୟତ ନିର୍ବାହୀ ଅଧିକାରୀ ରହିଛନ୍ତି। ଆହୁରି ୫୬୪ ପଦବି ସୃଷ୍ଟି କରିବା ପାଇଁ ପଦକ୍ଷପେ ନିଆଯାଉଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟରେ ଗ୍ରାମ ସେବକ/‌ସେବିକା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥାନ୍ତି। ସଂଘର ରହିଥିବା ଦାବିଗୁଡ଼ିକ ଉପରେ ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାରଥୀ କହିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ଗ୍ରାମ ସେବକଙ୍କ ଶିକ୍ଷାଗତ ଯୋଜନା +୨ ପରିବର୍ତେ +୩ କରିବା, ପଦୋନ୍ନତି ଓ ପଦବି ପରିବର୍ତନ ଭଳି ଦାବି ଉପସ୍ଥାପନ କରାଯାଇଥିଲା। ସମ୍ମିଳନୀରେ ସଂଘର ଷ୍ଟିୟରିଂ କମିଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର କର, ସଭାପତି ଦେବବ୍ରତ ଦାସ, ସାଧାରଣ ସଂପାଦକ ସୁବ୍ରତ କୁମାର ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର