କଟକ ପୁଲିସର ସାଇବର୍‌ ସେଲ୍‌ର ବଡ଼ ସଫଳତା: ୫ ମାସରେ ୩୬ ଲକ୍ଷରୁ ଅଧିକ ଟଙ୍କା ଜବତ

ଝାଡ଼ଖଣ୍ଡର ଜମତରାରୁ ଆସୁଛି ଅଧିକାଂଶ କଲ୍‌

କଟକ-ମହାନଦୀ ବିହାର : ସାଇବର୍‌ ଠକେଇ ଘଟଣାରେ କଟକ ପୁଲିସର ସାଇବର୍‌ ସେଲ୍‌କୁ ବଡ଼ଧରଣର ସଫଳତା ମିଳିଛି। ସାଇବର ସେଲ୍‌ର ତତ୍ପରତା ଓ ବୈଷୟିକ ଜ୍ଞାନକୌଶଳ ଯୋଗୁଁ ଗଲା ୫ମାସ ମଧ୍ୟରେ ସାଇବର୍‌ ଠକ ନେଇଯାଇଥିବା ୩୬ ଲକ୍ଷରୁ ଅଧିକ ଟଙ୍କାକୁ ପୁଲିସ ଜବତ କରି ଅଭିଯୋଗକାରୀମାନଙ୍କୁ ଫେରସ୍ତ କରିଛି।

ଜଗତପୁର ଥାନା ଅଞ୍ଚଳରେ ଏକ ଟାୱାର୍‌ ବସାଇବା ପାଇଁ ଦିଲୀପ କୁମାର ସାହୁଙ୍କଠାରୁ କଲିକତା ଅଞ୍ଚଳର କିଛି ଠକ ଅନଲାଇନ୍‌ରେ ପ୍ରାୟ ୩୦ ଲକ୍ଷ ଟଙ୍କା ଠକି ନେଇଥିବାବେଳେ କଟକ ସାଇବର୍‌ ସେଲ୍‌ ଓ ସ୍ପେସାଲ୍‌ ସ୍କ୍ବାର୍ଡ କଲିକତାରେ ଚଢ଼ଉ କରି ୨୫ ଲକ୍ଷ ୭୦ ହଜ଼ାର ୩୦୦ ଟଙ୍କା ଜବତ କରିବା ସହିତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ସମୟରେ ଅନଲାଇନ୍‌ କାରବାର ବୃଦ୍ଧି ପାଇଥିବାବେଳେ ମୋବାଇଲରେ ବିଭିନ୍ନ ସମୟରେ ସାଇବର୍‌ ଠକ ଲୋଭନୀୟ ଅଫର୍‌ ଦେଇ ବ୍ୟାଙ୍କ ଆକାଉଣ୍ଟ୍‌ରୁ ଲକ୍ଷାଧିକ ଟଙ୍କା ଗାଏବ୍‌ କରି ଦେଉଛନ୍ତି। ଅଧିକାଂଶ କଲ୍ ଝାଡ଼ଖଣ୍ଡର ଜମତରାରୁ ଆସୁଥିବା ଜଣାପଡ଼ିଛି। ଏଭଳି ଘଟଣାକୁ ଦୃଷ୍ଟିରେ ରଖି କଟକ କମିସନରେଟ୍‌ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏକ ସାଇବର ଡେସ୍କ୍‌ ଠକଙ୍କୁ ଠାବ କରିବାରେ ସଫଳତା ହାସଲ କରିପାରିଛି।

ଡେସ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଠକେଇର ଶିକାର ହେଉଥିବା ଲୋକ ୨୪ଘଣ୍ଟା ଭିତରେ ସାଇବର୍‌ ସେଲ୍‌ର ହେଲ୍ପ ଡେସ୍କ୍‌କୁ ସୂଚନା ଦେଲେ ଟଙ୍କା ଫେରସ୍ତ ମିଳିବାର ଅଧିକ ସମ୍ଭାବନା ରହିଛି। ଗତ ପାଞ୍ଚମାସ ମଧ୍ୟରେ ସାଇବର ସେଲ୍‌ ପ୍ରାୟ ୩୬ ଲକ୍ଷ ୫୭ ହଜ଼ାର ୮୧୯ ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଛି। ପ୍ରାୟ ତିରିଶ ଜଣ ଅଭିଯୋଗକାରୀ ଇତିମଧ୍ୟରେ ଟଙ୍କା ଫେରସ୍ତ ପାଇ ସାରିଲେଣି। କଟକ ତୁଳସୀପୁର ଅଞ୍ଚଳର ବ୍ୟବସାୟୀ ଦେବୀପ୍ରସାଦ ଶର୍ମାଙ୍କ ଆକାଉଣ୍ଟରୁ କ୍ରେଡିଟ କାର୍ଡ କରାଇଦେବା ପାଇଁ ଠକ ୨ଲକ୍ଷ ୨୪ହଜ଼ାର ୬୩୭ ଟଙ୍କା ନେଇଯାଇଥିବା ବେଳେ ସେ ୨୪ ଘଣ୍ଟା ମଧ୍ୟରେ ସାଇବର ସେଲ୍‌କୁ ସୂଚନା ଦେଇଥିଲେ। ପୁଲିସ ଘଟଣାର ତୁରନ୍ତ ତଦନ୍ତ କରି ଶ୍ରୀ ଶର୍ମାଙ୍କ ଟଙ୍କା ଡୋମିନିକ୍ ରିପବ୍ଲିକ ଦେଶର ମୁଦ୍ରାକୁ ବଦଳ ହୋଇଥିବା ଜାଣିବାକୁ ପାଇଥିଲା। ରିଜର୍ଭ ବ୍ୟାଙ୍କ ସହ ଯୋଗାଯୋଗ କରି ଏହି ଟଙ୍କାକୁ ଫେରସ୍ତ ଆଣିବାରେ ସଫଳତା ମିଳିଥିଲା। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ କୌଣସି ସାଇବର୍‌ ଠକେଇ ହେବା ମାତ୍ରେ ପ୍ରଥେମ ପୁଲିସକୁ ସୂଚନା ଦିଅନ୍ତୁ। ୧୦୦ କିମ୍ବା ୧୧୨ ଅଥବା ସାଇବର ହେଲ୍‌ପ ଡେସ୍କ୍‌ର ଦୁଇ ଅଧିକାରୀଙ୍କ ମୋବାଇଲ (୮୮୯୫୮୧୨୩୦୪/ ୭୩୨୮୦୭୭୧୪୪)କୁ ତୁରନ୍ତ ସୂଚନା ଦେଲେ ଟଙ୍କା ଫେରିବାର ସମ୍ଭାବନା ଅଧିକ। କିନ୍ତୁ ଫୋନ୍‌ରେ ନିଜ ସମ୍ପର୍କରେ କିମ୍ବା ନିଜ ବ୍ୟାଙ୍କ ଆକାଉଣ୍ଟ୍‌ ସମ୍ପର୍କରେ କୌଣସି ତଥ୍ୟ ନ ଦେବାକୁ ଡିସିପି ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। କଟକ ସ୍ପେସାଲ ସ୍କ୍ବାଡ୍ ଏସିପି ଅଜୟ କୁମାର ଦାସଙ୍କ ନେତୃତ୍ୱରେ ଆଇଆଇସି ରେଣୁବାଳା ତ୍ରିପାଠୀ, ଏସ୍‌ଆଇ ପି.ଟି ଗଣେଶ ରାଓ, ଅନୀଲ ନାୟକ ପ୍ରମୁଖ ଏହି ଡେସ୍କରେ କାର୍ଯ୍ୟ କରୁଛନ୍ତି। ଡିସିପି ପ୍ରତୀକ ସିଂହ ଏହାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅଛନ୍ତି।

ସମ୍ବନ୍ଧିତ ଖବର