ପିଆରଏମରେ ଶିଶୁ ଅଦଳବଦଳ ଘଟଣା : ଜିଲ୍ଲାପାଳ ଅଫିସରେ ମହିଳା-ପୁଲିସ୍ ଧସ୍ତାଧସ୍ତି

ବାରିପଦା : ବାରିପଦା ପିଆରଏମ୍ ମେଡିକାଲ କଲେଜରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ବିବାଦ ଥମୁନି। ପୁଅ ହରାଇଥିବା ମାଆଙ୍କ ସମେତ ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିବା ସହ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଉପସ୍ଥିତ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା କର୍ମୀ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ମହିଳାମାନେ ପୁଲିସ କର୍ମଚାରୀ ଓ ବରିଷ୍ଠ ଅଧିକାରୀଙ୍କୁ ଟଣାଓଟରା କରିଥିଲେ। କରୋନା ମୁକାବିଲା ସମୟରେ ଆଜିର ଏ ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଏପରି କି ଜିଲ୍ଲାପାଳ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି।

ଗତ ୧୧ ତାରିଖ ଦିନ ଶିଶୁ ବଦଳ ଘଟଣାରେ ଶିଶୁକୁ ହରାଇଥିବା କାର୍ତ୍ତିକ ସିଂଙ୍କ ପତ୍ନୀ ରଇବାରୀ ନିଜେ ଆଜିର ଏ ବିରୋଧର ନେତୃତ୍ବ ନେଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଏସପିଙ୍କ ସମେତ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଟିମ୍ ସହ ସେଠାରେ ପହଞ୍ଚିଥିଲେ। ତଥାପି ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ଅଧିକ ପୁଲିସ ପୋର୍ସ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୫୭ଜଣ ମହିଳା ଓ ପୁରୁଷଙ୍କୁ ଉଠାଇ ନେଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ୩ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସିସିଟିଭି ଫୁଟେଜ ଆଧାରରେ ଏ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପୁଲିସ କହିଛି। ତେବେ ଏନେଇ ଅଭିଯୋଗକାରୀ କାର୍ତ୍ତିକ ସିଂଙ୍କ ଭଉଣୀ ମଞ୍ଜୁ କହିଛନ୍ତି ଯେ, ହସ୍‌ପିଟାଲ କର୍ତ୍ତୃପକ୍ଷ ତଞ୍ଚକତା କରି ସେମାନଙ୍କଠାରୁ ପୁଅକୁ ଛଡ଼େଇ ନେଇଛନ୍ତି। ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି କୁହା ଯାଇଥିଲେ ବି ସେମାନଙ୍କ ନିକଟରୁ ଏଯାବତ୍‌ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇନି। ତେଣୁ ସେମାନେ ଆଜି ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ ବୋଲି କହିଥିଲେ ମଞ୍ଜୁ।

ପ୍ରକାଶଥାଉକି, ପିଆରଏମ୍ ମେଡିକାଲରେ ଶ୍ୟାମାଖୁଣ୍ଟା ବ୍ଲକ ପୋଡ଼ାଅସ୍ତିଆ ଜାମବଣିର କାର୍ତ୍ତିକ ସିଂଙ୍କ ପତ୍ନୀ ରଇବାରି ସିଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତାକୁ ଏସଏନସିୟୁରେ ରଖାଯାଇଥିଲା। ସେହିପରି ଚଳିତ ମାସ ୪ ତାରିଖରେ ମଧ୍ୟ ସେହି ଅଞ୍ଚଳ ଧାଡ଼ଧୁଡ଼ ଗ୍ରାମର ବ୍ରଜମୋହନ ସିଂଙ୍କ ପତ୍ନୀ ରଇବାରି ସିଂ ମଧ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟ ନାମ ସମାନ ଥିବାରୁ ଡିସଚାର୍ଜ ବେଳେ ଭୁଲ କରିଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ଶିଶୁ ଅଦଳ ବଦଳ ହୋଇଯାଇଥିଲା।

ସମ୍ବନ୍ଧିତ ଖବର