ଜିଏସଟି କାଉନସିଲର ୩୧ ତମ ବୈଠକ : ଦାବି ଦୋହରାଇଲା ଓଡ଼ିଶା

ଭୁବନେଶ୍ବର : କେନ୍ଦୁପତ୍ର ଉପରେ ଲାଗୁଥିବା ଦ୍ରବ୍ୟ ଓ ସେବା କର ୧୮ ପ୍ରତିଶତରୁ ୫ ପ୍ରତିଶତ କରିବାକୁ ଓଡ଼ିଶା ପୁଣି ଥରେ ଦାବି ଦୋହରାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି କାଉନସିଲର ୩୧ ତମ ବୈଠକରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ଏଭଳି ଦାବି କରିଛନ୍ତି।

କେନ୍ଦୁପତ୍ର ଉପରୁ ଜିଏସଟି କମାଇବାକୁ ନେଇ ଗତ ନଭେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଅନୁରୋଧ କରି ପତ୍ର ଲେଖିଥିଲେ। ଲଘୁ ବନଜାତ ଦ୍ରବ୍ୟ ଭାବରେ ରାଜ୍ୟରେ ଜିଏସଟି ଲାଗୁ ହେବା ପୂର୍ବରୁ ମୂଲ୍ୟଯୁକ୍ତ କର ବା ଭାଟ୍ ୫ ପ୍ରତିଶତ ଆଦାୟ କରାଯାଉଥିଲା। ଏବେ ଜିଏସଟି ପ୍ରଚଳନ ପରେ ୧୮ ପ୍ରତିଶତ ଟିକସ ଲାଗୁ ହେବାରୁ କେନ୍ଦୁପତ୍ର ବିକ୍ରି ପ୍ରଭାବିତ ହେଉଛି।

ଫଳରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ବାରା ଇ-ଟେଣ୍ଡରରେ କେନ୍ଦୁପତ୍ର ବିକ୍ରି ହ୍ରାସ ପାଇଛି। ବିକ୍ରି କମିବାରୁ କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା କେନ୍ଦୁପତ୍ର ତୋଳାଳି ଓ ଏହାସହିତ ଜଡିତ ଶ୍ରମିକମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବା ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଜନଜାତି ଓ ଶ୍ରମିକମାନଙ୍କ ହିତ ଦୃଷ୍ଟିରୁ କେନ୍ଦୁପତ୍ର ଉପରେ ଲାଗୁ ହେଉଥିବା ଜିଏସଟିକୁ ୫ ପ୍ରତିଶତକୁ କମାଇବାକୁ ମନ୍ତ୍ରୀ ଶ୍ରୀ ବେହେରା ପରିଷଦ ବୈଠକରେ ଦାବି କରିଛନ୍ତି।

ଏହାସହିତ ପୂର୍ବ ନିର୍ଦ୍ଧାରିତ ଜିଏସଟି କ୍ଷତିପୂରଣ ବାବଦ ସମୟ ସୀମା ୨୦୨୨ ପରିବର୍ତେ ଅଧିକ ସମୟ ପାଇଁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ଦାବି କରିଛନ୍ତି। ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ୩୧ତମ ଜିଏସଟି କାଉନସିଲ ବୈଠକରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସମେତ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ବାଣିଜ୍ୟ କର ଓ ଜିଏସଟି କମିସନର ଶାଶ୍ବତ ମିଶ୍ର ଏବଂ ଜିଏସଟି ସେଲର ଅତିରିକ୍ତ କମିସନର ସହଦେବ ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର