ତେଲେଙ୍ଗାନାରେ ଥିଲା ହାଇଦରର ବନ୍ଧୁକ ବେପାର

ବନ୍ଧୁକ ଡିଲର୍ ବବଲୁ ଓ ସହଯୋଗୀ ଗିରଫ

୨ ବଂଧୁକ, ଗୁଳି, ମାଗାଜିନ୍ ଜବତ୍
ଓ୍ବାରଙ୍ଗଲ୍ ପୁଲିସ ଜବତ କରିଥିଲା ଷ୍ଟେନଗନ, ମାଉଜର୍

କଟକ : ଗ୍ୟାଙ୍ଗଷ୍ଟର ହାଇଦର ପୁଲିସ ଗୁଳିରେ ନିହତ ପରେ ଏବେ ତେଲେଙ୍ଗାନାରେ ଚାଲିଥିବା ଦୀର୍ଘ ଦିନର ବନ୍ଧୁକ ବେପାର ପୁଲିସର ହୋସ୍ ଉଡ଼ାଇ ଦେଇଛି। ବିହାରର ମୁଙ୍ଗେରୁର ବନ୍ଧୁକ ଆମଦାନୀ କରି ତେଲେଙ୍ଗାନାକୁ ଚାଲାଣ କରୁଥିବା ହାଇଦରର ଖାସ୍ ବନ୍ଧୁକ ଡିଲର୍ ସୌଭାଗ୍ୟ ଦାସ ଓରଫ ବବଲୁ ପୁଲିସ ହାତରେ ଧରାପଡ଼ିଛି। ମାଲଗୋଦାମ ଥାନା ପୁଲିସ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ମହାନ୍ତି ଲେନର ସୌଭାଗ୍ୟ (୩୯) ଏବଂ ମାଲଗୋଦାମ ଯୋବ୍ରା ପାରେଶ୍ବରସାହିର ମୁନ୍ନା ରାଓ(୪୦)କୁ ଗିରଫ କରିଛି। ପୁଲିସ ଉଭୟଙ୍କ ନିକଟରୁ ଗୋଟିଏ ୯ ଏମଏମ ଦେଶୀ ବନ୍ଧୁକ, ଦେଶୀ ସିଙ୍ଗଲ ସଟ୍ ବନ୍ଧୁକ, ଗୋଟିଏ ମାଗାଜିନ, ଦୁଇଟି ଗୁଳି ଜବତ କରିଛି।

ସୂଚନା ଅନୁଯାୟୀ, ସୌଭାଗ୍ୟ ଓ ମୁନ୍ନା ବନ୍ଧୁକ କାରବାର ଉପରେ କମିସନରେଟ୍ ପୁଲିସର ତୀକ୍ଷ୍ଣ ନଜର ରହି ଆସିଥିଲା। ଗଲା ୧୪ ତାରିଖ ଅପରାହ୍ନ ପ୍ରାୟ ୩ଟା ୩୦ ବେଳେ ଯୋବ୍ରା ତତ୍ବବଟ ସ୍ଥିତ ମହାନଦୀ ପଠାରେ ସେମାନେ ଚୋରା ବନ୍ଧୁକ କାରବାର କରୁଥିବା ସମ୍ପର୍କରେ ମାଲଗୋଦାମ ଥାନା ପୁଲିସ ଖବର ପାଇଥିଲା। ମାଲଗୋଦାମ ଥାନା ଆଇଆଇସି ତୃପ୍ତିରଞ୍ଜନ ନାୟକଙ୍କ ନେତୃତ୍ବରେ ଏସଆଇ ସୁନିଲ ଯାଦବ ଓ ଅନ୍ୟ ପୁଲିସ କର୍ମଚାରୀ ତତ୍ତ୍ବବଟରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲେ। ପୁଲିସର ତଦନ୍ତରୁ ସୌଭାଗ୍ୟର ହାଇଦର୍ ଲିଙ୍କ୍ ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ସୌଭାଗ୍ୟ ଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଖାସ୍ ବନ୍ଧୁକ ଡିଲର୍। ୨୦୦୪ ମସିହା ବେଳକୁ ହାଇଦର ଗ୍ୟାଙ୍ଗ ସହିତ ସୌଭାଗ୍ୟର ଘନିଷ୍ଠତା ବଢ଼ି ଯାଇଥିଲା। ବିହାର ମୁଙ୍ଗେରରୁ ଏଜେଣ୍ଟ ମାଧ୍ୟମରେ ଟ୍ରେନରେ ବନ୍ଧୁକ ଆମଦାନୀ କରୁଥିବା ସୌଭାଗ୍ୟ କଟକରୁ ତେଲେଙ୍ଗାନାକୁ ଏଜେଣ୍ଟ ମାଧ୍ୟମରେ ପଠାଉଥିଲା। ସୌଭାଗ୍ୟ ଏକ ପ୍ରକାର ବିହାର ଓ ତେଲେଙ୍ଗାନା ମଧ୍ୟରେ ବନ୍ଧୁକ କାରବାରର ବଡ଼ ଡିଲର୍ ଥିଲା। ବିହାରରୁ କଟକ ଓ କଟକରୁ ତେଲେଙ୍ଗାନା ଭିନ୍ନ ଭିନ୍ନ ଏଜେଣ୍ଟଙ୍କ ମାଧ୍ୟମରେ ଏହି କାରବାର ଚାଲି ଆସିଥିଲା। ସୌଭାଗ୍ୟକୁ ୨୦୦୭ ସମିହାରେ ତେଲେଙ୍ଗାନାର ଓ୍ବାରଙ୍ଗଲ ପୁଲିସ ଗିରଫ କରିଥିଲା। ତା ନିକଟରୁ ଷ୍ଟେନଗନ ଓ ମାଉଜର ମିଶାଇ ପ୍ରାୟ ୭ଟି ବଂଧୁକ ଜବତ ହୋଇଥିଲା। ଏହି ଚୋରା ବନ୍ଧୁକ କାରବାର ମାମଲାରେ ଆନ୍ଧ୍ରରୁ ଆହୁରି ୩ ଜଣ ଅପରାଧୀଙ୍କୁ ଓ୍ବେରଙ୍ଗଲ ପୁଲିସ ଗିରଫ କରିଥିଲା। ତେବେ ସୌଭାଗ୍ୟ ଗିରଫ ହୋଇ ଜେଲ୍ ଯାଇଥିଲା। ଜେଲରୁ ମୁକୁଳିବା ପରେ ସୌଭାଗ୍ୟ କିଛି ଦିନ ଭୁବନେଶ୍ବର ରହିଥିଲା ବେଳେ ପରେ କଟକ ଫେରି ଆସିଥିଲା। ଏହି ବନ୍ଧୁକ କାରବାର ମାମଲାରେ ସୌଭାଗ୍ୟର ଭାଇ ବି ସାମିଲ ଥିଲା। ଭାଇକୁ କିଛି ବର୍ଷ ତଳେ କମିସନରେଟ୍ ପୁଲିସ ଗିରଫ କରିଥିଲା। ସେ ବିହାରରୁ ପ୍ରାୟ ୨୦ରୁ ୩୦ ହଜାର ଟଙ୍କାରେ ବନ୍ଧୁକ କିଣୁଥିବା ବେଳେ ବନ୍ଧୁକ ପିଛା ମୋଟା ଅଙ୍କର କମିସନ ନେଉଥିଲା। ହାଇଦରକୁ ପାଖାପାଖି ୫୦ରୁ ଅଧିକ ବନ୍ଧୁକ ଯୋଗାଣ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ୨୦୦୪ରୁ ସୌଭାଗ୍ୟର ହାଇଦର ସହିତ ସମ୍ପର୍କ ଥିବାରୁ ନିର୍ଦ୍ଦିଷ୍ଟ ଭାବେ କେଉଁମାନଙ୍କୁ ବନ୍ଧୁକ ଯୋଗାଣ ହୋଇଛି, ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର