ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ: ଭକ୍ତଙ୍କ ପାଇଁ ଜାରି ହେଲା ନୂଆ ଏସ୍‌ଓପି

ପୁରୀ : ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଉଦ୍ଦେଶ୍ୟରେ ପରିବର୍ତ୍ତିତ ଏସ୍‌ଓପି ଜାରି କରିଛି ମନ୍ଦିର ପ୍ରଶାସନ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନୂଆ ଏସ୍‌ଓପି ବଳବତ୍ତର ରହିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି।

ଦର୍ଶନ ପାଇଁ ଜାରି ଏସ୍‌ଓପି ଅନୁଯାୟୀ, ପ୍ରତିଦିନ ଶ୍ରୀମନ୍ଦିରରେ ସପ୍ତାହକୁ ୬ ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ଦର୍ଶନ ବନ୍ଦ ରହିବ। ଆସନ୍ତା ୨୦ ତାରିଖ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ। ନଭେମ୍ବରରେ ୪ ତାରିଖ ଦୀପାବଳୀ, ୧୫ ତାରିଖ ବଡ଼ ଏକାଦଶୀ ଓ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ୯୬ ଘଣ୍ଟାର କୋଭିଡ୍ ନେଗେଟିଭ ରିପୋର୍ଟ ଅବା ଡବଲ ଡୋଜ୍‌ କୋଭିଡ ଟିକା ବାଧ୍ୟତାମୂଳକ କରାଯାଇଛି। କିଓସ୍କ ସେଣ୍ଟର୍‌ରେ ଏହି ପ୍ରମାଣପତ୍ର ସହ ନିଜ ଆଧାରକାର୍ଡ ଅବା ଅନ୍ୟ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ।

ସକାଳ ୭ଟାରୁ ଦର୍ଶନ ଆରମ୍ଭ ହେବ। ଧାଡ଼ିରେ ଯାଇ ସିଂହଦ୍ବାର ଦେଇ ଦର୍ଶନ ସାରି ଉତ୍ତର ଦ୍ଵାର ଦେଇ ଫେରିବେ। ପ୍ରବେଶ ପୂର୍ବରୁ ସାନିଟାଇଜ, ଥର୍ମାଲ ସ୍କ୍ରିନିଂ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ଭିତରେ ପ୍ରତିମୂର୍ତ୍ତି ସ୍ପର୍ଶରେ କଟକଣା ଲଗାଯାଇଛି। ଧାର୍ଯ୍ୟ ସ୍ଥାନରେ ଭକ୍ତମାନେ ଦୀପ, ଧୂପ ଲଗାଇ ପାରିବେ। ଫୁଲ, ଭୋଗ ଆଦି ନେଇପାରିବେ। ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ପାନ, ଗୁଟଖା ଖାଇବା, ପଲିଥିନ ଆଦି ନେବାରେ କଟକଣା ଲଗାଯାଇଛି। ପାନ, ଗୁଟଖା ଖାଇ ଶ୍ରୀମନ୍ଦିର ଗଲେ ୫ଶହ ଟଙ୍କା ଜରିମାନା କରାଯିବ। ପଲିଥିନ ନେଇ ଧରାପଡିଲେ ୧ହଜାର ଟଙ୍କା ଜରିମାନା କରାଯିବ। ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି। ଜଗନ୍ନାଥ ବଲ୍ଲଭରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର