ଶବଗୃହରେ ଝଡାଫୁଙ୍କା କଲେ ଗୁଣିଆ, ମୃତଦେହକୁ ବଞ୍ଚାଇବାକୁ କଲେ ଅପଚେଷ୍ଟା

କେସିଙ୍ଗା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନାରେ ଆଜି ଅନ୍ଧବିଶ୍ୱାସର ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଜଣେ ଗୁଣିଆ ମୃତକଙ୍କୁ ବଞ୍ଚାଇବା ପାଇଁ ଗୁଣି ବିଦ୍ୟା କରୁଥିବାର ଦେଖିବାକୁ ମିଳିଥିଲା | ପରେ ପୁଲିସ ପହଞ୍ଚି ଏହି ଝଡ଼ାଫୁଙ୍କାକୁ ବନ୍ଦ କରିଥିଲା | ମିଳିଥିବା ସୂଚନା ମୁତାବକ କେସିଙ୍ଗା ବ୍ଳକ କିକିଆ ପଞ୍ଚାୟତ ଡୁମେରମୁଣ୍ଡା ଗ୍ରାମର ସତୀଶ ଗୋପାଲଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଥିଲା | ପରେ ଭବାନୀପାଟଣା ହସ୍ପିଟାଲରେ ବ୍ୟବଛେଦ ପାଇଁ ମୃତଦେହକୁ ରଖାଯାଇଥିଲା |

ଏହି ସମୟରେ ସତୀଶଙ୍କର ସମ୍ପର୍କୀୟ ଜୋରଜବରଦସ୍ତ ଶବଗୃହରେ ଗୁଣିଆକୁ ଧରି ପହଞ୍ଚିଥିଲେ | ଗୁଣିଆ ଝଡାଫୁଙ୍କା କରୁଥିବାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏହାପରେ ବନ୍ଦ ରହିଥିଲା ଗୁଣି ବିଦ୍ୟା | ଗତକାଲି ବିଳମ୍ବିତ ରାତିରେ ସତୀଶ ତାଙ୍କ ଘରେ ଶୋଇଥିବାବେଳେ ହଠାତ ଏକ ସାପ କାମୁଡ଼ି ଦେଇଥିଲା। ପ୍ରଥମେ ତାଙ୍କୁ କେସିଙ୍ଗା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ହସ୍ପିଟାଲକୁ ନିଆ ଯାଇଥିଲା। ସତୀଶଙ୍କର ସକାଳ ୯ଟାରେ ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପରେ ହସ୍ପିଟାଲ କର୍ତୃପକ୍ଷ ଶବଗୃହରେ ମୃତଦେହକୁ ରଖିଥିଲେ। ପରେ ମୃତ ସତୀଶଙ୍କ ପରିବାର ଲୋକ ଜଣେ ଗୁଣିଆଙ୍କୁ ଆଣି ଝଡାଫୁଙ୍କା କରିବାର ଜିଦ ଧରିଥିଲେ। ପରେ ସିକ୍ୟୁରିଟି ସହ ଧସ୍ତାଧସ୍ତି ପରେ ପରିବାରଲୋକ ଶବଗୃହରେ ପଶି ଝଡାଫୁଙ୍କା କରିଥିଲେ। ମୃତକଙ୍କ ବାପା କହିଛନ୍ତି ଯେ ସାପ କାମୁଡ଼ି ମାରିବା ପରେ ମଧ୍ୟ ଜୀବନ ଥାଏ | ଏଣୁ ସେମାନେ ଗୁଣିଆ ଆଣି ଏହି ବ୍ୟବସ୍ଥା କରିଥିଲେ |

ସମ୍ବନ୍ଧିତ ଖବର