ଜେଲ୍‌ରେ ଧଳସାମନ୍ତ : ଘରୁ ମିଳିଲା ବନ୍ଧୁକ, ଗୁଳି

ରଙ୍ଗ ଡବାରେ ହେଉଥିଲା ଚାଲାଣ, ଟାର୍ଗେଟରେ ଥିଲେ କଲେଜ ଛାତ୍ର, ଉତ୍ତରପ୍ରଦେଶରୁ ଆସୁଥିଲା ବନ୍ଧୁକ, ଗୁଳି

କଟକ : ରଙ୍ଗ ମିସ୍ତ୍ରି ବେଶରେ ରଙ୍ଗ ଡବା ଧରି ଆସୁଥିଲେ ଦୁର୍ବୃତ୍ତ। ସେହି ରଙ୍ଗ ଡବା ଭିତରେ କିନ୍ତୁ ଚାଲାଣ ହେଉଥିଲା ବଂଧୁକ, ଗୁଳି। ଉତ୍ତରପ୍ରଦେଶରୁ ଆସୁଥିବା ଏହି ବଂଧୁକ, ଗୁଳିକୁ ବିଭିନ୍ନ ଅଞ୍ଚଳରେ କଲେଜ ଛାତ୍ରଙ୍କୁ ଯୋଗାଇ ଦେଇ ସେମାନଙ୍କୁ ଗ୍ୟାଙ୍ଗରେ ସାମିଲ କରାଯିବା ଯୋଜନା ଚାଲିଥିଲା। ଏଭଳି ଏକ ସଂଗିନ କାରବାରରେ ସଂପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ କାରନାମାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସର ସ୍ପେସାଲ୍ ସ୍କ୍ବାଡ୍। ୪ ବର୍ଷ ହେଲାଣି ଦୁଇ ଗ୍ୟାଙ୍ଗଷ୍ଟର ଭାଇ ଜେଲରେ ଥିଲେ ବି ତାଙ୍କ ସିଡିଏ ଘରୁ ଆଜି ପୁଳାପୁଳା ଗୁଳି, ମାଗାଜିନ୍ ଓ ବଂଧୁକ ଜବତ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ବେଆଇନ୍‌ ବନ୍ଧୁକ କାରବାର ଚାଲିଥିବା ସଂପର୍କରେ ସୂଚନା ମିଳିବା ପରେ ସ୍ପେଶାଲ ସ୍କ୍ବାଡ ପକ୍ଷରୁ ଆଇଆଇସି ଅଜୟ ଦାସଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍ ଧଳସାମନ୍ତଙ୍କ ଘର ଉପରେ ଚଢଉ କରି ୮ଟି ୯ଏମ୍‌ଏମ୍‌ ମାଉଜର, ୧୭ଟି ମାଗାଜିନ୍‌ ଓ ୫୪୩ ରାଉଣ୍ତ ଗୁଳି ଜବତ କରିଛି। ଏଥିରେ ୯ଏମ୍‌ଏମ୍‌ ଗୁଳି, ୩.୮ ଗୁଳି, ୩୦୩ ବନ୍ଧୁକର ଗୁଳି, ମୋବାଇଲ୍ ଫୋନ୍ ଇତ୍ୟାଦି ରହିଛି। ଏହି ଚୋରା ବ୍ୟବସାୟରେ ସ˚ପୃକ୍ତ ୨ଜଣଙ୍କୁ ପୁଲିସ୍‌ ଅଟକ ରଖି ଅଧିକ ତଥ୍ୟ ପାଇଁ ପଚରାଉଚରା କରୁଥିବା ସୂଚନା ଦିଆଯାଇଛି। ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ବରେ ଏଡିସିପି ତ୍ରିନାଥ ମିଶ୍ର, ପ୍ରମୋଦ ରଥ ପ୍ରମୁଖ ବି ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଛନ୍ତି।

କିଛିଦିନ ଆଗରୁ ଧଳସାମନ୍ତଙ୍କ ଚୋରା ବନ୍ଧୁକ କାରବାର ଉପରେ ସ୍ପେଶାଲ ସ୍କ୍ବାଡ ନଜର ରଖିଥିଲା। ଗତ ୪ ଦିନ ଧରି ଛଦ୍ମବେଶରେ ପୁଲିସ୍‌ ସେଠାରେ ଡେରା ପକାଇ ରହିଥିଲା। ଗୁରୁବାର ସ˚ଧୢାରେ ଧଳସାମନ୍ତଙ୍କ ଦୁଇ ସହଯୋଗୀଙ୍କୁ ତାଙ୍କ ଘର ପାଖରୁ ପୁଲିସ କାବୁ କରି ନେଇଥିଲା। ସେମାନଙ୍କ ସୂଚନା ଆଧାରରେ ପୁଲିସ ଘର ଭିତରକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାନଭିନ ଚଳାଇଥିଲା। ଘର ଭିତର ଯାଞ୍ଚରୁ ବନ୍ଧୁକ, ଗୁଳି, ମାଗାଜିନ୍‌, ମୋବାଇଲ୍ ଫୋନ୍ ଇତ୍ୟାଦି ଜବତ କରାଯାଇଥିଲା। ପୂର୍ବରୁ କଟକର ୩ଜଣ ମଦ ବ୍ୟବସାୟୀଙ୍କ ଆକାଉଣ୍ଟରୁ ଉତ୍ତରପ୍ରଦେଶସ୍ଥିତ ଜଣେ ବନ୍ଧୁକ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଟଙ୍କା କାରବାର ହୋଇଥିବା ସଂପର୍କରେ ପୁଲିସ୍‌ ସୁରାକ ପାଇଥିଲା। ସେହି ଘଟଣାର ତଦନ୍ତରୁ ଆଜି ପୁଲିସ ଏହି ସଂଗିନ କାର୍ଯ୍ୟକଳାପରୁ ପରଦା ହଟାଇଛି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ୟୁପିରୁ କଲିକତା ଓ କଲିକତାରୁ ବସ୍‌ ଯୋଗେ ବନ୍ଧୁକ ଗୁଡ଼ିକୁ ଓଏମ୍‌ପି ଛକରେ ପହଞ୍ଚା ଯାଉଥିଲା। ସେଠାରୁ ଜଣେ ବସ୍‌ ବ୍ୟବସାୟୀ ବନ୍ଧୁକ ଗୁଡ଼ିକୁ ସ˚ପୃକ୍ତ ମଦ ବ୍ୟବସାୟୀଙ୍କୁ ହସ୍ତାନ୍ତର କରୁଥିଲେ। ମଦ ବ୍ୟବସାୟୀମାନେ ଚହଟା ଘାଟ ପାଖରେ ଧଳସାମନ୍ତଙ୍କ ସହଯୋଗୀଙ୍କୁ ବନ୍ଧୁକ ଦେଉଥିଲେ। ଉକ୍ତ ସହଯୋଗୀମାନେ ରଙ୍ଗମିସ୍ତ୍ରି ବେଶ ହୋଇ ରଙ୍ଗ ଡବା ଭିତରେ ବନ୍ଧୁକ ଲୁଚାଇ ଧଳସାମନ୍ତଙ୍କ ଘରେ ପହଞ୍ଚାଉ ଥିଲେ। ଏବେ ମାତ୍ର ଦୁଇ ଜଣ ପୁଲିସ କବ୍‌ଜାକୁ ଆସିଥିବା ବେଳେ ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ କାବୁ କରିବା ପାଇଁ ପୁଲିସ ଚଢାଉ ଆରମ୍ଭ କରିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଯେଉଁଠୁ ଏହି ବଂଧୁକ, ଗୁଳି ଆସୁଥିଲା, ସେ ସଂପର୍କରେ ପୁଲିସ ତଥ୍ୟ ସଂଗ୍ରହ କରିଥିବା ବେଳେ ଖୁବଶୀଘ୍ର ଏକ ଟିମ୍ ସେଠାକୁ ଯିବ ବୋଲି ସୂଚନା ମିଳିଛି। ଅଟକ ଥିବା ଦୁଇ ଜଣ ଶେଖ୍ ବଜାର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ଠାରୁ ପୁଲିସ ଅଧିକ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର