ମା’ଙ୍କ ଶେଷକୃତ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ଚମ୍ପୁଆ : ମା’ ଶେଷକୃତ୍ୟ ସମ୍ପନ୍ନ କରି ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବାରିଆ ଗ୍ରାମ ନିକଟରେ ଦୁର୍ଘଟଣାରେ ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଭଉଣୀ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଚମ୍ପୁଆର ଶରତ ଚନ୍ଦ୍ର ଗିରିଙ୍କ ପତ୍ନୀ ମନୁଶ୍ରୀ ପ୍ରଧାନ (୫୨)। ସେ ଜ୍ୟୋତିପୁର ହାଇସ୍କୁଲ୍‌ର ପ୍ରଧାନଶିକ୍ଷୟିତ୍ରୀ ‌ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଜଣଙ୍କ ହେଲେ ତାଙ୍କ ଭଉଣୀ କରଞ୍ଜିଆର ମାୟାରାଣୀ ପ୍ରଧାନ (୫୭)।

ଗତକାଲି ଉଭୟ ମନୁଶ୍ରୀ ଓ ମାୟାରାଣୀ ମା’ଙ୍କ ଶେଷକୃତ୍ୟ ପାଇଁ ପୁରୀ ସ୍ବର୍ଗଦ୍ଵାର ଯାଇଥିଲେ। ରାତିରେ ଦୁଇ ଭଉଣୀ ପୁରୀରୁ ଏକ କାର୍‌ (ଓଡି-୦୨-ଏଡବ୍ଲ୍ୟୁ-୪୮୫୯)ରେ ଫେରୁଥିବା ବେଳେ ବାରିଆ ଗ୍ରାମ ନିକଟରେ ରାତି ପ୍ରାୟ ୩ଟାବେଳେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ଭୁବନେଶ୍ୱରରୁ ଚମ୍ପୁଆ ଆସୁଥିବା ଏକ ବସ୍ ଡ୍ରାଇଭର ଦୁର୍ଘଟଣା ସମ୍ପର୍କରେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ପହଞ୍ଚି ଉଭୟଙ୍କୁ ଭଣ୍ଡା ଡାକ୍ତରଖାନା ଆଣିଥିଲା। ସେଠାରେ ଡାକ୍ତର ମନୁଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ମାୟାରାଣୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଗାଡ଼ିଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି। ବାରିଆ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା ପଠାଇଛି।

ସମ୍ବନ୍ଧିତ ଖବର