ବିଦ୍ୟାଳୟକୁ ୩ ଲକ୍ଷ ଟଙ୍କା ଦାନ କଲେ ପ୍ରଧାନଶିକ୍ଷକ

ବସ୍ତା-୨: ରୁପସା ଥାନା ଅନ୍ତର୍ଗତ କସିପଦା ପଞ୍ଚାୟତ ହାଇସ୍କୁଲରେ ଅଶୋକାଷ୍ଟମୀ ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନଶିକ୍ଷକ ପର୍ଶୁରାମ ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ପ୍ରତିଷ୍ଠାତା ଭଗବାନ ମହାପାତ୍ର ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ଅନନ୍ତ ସାହୁ, ସିଆରସିସି ମାୟାଧର ବେହେରା ଆଲୁମନି ସଭାପତି ମୃତ୍ୟୁଞ୍ଜୟ ପ୍ରଧାନ, ସରପଞ୍ଚ ଗଙ୍ଗାମଣି ବେହେରା ଓ ସମିତି ସଭ୍ୟା ଭଗବତୀ ପଣ୍ଡା ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା ତାଙ୍କ ବାପା ସ୍ବର୍ଗତ ଦିବାକର ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିଜସ୍ୱ ପାଣ୍ଠିରୁ ମୋ ସ୍କୁଲ ଅଭିଯାନରେ ୩ ଲକ୍ଷ ଏକ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ।

ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ପ୍ରାକ୍ତନ ପ୍ରଧାନଶିକ୍ଷକ ଅନନ୍ତ ସାହୁ ୩୦ ହଜାର ଟଙ୍କା ଦାନ କରିଥିଲେ। ଏହି ସଭାରେ ବିଦ୍ୟାଳୟ ତରଫରୁ ପ୍ରଧାନଶିକ୍ଷକ, ପୂର୍ବତନ ପ୍ରଧାନଶିକ୍ଷକ, ସରପଞ୍ଚ ଗଙ୍ଗାମଣି ବେହେରା ଓ ସମିତି ସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଦ୍ୟାଳୟ ଟି ୬୧୦ ସ୍କିମ ଅନ୍ତର୍ଭୁକ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟ। ଏହାକୁ ୫-ଟିରେ ସାମିଲ କରିବା ପାଇଁ ନୂତନ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ପରିଚାଳନା କମିଟି ଓ ଆଲୁମନି ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର