ରାଜ୍ୟରେ ଟିକାର ଅଭାବ ନେଇ କେନ୍ଦ୍ରକୁ ପୁଣି ଚିଠି ଲେଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ

ଭୁବନେଶ୍ବର: ରାଜ୍ୟରେ କୋଭିଡ-୧୯ ଟିକାର ସ୍ବଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ଯୋଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଥି ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନଙ୍କୁ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ଜରୁରୀକାଳୀନ ଭିତ୍ତିରେ ଯୋଗାଇ ଦେବାକୁ ଚିଠି ଲେଖି ପୁନର୍ବାର ଅନୁରୋଧ କରିଛନ୍ତି। ଏହା ଦ୍ବାରା ସୁରୁଖୁରୁରେ ଟିକାକରଣ ପ୍ରକ୍ରିୟା ଜାରି ରହିପାରିବ।

ସୂଚନାଯୋଗ୍ୟ, ଆଜି ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ୍‌ ଟିକା ଯୋଗାଇ ଦିଆଯାଇଛି। ତା’ ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍‌ କୋଭିସିଲ୍ଡ ଟିକା ହୋଇଥିବା ବେଳେ ଅବଶିଷ୍ଟ ୫ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍‌ ଟିକା ଅଟେ। ବର୍ତ୍ତମାନ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ତଥା ବ୍ଲକସ୍ତରୀୟ ଟିକାକରଣ କେନ୍ଦ୍ରମାନଙ୍କରେ କୌଣସି କୋଭିସିଲ୍ଡ ଟିକା ନ ଥିବା ବେଳେ ୧ ଲକ୍ଷ ୭୪ ହଜାର ୪ ଡୋଜ୍‌ କୋଭିସିଲ୍ଡ ଓ ୨ ଲକ୍ଷ ୪୯ ହଜାର ୧୯୬ ଡୋଜ୍‌ କୋଭାସ୍କିନ ଟିକାର ବଂଟନ ପ୍ରକ୍ରିୟା ଜାରି ରହିଛି।

ରାଜ୍ୟର ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କ୍ଷମତା ରହିଛି। ଏହି ସମୟରେ ରାଜ୍ୟକୁ ମାତ୍ର ୨ରୁ ୩ ଲକ୍ଷ ଡୋଜ୍‌ ଟିକା ମିଳୁଛି। ଏହା ରାଜ୍ୟ ଭାକ୍ସିନ ଷ୍ଟୋରରୁ ଆଂଚଳିକ ଭାକ୍ସିନ ସବସେଣ୍ଟର ଓ ଜିଲ୍ଲା ଭାକ୍ସିନ ସବସେଣ୍ଟରକୁ ପହଂଚିବାକୁ ୩ ଦିନ ସମୟ ଲାଗିଯାଉଛି। ଏଭଳି ଅନିୟମିତ ଟିକା ଯୋଗାଣ ଯୋଗୁଁ କମ୍ୟୁନିଟି ସେଂଟରଗୁଡ଼ିକରେ ଯୋଜନା ମୁତାବକ ଟିକାଦାନ କାର୍ଯ୍ୟକ୍ରମ ସମ୍ଭବ ହୋଇପାରୁ ନାହିଁ।

ସମ୍ବନ୍ଧିତ ଖବର