ହାଇକୋର୍ଟରେ କାଳିଆ ଯୋଜନା ମାମଲାର ଶୁଣାଣି ଘୁଞ୍ଚିଲା, ଉପଯୁକ୍ତ ଖଣ୍ଡପୀଠରେ ଶୁଣାଣି ହେବ

କଟକ : ହାଇକୋର୍ଟରେ କୃଷକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର କରିଥିବା ‘କାଳିଆ’ ଯୋଜନାରେ ସରକାରୀ ତହବିଲରୁ ଯାଇଥିବା ଅର୍ଥ ବାବଦରେ ସ୍ବତନ୍ତ୍ର ଅଡିଟ୍ ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି ଘୁଞ୍ଚିଛି। ଏହି ପ୍ରସଂଗ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା ହୋଇଥିବାବେଳେ ଉପଯୁକ୍ତ ଖଣ୍ଡପୀଠରେ ଶୁଣାଣି ହେବ ବୋଲି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

କାଳିଆ ଯୋଜନା ଖର୍ଚ୍ଚର ଅଡିଟ୍ ପାଇଁ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଇକୋନୋମିକ ଆଣ୍ଡ ରେଭିନ୍ୟୁ ସେକ୍ଟର ଅଡିଟ୍) ୨୦୧୯, ସେପ୍ଟେମ୍ବର ୨୩ରେ ଚିଠି କରିଥିଲେ। ବରିଷ୍ଠ ଅଡିଟ୍ ଅଧିକାରୀ ସ୍ପେଶାଲ ଅଡିଟ୍ କାର୍ଯ୍ୟ ଆରମ୍ଭ କରିଥିଲେ। କେତେକ ବିଭାଗ ସହିତ ସମବାୟ ବିଭାଗକୁ ଚିଠି କରି କାଳିଆ ଯୋଜନା ସଂପର୍କିତ କେତେକ ତଥ୍ୟ ଦାଖଲ ପାଇଁ କହିଥିଲେ। କିନ୍ତୁ ଏହାପରେ ଅଡିଟ ଆଉ ଆଗେଇ ନଥିଲା। ଏ ନେଇ ଆବେଦନକାରୀ ବଲ୍ଲଭ ଚରଣ ସାହୁ ୨୦୨୦, ଜୁନ୍ ୧୫ରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ସେ ହାଇାକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, କୃଷି ବିଭାଗ, ସମବାୟ ବିଭାଗ, ଅର୍ଥ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ପଞ୍ଚାୟତରାଜ ବିଭାଗ, ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅରବିନ୍ଦ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର