ପୁଣି ତାତିଲା ଓଡ଼ିଶା, ୩ ସହରରେ ୪୪ ଡିଗ୍ରି ପାର୍‌

ଭୁବନେଶ୍ବର : କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଫେରିଛି। ଶନିବାର ଦିନ ପଶ୍ଚିମ ଓଡ଼ିଶାର ୩ ସହରର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଥିବା ବେଳେ ସମୁଦାୟ ୧୮ଟି ସହର ୪୦ ଡିଗ୍ରି ଉପରେ ରହିଥିଲା। ସର୍ବୋଚ୍ଚ ତାପମାତ୍ରା ସୋନପୁରଠାରେ ୪୪.୨ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪୪ ଡିଗ୍ରି ରହିଥିଲା। ସେହିପରି ବଡ଼ଗଡ଼‌ରେ ସର୍ବୋଚ୍ଚ ୪୩.୫ ଡିଗ୍ରି ଓ ବଲାଙ୍ଗୀରରେ ୪୩.୨ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟପଟେ ଉପକୂଳ ବି ଧୀରେଧୀରେ ତାତିବା ଆରମ୍ଭ କରିଛି। ବାଲେଶ୍ବରରେ ଶନିବାର ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ରହିଥିଲା। ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓ ଆଭ୍ୟନ୍ତରରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପ ଆଜି ରାଜ୍ୟବାସୀଙ୍କ ସନ୍ତୁଳି ପକାଇଥିଲା। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳର ତାପମାତ୍ରା ଆହୁରି ୨ଡିଗ୍ରି ବଢ଼ିବ ବୋଲି କୁହାଯାଉଛି। ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ଯାଏଁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ ଆସନ୍ତାକାଲି ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। କେଉଁଠାରେ ବି କାଳବୈଶାଖୀ ବର୍ଷା ସମ୍ଭାବନା ନାହିଁ। ଫଳରେ ରାଜ୍ୟର ତାତି କାଲି ଆହୁରି ୨ ଡିଗ୍ରି ବଢ଼ିବ। ୨୩ତାରିଖ ଆଡ଼କୁ ରାଜ୍ୟର ୫ଜିଲ୍ଲା ଯଥା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇପା‌ରେ। ୨୪ ତାରିଖ‌ରେ ସମଗ୍ର ଉପକୂଳ ସମେତ ଆଖପାଖ ଅଞ୍ଚଳରେ wକାଳବୈଶାଖୀଜନିତ ଝଡ଼ବର୍ଷା ହେବ। କିନ୍ତୁ ଏହି ବର୍ଷା ତାତିରୁ ମୁକ୍ତି ଦେବ ନାହିଁ। ଆସନ୍ତା ୫ଦିନ ଯାଏ ତତଲା କଡ଼େଇରେ ସନ୍ତୁଳି ହେବେ ରାଜ୍ୟବାସୀ।

ଶନିବାର ଦିନ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୭.୬ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ୩୭.୮ଡିଗ୍ରି ଥିଲା। ଅନ୍ୟପଟେ କଟକ-ଭୁବନେଶ୍ବରର ଆର୍ଦ୍ରତା (୫୦%ରୁ ଅଧିକ) ରହୁଥିବାରୁ ତାପମାତ୍ରାଠାରୁ ୭ଡିଗ୍ରି ପର୍ଯ୍ୟନ୍ତ ଅଧିକ ଗରମ ଅନୁଭୂତ ହେଉଛି। ସାଧାରଣତଃ ଆର୍ଦ୍ରତା ୫୦%ରୁ ଅଧିକ ରହିଲେ ଗରମ ୬ରୁ ୭ଡିଗ୍ରି ଅଧିକ ଅନୁଭୂତ ହୋଇଥାଏ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର