୫ରୁ ପ୍ରବଳ ବର୍ଷା, ଓଡ଼ିଶା ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର : ପୁଣି ଲେଉଟିବ ବର୍ଷା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ରହୁଛି। ପ୍ରଭାବରେ ୫ ତାରିଖଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ୬ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। ଓଡ଼ିଶାର ଅର୍ଧାଧିକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ଆହୁରି ଆକଳନ କରିଛି ଯେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ତାହାର ପ୍ରଭାବରେ ବର୍ଷା ବଢ଼ିପାରେ। ୫୦ରୁ ୭୫ଟି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ। କିଛି ସ୍ଥାନରେ ୧୦ ସେମିରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ୫ ତାରିଖ ପାଇଁ ପାଣିପାଗ ଉପରେ ଦୃଷ୍ଟି ରଖିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ପ୍ରତି ମୁହୂର୍ତ୍ତ ସଜାଗ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ୬ ତାରିଖ ପାଇଁ କିନ୍ତୁ ଆଲର୍ଟ ଜାରି ହୋଇଛି। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପ୍ରଭାବରେ ବନ୍ୟା ପରିସ୍ଥିତି ବି ସୃଷ୍ଟି ହେବାର ଆଶଙ୍କା ରହୁଛି। ଏଥିପାଇଁ ପ୍ରସ୍ତୁତ ରହିବାକୁ ବି କୁହାଯାଇଛି। ଏହି ସମୟରେ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିବ। ୬ ତାରିଖ ଅପରାହ୍ନ କିମ୍ବା ୭ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଯାହାକି ୩ରୁ ୪ ଦିନ ଧରି ଲାଗି ରହିପାରେ। ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିବ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଉଛି ଏବେ ବି ବର୍ଷା ହେଉଛି। କିନ୍ତୁ ୭ ତାରିଖ ସକାଳୁ ବର୍ଷାର ପରିମାଣ ଟିକିଏ ବଢ଼ିବ। ପ୍ରବଳ ବର୍ଷା ହୋଇପାରେ। ଅତିପ୍ରବଳ ବର୍ଷା ହେବାର ସମ୍ଭାବନା କ୍ଷୀଣ। କିନ୍ତୁ ଯେଉଁ ବର୍ଷା ହେବ ତାହା ବିିସ୍ତୀର୍ଣ୍ଣ ଅଞ୍ଚଳକୁ ପରିବ୍ୟାପ୍ତ ହେବ। ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଲୋକେ ପ୍ରସ୍ତୁତ ରହିବାକୁ ସେମାନେ ମଧ୍ୟ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ସମ୍ବଲପୁର ଓ ବାରିପଦା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଅଳ୍ପ ବର୍ଷା ହୋଇଛି। ସମ୍ବଲପୁରରେ ସର୍ବାଧିକ ୨୧ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୧୬, କଟକରେ ୬, ଚାନ୍ଦବାଲିରେ ୫, ଭୁବନେଶ୍ୱରରେ ୧.୭ ମିମି ବର୍ଷା ହୋଇଛି। ସମସ୍ତ ସହରର ତାପମାତ୍ରା ୩୦ରୁ ୩୫ ଡିଗ୍ର୍ରି ମଧ୍ୟରେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର