ଓଡ଼ିଶାରେ ବିଗୁଡୁଛି ମାଟିର ସ୍ବାସ୍ଥ୍ୟ

ଅତ୍ୟଧିକ ବର୍ଷା ସୃଷ୍ଟି କରୁଛି ବିପଦ, ୭୦%ରେ ପହଞ୍ଚିଲାଣି ଅମ୍ଳମାଟି

ଭୁବନେଶ୍ୱର : ଦିନକୁଦିନ ଓଡ଼ିଶାର ମାଟିର ଲକ୍ଷଣରେ ଅନେକ ପରିବର୍ତ୍ତନ ଦେଖା ଦେଉଛି। ଓଡ଼ିଶାର ମାଟିରେ ବୃଦ୍ଧି ପାଉଥିବା ଅମ୍ଳପ୍ରବଣତା ଚିନ୍ତାର କାରଣ ପାଲଟିଛି। ଦଶବର୍ଷ ତଳେ ଓଡ଼ିଶାରେ ଶତକଡ଼ା ୫୦ ପ୍ରତିଶତରୁ କମ୍ ପରିମାଣର ଅମ୍ଳମାଟି ଥିଲା, ମାତ୍ର ତାହା ଆଜି ବୃଦ୍ଧି ପା‌ଇ ୭୦ ପ୍ରତିଶତରେ ପହଞ୍ଚିଲାଣି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅତ୍ୟଧିକ ବୃଷ୍ଟିପାତ ଓ ମାଟିରେ କେତେକ ରାସାୟନିକ ପରିବର୍ତ୍ତନ ହିଁ ମାଟିର ଅମ୍ଳବୃଦ୍ଧିର କାରଣ। ଆଗାମୀ ଦିନରେ ଅମ୍ଳ ବୃଦ୍ଧି ହିଁ ଓଡ଼ିଶା ଚାଷୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ଠିଆ ହେବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ମୃତ୍ତିକା ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ମୃତ୍ତିକା ବିଶେଷଜ୍ଞ ଡ. ଅନ୍ତର୍ଯାମୀ ମିଶ୍ରଙ୍କ କହିବା ଅନୁସାରେ, ରାଜ୍ୟରେ ଅତ୍ୟଧିକ ବର୍ଷା ଯୋଗୁଁ ଭୂ-ପୃଷ୍ଠର ମାଟିରୁ ଚୂନ ଅଂଶ ଯଥା- କ୍ୟାଲ୍‌ସିୟମ ଓ ମ୍ୟାଗ୍‌ନେସିୟମ ତଳକୁ ଚାଲିଯାଉଛି। ମାଟିରୁ ଚୂନ ଅଂଶ ହ୍ରାସ ପାଇବା ଯୋଗୁଁ ଅମ୍ଳତା ବଢ଼ିଯାଉଛି। ବିଶେଷକରି ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପଶ୍ଚିମ ଓଡ଼ିଶାର ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, କଳାହାଣ୍ଡି, ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଭଳି ପାହାଡ଼ିଆ ଜିଲ୍ଲାର ମାଟିରେ ବୃଦ୍ଧି ପାଉଥିବା ଅମ୍ଳତା ଚିନ୍ତାର କାରଣ ପାଲଟିଛି।

ସେହିଭଳି ଓଡ଼ିଶାରେ ଦେଖାଯାଉଥିବା ନାଲିମାଟିରେ ବୃଦ୍ଧି ପାଉଥିବା ଅମ୍ଳତା‌ ଚିନ୍ତାର କାରଣ ପାଲଟିଛି। ଓଡ଼ିଶାର କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲ୍‌କାନ୍‌ଗିରି, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାରେ ଦେଖାଯାଉଥିବା ଲାଲ୍ ମାଟିରେ ଅଧିକ ମାତ୍ରାରେ ଲୌହ ଅକ୍ସାଇଡ୍‌, କେଓଲିନାଇନ୍‌ ଓ ଇଲାଇଟ୍‌ ଜାତୀୟ କାଦୁଅର ପରିମାଣ ବୃଦ୍ଧି ପାଉଥିବାରୁ ଏଥିରେ ଅମ୍ଳ ପରିମାଣ ବୃଦ୍ଧି ପାଉଛି। ଏ ଧରଣର ମାଟିରେ ଅମ୍ଳ ମାତ୍ରା ବୃଦ୍ଧି ପାଇବା କାରଣରୁ ମାଟି ଜଳଧାରଣ କ୍ଷମତା ହରାଉଛି ଯାହାକି ଚାଷ ପ୍ରତି ବିପଦ ସୃଷ୍ଟି କରିଛି।

ଓଡ଼ିଶାରେ ବାର୍ଷିକ ହାରାହାରି ୧୫୦୦ ମିମି ବୃଷ୍ଟିପାତ ହୋଇଥାଏ। ଯେଉଁବର୍ଷ ସାମୁଦ୍ରିକ ଝଡ଼, ବାତ୍ୟା କାରଣରରୁ ଅଧିକ ବର୍ଷା ହୋଇଥାଏ ସେବର୍ଷ ଚାଷୀଙ୍କ ପାଇଁ ବିପଦ ଦେଖାଦେଇଥାଏ। ୧୯୯୯ ମହାବାତ୍ୟା ବର୍ଷ ଓଡ଼ିଶାର ମାଟିରେ ଅମ୍ଳ ପରିମାଣ ଶତକଡ଼ା ୮୦ ଭାଗ ଛୁଇଁଥିଲା। ଚଳିତବର୍ଷ ହାରାହାରି ବୃଷ୍ଟିପାତଠାରୁ ଅଧିକ ବର୍ଷା ହୋଇଛି। ଏହାପରେ ‘ତିତ୍‌ଲି’ କାରଣରୁ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ପାଇଛି। ଏବର୍ଷ ମାଟିର ଅମ୍ଳ ବୃଦ୍ଧି ପାଇବା ସ୍ବାଭାବିକ ବୋଲି ଡ. ମିଶ୍ର ପୂର୍ବାନୁମାନ କରିଛନ୍ତି। ତେବେ ମାଟିରେ ଅମ୍ଳତା କମାଇବାକୁ ହେଲେ ଚାଷୀଙ୍କୁ ମାଟିରେ କାଗଜକଳ ମଇଳା ବ୍ୟବହାର କରିବାକୁ ଡ. ମିଶ୍ର ପରାମର୍ଶ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର