ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ପାଇଁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୨ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଆସନ୍ତାକାଲି ୩ ଜିଲ୍ଲାରେ ଓ ୧୨ ତାରିଖ ଦିନ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପା‌ଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶାରେ ମୌସୁମୀ ବାୟୁକୁ ସକ୍ରିୟ କରୁଛି। ଲଘୁଚାପଟି ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହା ଓଡ଼ିଶାରେ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। ଫଳରେ ଅଧା ଓଡ଼ିଶାରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଣୁ ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୧୨ ତାରିଖ ଦିନ କଳାହାଣ୍ଡି, ନୂଆପଡ଼ା ସହ କନ୍ଧମାଳ, ବଲାଙ୍ଗୀର, ବରଗଡ଼, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧିତ ଖବର