ହାଇକୋର୍ଟ ବାର୍ ଆସୋସିଏସନ୍ର ବୈଠକ : ପକ୍ଷଭୁକ୍ତ ପାଇଁ ଏକାଧିକ ଇଣ୍ଟରଭେନସନ୍ ପିଟିସନ୍
ସୋମବାର ଅଦାଲତ ଅବମାନନା ମାମଲା ଶୁଣାଣି ପାଇଁ ବସିବ ଫୁଲ ବେଞ୍ଚ୍
କଟକ : ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦର ଜରୁରି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ୧୮ ତାରିଖ ଦିନ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାର୍ ଆସୋସିଏସନ୍ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସଂପର୍କରେ ଆଜି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଆଇନଜୀବୀ ଆନ୍ଦୋଳନ ପ୍ରସଂଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆଇନଜୀବୀମାନେ କୋର୍ଟ ବର୍ଜନ ଜାରି ରଖିଥିବା ବେଳେ ସେହିଦିନ ଅଦାଲତ ଅବମାନନାର ଶୁଣାଣି ସମୟରେ ପକ୍ଷ ରଖାଯିବା ପ୍ରସଂଗରେ ଆଲୋଚନା କରାଯାଇଥିଲା। କେତେକ ବାର୍ ଆସୋସିସନ୍ ଅଦାଲତ ଅବମାନନା ମାମଲାରେ ପକ୍ଷ ରଖିବାକୁ ହାଇକୋର୍ଟ ବାର୍ ଆସୋସିଏସନକୁ ଦାୟିତ୍ବ ଦେଇଥିବା ବେଳେ ଏ ନେଇ ମଧ୍ୟ ଆଜି ଆଲୋଚନା କରାଯାଇଥିଲା। ବରିଷ୍ଠ ଆଇନଜୀବୀଙ୍କ ସହିତ ବିଚାରବିମର୍ଶ ଉପରେ ଗୁରୁତ୍ବାରୋପ କରାଯାଇଥିଲା।
ଏ ସଂପର୍କରେ ସୂଚନା ଦେଇ ହାଇକୋର୍ଟ ବାର ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି ଯେ, ୧୮ ତାରିଖ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଓ ଅଦାଲତ ଅବମାନନା ମାମଲାରେ ବାରର ପକ୍ଷ ରଖିବା ପ୍ରସଂଗରେ ଆଲୋଚନା କରାଯାଇ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯଦି କୌଣସି ଆଇନଜୀବୀ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଚାହାନ୍ତି ତେବେ ସେମାନେ ଇଣ୍ଟରଭେନର ପିଟିସନ୍ ଦାଖଲ କରି ପାରିବେ ବୋଲି ମତ ପ୍ରକାଶ ପାଇଥିଲା। ସୋମବାର ଦିନ ୧ଟା ୧୫ରେ ଦିନ ବସିବାକୁ ଥିବା ସାଧାରଣ ପରିଷଦର ପରବର୍ତ୍ତୀ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାନ୍ତି ସୂଚନା କହିଛନ୍ତି।
ଅନ୍ୟପକ୍ଷରେ କଟକର ଅନ୍ୟ ପ୍ରମୁଖ ଆଇନଜୀବୀ ସଂଘ କଟକ ବାର୍ ଆସୋସିଏସନ, କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍, ଏମ୍ଭି ଲୟର୍ସ ଆସୋସିଏସନ ଓ ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ଆସୋସିଏନର ମିଳିତ ବୈଠକରେ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ କୋର୍ଟ ବର୍ଜନ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଅକ୍ଟୋବର ୨୧ ତାରିଖ ଦିନ ୧୦ଟା ୩୦ରେ ମୁଖ୍ୟ ବିଚାରପତି ଓ ଅନ୍ୟ ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ଫୁଲବେଞ୍ଚରେ ଆଇନଜୀବୀ ଆନ୍ଦୋଳନ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ସାପ୍ତାହିକ ତାଲିକାରୁ ଜଣାପଡିଛି। ଏହି ମାମଲାରେ କେତେକ ବ୍ୟକ୍ତିବିଶେଷ ପକ୍ଷଭୁକ୍ତ ହେବା ପାଇଁ ଇଣ୍ଟରଭେନ୍ସନ୍ ପିଟିସନ୍ ଦାଖଲ କରିଥିବା ଜଣାପଡିଛି। ଏପରି ୧୩ଟି ପିଟିସନ୍ ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ଆଇନଜୀବୀ ଥିବା ସୂଚନା ମିଳିଛି। ଏହି ଇଣ୍ଟରଭେନ୍ସନ୍ ପିଟିସନ୍ ଗୁଡିକ ମଧ୍ୟ ସୋମବାର ଦିନ ମୂଳ ମାମଲା ସହିତ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବା ପ୍ରକାଶିତ ତାଲିକାରୁ ଜଣାପଡିଛି।
ପ୍ରକାଶଥାଉକି, ବିଚାରପତି ନିଯୁକ୍ତି ପ୍ରସଂଗରେ କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଆନ୍ଦୋଳନ କରାଯାଉଛି।