ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଆଶ୍ବସ୍ତି

କଟକ : ଶେଷରେ ଝାରସୁଗୁଡା ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କୁ ମିଳିଲା ଆଶ୍ବସ୍ତି। ହାଇକୋର୍ଟଙ୍କ ନିର୍ଦେଶନାମା ଉଲ୍ଲଂଘନ ଅଭିଯୋଗରେ ଗତ ୧୪ତାରିଖରେ ଅଦାଲତଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। ମାତ୍ର ହାଇକୋର୍ଟ ଆଜି ଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବ୍ୟକ୍ତିଗତ ହାଜିରାରୁ ଜିଲ୍ଲାପାଳଙ୍କୁ ହାଇକୋର୍ଟରୁ ଛାଡ ମିଳିଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କୁ ମଦ ଦୋକାନ ପାଇଁ ଲାଇସେନ୍ସ ମଞ୍ଜୁର ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁ ‌େଦାକାନ ଖୋଲି ପାରି ନଥିଲେ। ଦୋକାନ ଖୋଲି ନଥିବା ଅବଧି ପାଇଁ ତାଙ୍କ ନିକଟରୁ କିନ୍ତୁ ଅବକାରୀ ବିଭାଗ ଦେୟ ଦାବି କରିଥିଲା। ଅବକାରୀ ବିଭାଗର ଏପରି ପଦକ୍ଷେପକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯, ମାର୍ଚ୍ଚ ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ନୋଟିସ ଜାରି କରିବା ସହିତ ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଏହା ପରେ ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତାଙ୍କ ଲାଇସେନ୍ସ ବାତିଲ ପାଇଁ ପଦକ୍ଷେପ ନିଆଯାଇଥିଲା। ମାତ୍ର ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନ କରି ଝାରସୁଗୁଡା ଜିଲ୍ଲାପାଳ ୨୦୧୯, ଏପ୍ରିଲ ୨୫ରେ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ ଦର୍ଶାଇ ଆବେଦନକାରୀ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜୁଲାଇ ୩୦ରେ ମାମଲାର ଶୁଣାଣି କରି ହାଇକୋର୍ଟ ଜିଲ୍ଲାପାଳଙ୍କ ଏପ୍ରିଲ ୨୫ ନିର୍ଦ୍ଦେଶନାମା ଉପରେ ରହିତାଦେଶ ଜାରି କରିବା ସହିତ ଅଗଷ୍ଟ ୧୩ରେ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ହାଜର ହୋଇଥିଲେ। ମାତ୍ର ଶୁଣାଣି ବେଳେ ଜିଲ୍ଲାପାଳ ପୂର୍ବ ନିର୍ଦେଶ ଉଲ୍ଲଂଘନ ହେଇଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ତାଙ୍କୁ ଚାକିରିରୁ ନିଲମ୍ବନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ, ସରକାର ଗତ ୧୪ତାରିଖରେ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ନିଲମ୍ବିତ କରିଥିଲେ। କେ.ବି.ପଟ୍ଟନାୟକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର