ବିଚାରବିଭାଗୀୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ସପକ୍ଷରେ ହାଇକୋର୍ଟଙ୍କ ରାୟ

କଟକ : ବାଧ୍ୟତାମୂଳକ ଅବସର ପ୍ରଦାନର ଉଦ୍ଦେଶ୍ୟ ହେଉଛି ଅଦରକାରୀ, ଦୁର୍ନୀତିଗ୍ରସ୍ତଙ୍କୁ ବାହାର କରିବା। ଯଦି ଜଣେ ସଚ୍ଚୋଟ ଓ ସାଧୁ ବିଚାରବିଭାଗୀୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଏ ତେବେ ଏହା ଅନ୍ୟ ସହକର୍ମୀଙ୍କ ଆତ୍ମବିଶ୍ବାସ ଓ ମାନସିକ ଦୃଢତାକୁ କମ୍ କରିବାର ସମ୍ଭାବନା ରହିଛି ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ନିର୍ଦ୍ଧାରିତ ମାନଦଣ୍ଡ ଓ ଆଶା ଅନୁଯାୟୀ ଦକ୍ଷତା ପ୍ରଦର୍ଶନ କରୁ ନଥିବା ବିଚାରବିଭାଗୀୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଜଣେ ବିଚାରବିଭାଗୀୟ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି। ଏଥିସହିତ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.‌ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ୧୯୯୭, ନଭେମ୍ବର ୧୭ରେ  ପ୍ରୋବେସନାରି ମୁନସଫ୍ ଭାବେ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସିଭିଲ ଜଜ୍ (ଜୁନିୟର ଡିଭିଜନ) ଓ ଜେଏମଏଫସି ଭାବେ ସେ କାର୍ଯ୍ୟ କରିଥିଲେ। ମୋଟୁରେ ଜେଏମଏଫସି ଭାବେ କାର୍ଯ୍ୟ କରୁଥିବା ବେଳେ ଆବେଦନକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା। ଏ ନେଇ ୨୦୧୨, ଅଗଷ୍ଟ ୨୩ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର