ହୀରାକୁଦ ସୁରକ୍ଷା ଚିନ୍ତା : ଅତିରିକ୍ତ ସ୍ପିଲ୍ ଓ୍ଵ ପାଇଁ ପରିବେଶ ମଂଜୁରି
ଅତିରିକ୍ତ ସ୍ପିଲ୍ ଓ୍ଵରେ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା
ସମ୍ବଲପୁର : ହୀରାକୁଦ ବନ୍ଧ ସୁରକ୍ଷା ପାଇଁ ଉଭୟ ବାମ ଓ ଡାହାଣ ପାର୍ଶ୍ୱରେ ଅତିରିକ୍ତ ସ୍ପିଲ୍ େଓ୍ଵ ନିର୍ମାଣ ନିମନ୍ତେ ପରିବେଶ ମଂଜୁରି ମିଳିଛି। ଏଥିରେ ମୋଟ ୧୩ଟି ଗେଟ୍ ରହିବ। ହୀରାକୁଦ ପଟେ ୫ଟି ଓ ବୁର୍ଲା ପଟେ ୮ଟି ଗେଟ୍ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ହୀରାକୁଦ ବନ୍ଧରୁ ବର୍ତମାନ ଏକ ସଂଗରେ ୧୫ଲକ୍ଷ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ରହିଛି। ହୀରାକୁଦ ବନ୍ଧର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଅପର୍ ମହାନଦୀ ବେସିନ୍ର ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଆହୁରି ୮ ଲକ୍ଷ ୧ ହଜାର ୫୧୬.୭୬ କ୍ୟୁସେକ ଜଳ ନିଷ୍କାସନ କ୍ଷମତା ବିଶିଷ୍ଟ ୧୩ଟି ସ୍ଲୁଇସ୍ ଗେଟ ନିର୍ମାଣ ନିମନ୍ତେ କେନ୍ଦ୍ରକୁ ଆବେଦନ କରିଥିଲେ। ଏହି ଆବେଦନ ଉପରେ ବିଚାର କରି କେନ୍ଦ୍ର ଜଂଗଲ ଓ ପରିବେଶ ବିଭାଗ ବିଧିବଦ୍ଧ ମଂଜୁରି ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଡ୍ୟାମ୍ର ବାମ ପାର୍ଶ୍ୱ (ହୀରାକୁଦ ସହର ଗାନ୍ଧୀ ପାହାଡ଼ ପଟ)ରେ ଅତିରିକ୍ତ ସ୍ପିଲେଓ୍ଵର ୫ଟି ସ୍ଲୁଇସ୍ ଗେଟ୍ ଏବଂ ଡାହାଣ ପାର୍ଶ୍ୱ (ବୁର୍ଲା ସହର ପାର୍ଶ୍ୱ)ରେ ଅତିରିକ୍ତ ସ୍ପିଲେଓ୍ଵର ୮ଟି ସ୍ଲୁଇସ୍ ଗେଟ୍ ନିର୍ମାଣ ପାଇଁ ପରିବେଶ ମଂଜୁରି ମିଳିଛି। ବାମ ପାର୍ଶ୍ୱ ଅତିରିକ୍ତ ସ୍ପିଲେଓ୍ଵରେ ୩,୨୨,୧୮୯.୦୪କ୍ୟୁସେକ ଓ ଡାହାଣ ପାର୍ଶ୍ୱ ଅତିରିକ୍ତ ସ୍ପିଲେଓ୍ଵରେ ୪,୭୯,୩୨୭.୭୬ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି। ବାମ ପାର୍ଶ୍ୱରେ ଅତିରିକ୍ତ ସ୍ପିଲେଓ୍ଵ ନିର୍ମାଣ କାର୍ଯ୍ୟ ଆଗେଇବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଡାହାଣ ପାର୍ଶ୍ୱରେ ଅତିରିକ୍ତ ସ୍ପିଲେଓ୍ଵ ନିର୍ମାଣ ନିମନ୍ତେ ତୁରନ୍ତ କାମ ଆରମ୍ଭ କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଜଳ ଆୟୋଗ, ‘ଡ୍ରିପ୍’ର ଏଜିସ ପରାମର୍ଶଦାତା ଓ ବିଶ୍ୱବ୍ୟାଙ୍କର ମିଳିିତ ଟିମ୍ ୨୦୧୫ରେ ହୀରାକୁଦ ବନ୍ଧ ନିରୀକ୍ଷଣ ପରେ ଅତିରିକ୍ତି ସ୍ପିଲେଓ୍ଵ ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ। ବାମ ପାର୍ଶ୍ୱରେ ଅତିରିକ୍ତ ସ୍ପିଲେଓ୍ଵ ନିର୍ମାଣ ନିମନ୍ତେ ଗତ ୨୦ ଜୁଲାଇ ୨୦୧୮ରେ ଅଶୋକ ନିବାସରେ ଟାଟା ପ୍ରୋଜେକ୍ଟ ଏବଂ ହୀରାକୁଦ ବନ୍ଧ କର୍ତୃପକ୍ଷଙ୍କ ମଧ୍ୟରେ ବିଧିବଦ୍ଧ ଭାବେ ଚୁକ୍ତି ସ୍ୱାକ୍ଷର ହୋଇଛି। ସ୍ପିଲ୍ େଓ୍ଵ ନିର୍ମାଣ ପାଇଁ ୩୦ ମାସର ଅବଧି ରଖାଯାଇଛି। ସ୍ପିଲେଓ୍ଵ ନିର୍ମାଣରେ ବିଶେଷ ଅଭିଜ୍ଞତା ରହିଥିବା ତୁର୍କୀର ‘ଏଜ’ କଂପାନି ଟାଟାକୁ ବୈଷୟିକ ସହାୟତା ଯୋଗାଇବ। ଟାଟା ପକ୍ଷରୁ ଅସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କାମ ଆରମ୍ଭ କରି ଦେଇଥିବା ବେଳେ ଥଇଥାନ କରାଯାଇନଥିବାରୁ ହୀରାକୁଦ ବନ୍ଧ ତଳେ ଜଳ ସଂପଦ ବିଭାଗର ଜମିରେ ଘର କରି ରହୁଥିବ ୭୧୬ ପରିବାର ଲୋକେ ଏହାର ବିରୋଧ କରୁଛନ୍ତି। ତେବେ ଶିଘ୍ର ଏହାର ସମାଧାନ ହୋଇଯିବ ବୋଲି ମୁଖ୍ୟଯନ୍ତ୍ରୀ ଇଂ. ରଥ କହିଛନ୍ତି।