ଚାଷୀ ଆନ୍ଦୋଳନର ଐତିହାସିକ ବିଜୟ: ନବନିର୍ମାଣ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ୩ କୃଷି ବିରୋଧୀ ଆଇନକୁ ଆଗାମୀ ସଂସଦ ଅଧିବେଶନରେ ପ୍ରତ୍ୟାହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ଏହା ହେଉଛି ଚାଷୀ ଆନ୍ଦୋଳନର ନୈତିକ ଓ ଐତିହାସିକ ବିଜୟ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।

ଆଜି ସଂଗଠନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ, ଘରୋଇ ମଣ୍ଡି ମାଧ୍ୟମରେ ଏମ୍‌ଏସ୍‌ପିକୁ ଶେଷ କରିବା, କୃଷି କ୍ଷେତ୍ରକୁ ଘରୋଇ ସଂସ୍ଥା ହାତକୁ ଠିକା ଚାଷ ଜରିଆରେ ଟେକି ଦେବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନକୁ ସମାପ୍ତ କରିବାକୁ ସରକାର ଆଇନ ଆଣିଥିଲେ। ହେଲେ ୧୧ମାସ ଧରି ଦେଶର ଚାଷୀମାନେ ଦିଲ୍ଲୀରେ ବସି ରହିବା, ବାରମ୍ବାର ଭାରତ ବନ୍ଦ ଡାକରା ଓ ଶାନ୍ତିପୂର୍ଣ୍ଣ ମହା ପଞ୍ଚାୟତ ଆୟୋଜନ ପରେ ସରକାର ଚାଷୀ ଆନ୍ଦୋଳନ ଚାପକୁ ହୃଦୟଙ୍ଗମ କରି ୩ ଆଇନକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି। ଏଥିରେ ପଞ୍ଜାବ, ହରିୟାଣା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶର ଚାଷୀ ନେତୃତ୍ବ ସହ ରାଜସ୍ଥାନ ଓ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଆନ୍ଦୋଳନର ଅବଦାନ ରହିଛି।

ତେବେ ଚାଷୀ ଆନ୍ଦୋଳନରେ ୭୫୦ ଚାଷୀଙ୍କ ବଳିଦାନ ଓ ହଜାର ହଜାର କୃଷକ ବର୍ଷାଧିକ କାଳ ଯେଉଁ ତ୍ୟାଗ ସ୍ବୀକାର କରି ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଥିଲେ ତାହାର ପରିଣାମ ସ୍ବରୂପ ସରକାର ହାର ମାନିବାକୁ ବାଧ୍ୟ ହେଲେ। ସଂସଦରେ ଏହି ଆଇନ ରଦ୍ଦ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଚାଷୀମାନେ ଓହରିବେ ନାହିଁ ବୋଲି ସଂଯୁକ୍ତ କିଷାନ ମୋର୍ଚାର ନିଷ୍ପତ୍ତିକୁ ନବନିର୍ମାଣ ସମର୍ଥନ ଜଣାଉଛି। ଏମ୍‌ଏସ୍‌ପିକୁ ଆଇନର ପରିସରକୁ ଆଣିବା ପାଇଁ ଚାଷୀଙ୍କ ଦାବି ଉପରେ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଓ ସୁରେନ୍ଦ୍ରନାଥ ମହାରଣା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର