ହୋମଗାର୍ଡଙ୍କୁ ପିଟିଲେ କନ୍‌‌ଷ୍ଟେବଳ : କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଧାରଣା

ପାରାଦୀପ : ପାରାଦୀପ ଲକ୍‌ ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଟ୍ରାଫିକ୍‌ ସମ୍ଭାଳୁ ଥିବା ଜଣେ ହୋମଗାର୍ଡଙ୍କୁ ଜଣେ କନ୍‌‌େଷ୍ଟବଳ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏ ନେଇ ହୋମଗାର୍ଡ ଜଣକ କନେଷ୍ଟବଳଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯାଇ ମାଡ଼ ମାରିଥିବା କନେଷ୍ଟବଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ପାରାଦୀପ ଲକ୍‌ ଥାନାରେ କାର୍ଯ୍ୟରତ ହୋମଗାର୍ଡମାନେ ଧାରଣା ଦେଇଛନ୍ତି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ସେମାନେ ଧାରଣାରୁ ଉଠିଥିଲେ।

ମାଡ଼ ଖାଇଥିବା ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପାରାଦୀପ-ଚଣ୍ତିଖୋଲ ଜାତୀୟ ରାଜପଥରେ ସେ ଟ୍ରାଫିକ୍‌ ବ୍ୟବସ୍ଥା ତଦାରଖ ଦାୟିତ୍ବରେ ଥିଲେ। ଏହି ସମୟରେ ଲକ୍‌ ଥାନାର ସେଣ୍ଟ୍ରି ଦାୟିତ୍ବରେ ଥିବା କନେଷ୍ଟବଳ ଧର୍ମେନ୍ଦ୍ର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଥିଲେ। ଟ୍ରକ୍‌ ଗୁଡ଼ିକୁ କେଉଁ କାରଣରୁ ଅନ୍ୟ ପାର୍ଶ୍ବକୁ ଆଣୁଛୁ ବୋଲି ସେ ରାଜେନ୍ଦ୍ରଙ୍କୁ ପଚାରି ଥିଲେ। ବେଆଇନ ଭାବେ ଓଭରଟେକ୍‌ କରୁଥିବା ଟ୍ରକ୍‌ ଗୁଡ଼ିକୁ ଅଟକ ରଖି ରାସ୍ତାରେ ଅନ୍ୟ ପାର୍ଶ୍ବକୁ ଆଣିବା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି ବୋଲି ରାଜେନ୍ଦ୍ର ଉତ୍ତର ଦେଇଥିଲେ। ପରେ ଏହାକୁ ନେଇ ଉଭୟଙ୍କ ମଧୢରେ ପାଟିତୁଣ୍ତ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଧର୍ମେନ୍ଦ୍ର ତାଙ୍କୁ ଆକ୍ରମଣ କରିଥିଲେ। ନିକଟରେ ପଡ଼ିଥିବା ଏକ ଲୁହା ପାଇପରେ ସେ ରାଜେନ୍ଦ୍ରଙ୍କୁ ପିଟିଥିଲେ। ବୋଲି ରାଜେନ୍ଦ୍ର ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର