ରାଜ୍ୟରେ ବନ୍ଦ ହେବ ହଜାରେ ହାଇସ୍କୁଲ!
ସରକାରଙ୍କୁ ପ୍ରସ୍ତାବ ଦେଲେ ମାଧ୍ୟମିକ ଶିକ୍ଷା ନିର୍ଦେଶକ
କ୍ଷତିଗ୍ରସ୍ତ ହେବ ୫୦୪୫ରୁ ଅଧିକ ବିଦ୍ୟାଳୟ
ସବୁ ସ୍କୁଲକୁ ସରକାରୀ କରାଯାଉ: ଓଷ୍ଟା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ପ୍ରାଥମିକ ବିଦ୍ୟାଳୟ ପରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ, ଉଚ୍ଚ ପ୍ରାଥମିକ, ମଦ୍ରାସା ଓ ସଂସ୍କୃତ ଟୋଲ୍ଗୁଡ଼ିକୁ କ୍ଲୋଜର (ବନ୍ଦ), ମର୍ଜର (ମିଶ୍ରଣ) ଓ ପୁନର୍ଗଠନ(ରେସ୍ନାଲାଇଜେସନ୍) କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପିଲାସଂଖ୍ୟା, ପରୀକ୍ଷା ଫଳ, ଭିତ୍ତିଭୂମି ଆଦିକୁ ଭିତ୍ତିକରି ଅନୁଦାନଭୁକ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ଓ ମିଶ୍ରଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି। ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ରାଜ୍ୟର ପ୍ରାୟ ୧୩୫୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ୩୬୯୫ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଅର୍ଥାତ୍ ମୋଟ ୫୦୪୫ ବିଦ୍ୟାଳୟ କ୍ଷତିଗ୍ରସ୍ତ ହେବ। ହଜାରରୁ ଅଧିକ ହାଇସ୍କୁଲ ବନ୍ଦ ହେବା ସମ୍ଭାବନା ରହିଛି।
ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଉକ୍ତ ଡ୍ରାଫ୍ଟ ରିପୋର୍ଟ ଆଧାରରେ ରାଜ୍ୟ ସରକାର ସ୍କୁଲ ସଂଖ୍ୟା କମାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି। ବିଦ୍ୟାଳୟ ବନ୍ଦ ବା ମିଶ୍ରଣ ହେଲେ ଶିକ୍ଷକ କର୍ମଚାରୀଙ୍କ ଭବିଷ୍ୟତ ସମ୍ପର୍କରେ ଯାହା କୁହାଯାଇଛି, ତାହା ସେମାନଙ୍କୁ ମହରଗରୁ ନେଇ କାନ୍ତାରରେ ପକାଇବ। ପିଲା ସଂଖ୍ୟା ଓ ପରୀକ୍ଷା ଫଳ ଆଧାରରେ ସ୍କୁଲ ବନ୍ଦ କଲା ବେଳେ ଏକାଧାରରେ ତିନିବର୍ଷର ଖରାପ ପ୍ରଦର୍ଶନ କିମ୍ବା ପିଲାସଂଖ୍ୟା ହ୍ରାସକୁ ଗୁରୁତ୍ୱ ନ ଦେଇ ଗୋଟିଏ ବର୍ଷ ପରୀକ୍ଷାଫଳ ଖରାପ ହେଲେ କିମ୍ବା ପିଲାସଂଖ୍ୟା ହ୍ରାସ ପାଇଲେ ସ୍କୁଲ ବନ୍ଦ କରିଦେବା ପାଇଁ ପ୍ରସ୍ତାବ ଦିଆଯାଇଛି। ବନ୍ଦ ହୋଇଥିବା ବିଦ୍ୟାଳୟର ଶିକ୍ଷକ, କର୍ମଚାରୀଙ୍କୁ କେବଳ ସେହି ବର୍ଗରେ ଖାଲିଥିବା ସ୍ଥାନରେ ଅବସ୍ଥାପିତ କରିବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା ମଧ୍ୟ ଏକ ସଂକୁଚିତ ପ୍ରସ୍ତାବ। ବାଳିକା, ଶିକ୍ଷାରେ ଅନଗ୍ରସର ଜିଲ୍ଲା ଓ ସୀମାନ୍ତ ଅଞ୍ଚଳରେ ପ୍ରତିଷ୍ଠିତ ବିଦ୍ୟାଳୟ ପାଇଁ କୌଣସି କୋହଳ ନୀତି ଗ୍ରହଣ କରାଯାଇନାହିଁ।
ସେ କହିଛନ୍ତି ଯେ ଗତ କିଛି ଦିନ ଧରି ରାଜ୍ୟ ସରକାର ଶିକ୍ଷାମାରଣ ନୀତି ଆପଣାଇଛନ୍ତି। ପିଲା ସଂଖ୍ୟାକୁ ଆଧାର କରି ପ୍ରାୟ ୧୫ହଜାର ପ୍ରାଥମିକ ବିଦ୍ୟାଳୟକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରୁଥିଲେ। ତେବେ ରାଜ୍ୟର ଅଗଣିତ ଶିକ୍ଷାପ୍ରେମୀ ତଥା ବିଭିନ୍ନ ରାଜନୈତିକ ଦଳ, ଅଭିଭାବକ ଓ ଶିକ୍ଷକ ସଙ୍ଗଠନଙ୍କ ପ୍ରବଳ ଚାପ ପରେ ପିଲା ସଂଖ୍ୟାକୁ ସଂଶୋଧନ କଲେ। ତଥାପି ପ୍ରାୟ ସାତ ହଜାର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଗଲା। ଏବେ ଅନୁଦାନପ୍ରାପ୍ତ ମାଧ୍ୟମିକ, ଉଚ୍ଚ ପ୍ରାଥମିକ, ସଂସ୍କୃତ ଓ ମଦ୍ରାସା ବିଦ୍ୟାଳୟଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସରକାରଙ୍କର ଏହି ଲକ୍ଷ୍ୟ କେବଳ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସଙ୍କୁଚିତ କରିବ ନାହିଁ, ବରଂ ବିଜୁବାବୁଙ୍କ ଦ୍ୱାରା ପ୍ରଣୀତ ଅନୁଦାନ ନୀତିକୁ ସମ୍ପୂର୍ଣ୍ଣ ରୂପେ କବର ଦେବା ପାଇଁ ଉଦ୍ଦିଷ୍ଟ। ରାଜ୍ୟ ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ କହିଛନ୍ତି ଯେ ରେସନାଲାଇଜେସନ୍ ପୂର୍ବରୁ ସବୁ ସ୍କୁଲକୁ ସରକାରୀକରଣ କରାଯାଉ। ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ପ୍ରଦାନ, ପଞ୍ଚାୟତର ପ୍ରଥମ ଓ ଏକମାତ୍ର ବିଦ୍ୟାଳୟକୁ ମିଶ୍ରଣ ପ୍ରକ୍ରିୟାରୁ ବାଦ୍ ଦିଆଯାଉ। ଶିକ୍ଷା ଅନଗ୍ରସର, ବାଳିକା ଓ ସୀମାନ୍ତବର୍ତ୍ତୀ ବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହୁ। ମିଶ୍ରଣ ପରେ ଶିକ୍ଷକ କର୍ମଚାରୀମାନଙ୍କୁ ଭିନ୍ନଭିନ୍ନ ବର୍ଗ ନିର୍ବିଶେଷରେ ନିକଟସ୍ଥ ଯେକୌଣସି ବର୍ଗର ବିଦ୍ୟାଳୟରେ ଅବସ୍ଥାପିତ କରାଯାଉ। ବିଦ୍ୟାଳୟ ନିକଟରେ ଘରୋଇ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆ ନଯାଉ। ବିଦ୍ୟାଳୟ ଥିବା ପଞ୍ଚାୟତରେ ଉନ୍ନୀତ ବିଦ୍ୟାଳୟ ଖୋଲା ନଯାଉ। ଏହା କରାଗଲେ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରାଯାଇପାରିବ।