ବିସ୍ଥାପିତଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ଗୃହ କମିଟି ବୈଠକ

ଭୁବନେଶ୍ବର : ବିଭିନ୍ନ ଜଳସେଚନ ପ୍ରକଳ୍ପ, ଖଣି ପ୍ରକଳ୍ପ ଓ ଶିଳ୍ପ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହେଉଥିବା ଜନସାଧାରଣଙ୍କ ସମସ୍ୟାର ଅନୁଧ୍ୟାନ ତଥା ସେମାନଙ୍କ ଥଇଥାନ ପାଇଁ ପନ୍ଥା ନିର୍ଦ୍ଧାରଣ କରିବାକୁ ଆଜି ବିଧାନସଭା ଗୃହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସୁବର୍ଣ୍ଣରେଖା, ରେଙ୍ଗାଲୀ, ଇନ୍ଦ୍ରାବତୀ, ଅପରକୋଲାବ ଜଳସେଚନ ପ୍ରକଳ୍ପ ଏବଂ ସଇଁତଳା ଗୋଳାବାରୁଦ କାରଖାନା ଦ୍ବାରା ବିସ୍ଥାପିତ ହୋଇଥିବା ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ୧୯୯୧ ମସିହା ସେପ୍ଟେମ୍ବର ୧୯ ତାରିଖରେ ତତ୍‌କାଳୀନ ଗୃହ କମିଟି ଅପରକୋଲାବ ଓ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଯୋଗୁ ବିସ୍ଥାପିତଙ୍କ ବାସ୍ତବ ସମସ୍ୟା ଉପରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରିଥିଲେ। ୧୯୯୨ ମସିହା ନଭେମ୍ବର ୧୧ ତାରିଖରେ ରେଙ୍ଗାଲି ଓ ସୁବର୍ଣ୍ଣରେଖା ଜଳ‌ସେଚନ ପ୍ରକଳ୍ପର ବିସ୍ଥାପିତଙ୍କ ଉପରେ ରିପୋର୍ଟ ପ୍ରଦାନ କରିଥିଲେ। ୨୦୦୦ ମସିହାରୁ ଦ୍ବାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ ଓ ପଞ୍ଚଦଶ ବିଧାନସଭାରେ ଗୃହ କମିଟି ଗଠିତ ହୋଇ ଆସୁଛି ଏବଂ ବିସ୍ଥାପିତଙ୍କ ସମସ୍ୟା ଓ ତା’ର ସମାଧାନର ନିରନ୍ତର ଦୃଷ୍ଟି ଦେଇ ଆସିଛି। ବିସ୍ଥାପିତଙ୍କ ସମସ୍ୟାର ଆଶୁ ସମାଧାନ ପାଇଁ ସଦସ୍ୟମାନେ ଦାବି କରିଥିଲେ। ବୈଠକରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ପଶୁର୍ରାମ ଧଡ଼ା, ପ୍ରଶାନ୍ତ ଜଗଦ୍ଦେବ, କିଶୋର କୁମାର ମହାନ୍ତି ଓ ବିଧାନସଭା‌ ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର