କେମିତି ଚାଲିବ ସରକାରୀ ଓଡ଼ିଆ ସ୍କୁଲ? ଏଇ ମାସ‌ରେ ଅବସର ନେବେ ୪ଶହ ଶିକ୍ଷକ, ଅନୁଦାନପ୍ରାପ୍ତ ସ୍କୁଲ୍ ସ୍ଥିତି ସାଂଘାତିକ

କଟକ : ମୁଣ୍ଡ ଉପରେ ମାଟ୍ରିକ୍ ପରୀକ୍ଷା। ଏପଟେ ଶିକ୍ଷାବର୍ଷ ସରିଲା ବେଳକୁ ସ୍କୁଲ ଖୋଲୁଛି। ଏଭଳି ସ୍ଥିତିରେ କିନ୍ତୁ ଫେବ୍ରୁଆରି ମାସରେ ୪ଶହରୁ ଅଧିକ ସରକାରୀ ସ୍କୁଲ ଶିକ୍ଷକ ଅବସର ନେବାକୁ ଯାଉଛନ୍ତି। ପୂର୍ବରୁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକ ପଦ ଖାଲି ପଡ଼ିଥିବାବେଳେ ମାର୍ଚ୍ଚ ପରେ ବିଭିନ୍ନ ସ୍କୁଲରେ ପାଠପଢା କେମିତି ହେବ, ତାହାକୁ ନେଇ ଚିନ୍ତା ବଢିଛି। ଘରୋଇ ଅନୁଦାନପ୍ରାପ୍ତ ସ୍କୁଲର ସ୍ଥିତି ତ ଆହୁରି ସାଂଘାତିକ। ଫଳରେ କେତେକ ସ୍କୁଲରେ ଏବେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦେଇ କାମଚଳାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ସରକାରୀ ସ୍କୁଲରେ ପାଠପଢା ବ୍ୟବସ୍ଥା ଭୁଶୁଡ଼ି ପଡିବା ଆଶଙ୍କା ସୃଷ୍ଟି ହୋଇଛି।

ଆସନ୍ତା ୨୮ ତାରିଖରୁ ବିଦ୍ୟାଳୟରେ ସ୍ବାଭାବିକ ପାଠପଢା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୮ ତାରିଖ ସୁଦ୍ଧା ରାଜ୍ୟରେ ୪ଶହରୁ ଅଧିକ ଶିକ୍ଷକ ଅବସର ନେବେ। ସେଥିରେ କଟକ ଜିଲ୍ଲାର ବିଭିନ୍ନ ହାଇସ୍କୁଲରୁ ୪ଜଣ ପ୍ରଧାନଶିକ୍ଷକଙ୍କ ସମେତ ୧୭ଜଣ ଶିକ୍ଷକ ଅଛନ୍ତି। ରାଜ୍ୟର ହାତଗଣତି କେତୋଟି ହାଇସ୍କୁଲକୁ ବାଦ୍‌ଦେଲେ ରାଜ୍ୟର ପ୍ରାୟ ସବୁ ହାଇସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଛି। ସରକାର ଦୁଇ ମାସ ତଳେ କ୍ଲାସିକାଲ ଟିଚର (ହିନ୍ଦୀ, ସଂସ୍କୃତ ଶିକ୍ଷକ) ପଦ କିଛି ଅଂଶରେ ପୂରଣ ‌କରିଛନ୍ତି। କିନ୍ତୁ ଗଣିତ, ବିଜ୍ଞାନ, କଳା ଶିକ୍ଷକ ପଦବି ପୂର୍ବଭଳି ଖାଲିପଡ଼ିଛି। ଫେବ୍ରୁଆରି ୨୮ ତାରିଖରେ ଶିକ୍ଷକମାନଙ୍କ ଅବସର ପରେ ସ୍ଥିତି ଆହୁରି ଜଟିଳ ହେବ।

ଏ ସଂକ୍ରାନ୍ତରେ କଟକ ଜିଲ୍ଲା ଶିକ୍ଷାଧିକାରୀ କୃ୍ଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ ସରକାରୀ ନିୟମ ଅନୁସାରେ ‌ଯେଉଁମାନଙ୍କ କାର୍ଯ୍ୟକାଳ ସରିବ, ସେମାନେ ଅବସର ନେବେ। କିନ୍ତୁ ଏମାନଙ୍କ ସ୍ଥାନରେ ଅତିଥି ଶିକ୍ଷକ ନିଯୁକ୍ତି ଦେବାକୁ ଯୋଜନା ରହିଛି। ପଞ୍ଚାୟତ ନିର୍ବାଚନ ପାଇଁ ଏହା ଅଟକି ରହିଛି। ନିର୍ବାଚନ ସରିଲେ, ଶିକ୍ଷକ ଅଭାବ ଥିବା ହାଇସ୍କୁଲରେ ଅତିଥି ଶିକ୍ଷକ ନିଯୁକ୍ତି କରି ପାଠପଢ଼ାକୁ ସ୍ବାଭାବିକ କରାଯିବ।

ଏହି ପ୍ରସଙ୍ଗକୁ ନେଇ ଓଷ୍ଟା ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଉଦ୍‌ବେଗ୍ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସରକାରୀ ହାଇସ୍କୁଲରେ ‌ଶିକ୍ଷକ ଅଭାବ ରହିଛି। କିନ୍ତୁ ଏଡେ‌ଡ୍ ହାଇସ୍କୁଲଗୁଡ଼ିକରେ ସ୍ଥିତି ଆହୁରି ସାଂଘାତିକ। ସେଠାରେ ଆଦୌ ନିଯୁକ୍ତି ହେଉନାହିଁ। ରାଜ୍ୟର ୬ଲକ୍ଷ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨.୫ଲକ୍ଷ ହେଉଛନ୍ତି ଏଡେଡ୍ ହାଇସ୍କୁଲର ଛାତ୍ରଛାତ୍ରୀ। ରାଜ୍ୟରେ ଥିବା ୩୨୦୦ରୁ ଅଧିକ ଏଡେଡ୍ ହାଇସ୍କୁଲ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଚାଲିଛି । ପ୍ରାଥମିକ ବିଦ୍ୟାଳୟରୁ ହାଇସ୍କୁଲ ପର୍ଯ୍ୟନ୍ତ ସବୁଠି ଶିକ୍ଷକ ଅଭାବ ରହିଛି। କେଉଁଠି ଦୁଇ ଜଣ ବିଜ୍ଞାନ ଶିକ୍ଷକଙ୍କ ମଧ୍ୟରୁ ଜଣେ ଅଛନ୍ତି, ତ କେଉଁଠି ସ୍କୁଲରେ ହିନ୍ଦୀ, ସଂସ୍କୃତ ଶିକ୍ଷକ ଆଦୌ ନାହାନ୍ତି। ଅନେକ ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀକୁ ଜଣେ ଶିକ୍ଷକ/ଶିକ୍ଷୟିତ୍ରୀ ଅଛନ୍ତି। ଏଥିପାଇଁ ସଂପୃକ୍ତ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) ବି ଗଠିତ ହୋଇପାରୁନାହିଁ। ଏସ୍‌ଏମ୍‌ସି ଗଠନ ପାଇଁ ଅନ୍ୟୂନ ୨ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଏସ୍‌ଏମ୍‌ସି ନ ଥିବାରୁ ସ୍କୁଲକୁ ଆସୁଥିବା ଅର୍ଥ ଖର୍ଚ ହେବାଠୁ ଆରମ୍ଭ କରି ପୋଷାକ ବଣ୍ଟନ, ମଧ୍ୟାହ୍ନ ଭୋଜନ ଆଦି ବାଧାପ୍ରାପ୍ତ ହେଉଛି। ସ୍କୁଲ୍‌ ମିଶ୍ରଣ ପ୍ରକ୍ରିୟା କ୍ଲାସ୍ ରୁମ୍ ସମସ୍ୟାକୁ ଅଧିକ ଜଟିଳ କରିଛି। ସେହିପରି ସ୍ମାର୍ଟ ସ୍କୁଲ ଦ୍ବାରା ଆକର୍ଷିତ ହୋଇ ଅନେକ ଛାତ୍ରଛାତ୍ରୀ ଚଢା ଦରର ସ୍କୁଲ ଫିରୁ ମୁକ୍ତି ପାଇଁ ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ଗୋଟିଏ ପଟେ ସରକାରୀ ସ୍କୁଲରେ ପିଲା ସଂଖା ବଢ଼ିଥିବା ବେଳେ କ୍ଲାସ୍‌ ରୁମ୍, ବିଷୟ ଶିକ୍ଷକ ଅଭାବ ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ଜଳଜଳ ଦିଶୁଛି।

ଅନ୍ୟପକ୍ଷରେ, ଜଣେ ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ସ୍କୁଲରେ ଏବେ ଶିକ୍ଷକ ନାହାନ୍ତି କି ଶ୍ରେଣୀଗୃହ ବି ନାହିଁ। ଏଭଳି ସ୍ଥିତିରେ ପାଠପଢ଼ା କିପରି ହେବ? ସରକାରଙ୍କ ୫-ଟି ସ୍କୁ‌ଲରେ ବି ଶିକ୍ଷକ ନାହାନ୍ତି। ଏ ଦିଗରେ ସରକାର ତ୍ବରାନ୍ବିତ ପଦକ୍ଷେପ ‌ନ ନେଲେ ସରକାରୀ ଓଡ଼ିଆ ସ୍କୁଲ ଶିକ୍ଷା ବ୍ୟବସ୍ଥା ଆଗାମୀ ଶିକ୍ଷା ବର୍ଷରେ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର