ଗାଁରେ ପଶିଲେ ଶତାଧିକ ଷଣ୍ଢ

ହାଟଡ଼ିହି : ଗାଁରେ ପଶିଛନ୍ତି ଶତାଧିକ ଷଣ୍ଢ । ଧାନ ଫସଲ ଖାଇ ନଷ୍ଟ କରୁଛନ୍ତି। ଫଳରେ ଗ୍ରାମବାସୀ ଏକଜୁଟ୍ ହୋଇ ଷଣ୍ଢମାନଙ୍କୁ ଗୋଟିଏ ସ୍ଥାନରେ ବାଡ଼ ଦେଇ ରଖିବା ସହିତ ଖାଦ୍ୟପାନୀୟ ଯୋଗାଇ ଦେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳରେ।

କିଛିଦିନ ତଳେ ଶତାଧିକ ଷଣ୍ଢଙ୍କୁ ଟ୍ରକରେ ଆଣି କେହି ମଥୁରାପୁର ପୋଲ ମୁଣ୍ଡରେ ଛାଡି ଦେଇ ଯାଇଥିଲେ। ବ୍ଲକର ଡିମିରିଆ, ହାବଳେଶ୍ୱର, ଶାଳବଣି, ଜମ୍ଭରା ଗ୍ରାମର ଶହଶହ ହେକ୍ଟର ଚାଷଜମିରେ ପଶି ଏହି ଷଣ୍ଢମାନେ ନଷ୍ଟ କରିବା ଆରମ୍ଭ କଲେ। ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଯାଇଥିଲେ। ଦେଢ଼ ମାସ ହେଲା ଷଣ୍ଢଙ୍କ ଉତ୍ପାତ ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିବାପରେ ଏବେ ସବୁ ଗାଁର ଲୋକମାନେ ପାଳିକରି ଜଗୁଛନ୍ତି।

ଡିମିରିଆ, ହାବଳେଶ୍ୱର, ଶାଳବଣି, ଜମ୍ଭରା, ବାଲିପଦା ଆଦି ଅଞ୍ଚଳରେ ହେକ୍ଟର ହେକ୍ଟର ଧାନ ଫସଲକୁ ଖାଇବା ସହିତ ନଷ୍ଟ କରିବାରୁ ଗ୍ରାମବାସୀ ଷଣ୍ଢମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ବିଫଳ ହେବା ପରେ ଅଭିନବ ଉପାୟରେ ଷଣ୍ଢମାନଙ୍କୁ ଗୋଟିଏ ସ୍ଥାନରେ ଆବଦ୍ଧ ରଖିବାକୁ ପ୍ରୟାସ କରିବା ସହିତ ଖାଦ୍ୟ ପାନୀୟ ଯୋଗାଇ ଦେଉଛନ୍ତି। ଏହି ଷଣ୍ଢଗୁଡ଼ିକୁ ଚାଲାଣ ପାଇଁ ଉଦ୍ୟମ କରି ବିଫଳ ହେବା ପରେ କେହି ଏଠାରେ ଛାଡ଼ି ଦେଇଥିବା ଅଭିଯୋଗ ହେଉଛି।

ତୁରନ୍ତ ଏନେଇ ପ୍ରଶାସନ ଦୃଷ୍ଟି ଦେବା ସହିତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପୂର୍ବତନ ସରପଞ୍ଚ କୃପାସିନ୍ଧୁ ମଲ୍ଲିକ, ଗୋବିନ୍ଦ ବାରିକ, ଉଦ୍ଧବ ବସନ୍ତିଆ ପ୍ରମୁଖ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର