ବୁର୍ଲା ଚକ୍ଷୁ ଆଉଟ୍‌ଡୋର୍‌ରୁ କଟକରେ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ଯାଏ, ଚିକିତ୍ସା ନାଁରେ ଭୁତାଉଥିଲା ହାଇଦର୍‌

ସମ୍ବଲପୁର : ହାଇଦର୍‌ ବହୁ ରୋଗରେ ଜର୍ଜରିତ ଥିଲା। ତେଣୁ ତାର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଆବଶ୍ୟକ ଥିଲା। ସେହି କାରଣରୁ ତାକୁ ବିଭିନ୍ନ ସମୟରେ ଭିମସାର୍‌କୁ ଓ ସେଠାରୁ ରେଫର୍‌ ହେବା ପରେ କଟକକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିଲା ବେ‌ାଲି ସଫେଇ ଦେଇଛନ୍ତି ସମ୍ବଲପୁର ଜେଲ୍ କର୍ତ୍ତୃପକ୍ଷ। ତେବେ ତାକୁ କୌଣସି ନା କୌଣସି ପ୍ରକାରେ ଭିମ୍‌ସାର୍‌ରୁ ରେଫର୍‌ କରାଇ କଟକ ନେବା ଓ ତୃତୀୟ ପ୍ରୟାସରେ ସେଠାରେ ଭର୍ତ୍ତି କରାଯିବା ସମଗ୍ର ଘଟଣାକୁ ଅଧିକ ରହସ୍ୟାବୃତ୍ତ କରୁଛି। ଖାସ୍‌ କରି ଭିମସାର୍‌ ଚକ୍ଷୁ ଆଉଟ୍‌ଡୋର୍‌ରୁ ତାକୁ କଟକ ପଠାଯିବା ଓ ସେଠାକୁ ୩ ମାସରେ ଲଗାତାର ୩ ଥର ଯିବା ପରେ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ଭଳି ଏକ ମାମୁଲି ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ବିଭିନ୍ନ ବିଭାଗର ଭୂମିକାକୁ ସନ୍ଦେହ ବଳୟକୁ ଟାଣୁଛି।

୧୮.୬.୨୦୧୮ରେ କେନ୍ଦ୍ରପଡ଼ା ସବ୍‌ଜେଲ୍‌ରୁ ଆସି ହାଇଦର୍‌ ଯେବେ ଯେବେ ସମ୍ବଲପୁର ମଣ୍ଡଳ କାରଗାରରେ ପହଞ୍ଚିଲା, ସେ‌ତିକିବେଳେ ତାର ସ୍ବାସ୍ଥ୍ୟଗତ ସମସ୍ୟା ସଂପର୍କିତ ଏକ ମୋଟା ଫାଇଲ୍ ଦାଖଲ କରିଥିଲା। ଜେଲ୍‌ ଭର୍ତ୍ତି ଦିନ ତାର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷାରୁ ସେ ରକ୍ତଚାପ, ମଧୁମେହ, କିଡ୍‌ନି ରୋଗ, ପ୍ରୋଷ୍ଟେଟ୍ ଗ୍ରନ୍ଥିରେ ଷ୍ଟୋନ୍‌, ମୂତ୍ର ରୋଗ, ସେର୍ଭିକାଲ୍ ଓ ଲୁମ୍ବାର୍‌ ସ୍ପଣ୍ଡିଲାଇଟିସ୍, ପିଆଇଭିଡି (ସ୍ଲିପ୍‌ଡ ଡିସ୍କ), ଡାହାଣ କହୁଣୀରେ ପୁରୁଣା ଆଘାତ, ଡାହାଣ ଆଣ୍ଠୁ ଓ ଗୋଡ଼ରେ ଆଘାତ ଥିବା ଜଣା ପଡ଼ିଥିଲା। ସେ ସମ୍ବଲପୁର ଆସିବା ପୂର୍ବରୁ କଟକ ଏସ୍‌ସିବି ମେଡିକାଲ୍‌ର ମେଡିସିନ୍, ସର୍ଜରି, ଚର୍ମ, କିଡ୍‌ନି‌ ରୋଗ, ମୂତ୍ରରୋଗ, ସ୍ନାୟୁରୋଗ, ସ୍ନାୟୁଶଲ୍ୟ, ଅସ୍ଥି ଶଲ୍ୟ ଓ ଏଣ୍ଡ୍ରୋକ୍ରାଇନୋଲଜି ବିଭାଗରେ ଚିକିତ୍ସିତ ହେବାର ରେକର୍ଡ ଥିଲା। ତେଣୁ ମଣ୍ଡଳ କାରାଗାରକୁ ଆସିବା ପରେ ତାକୁ ପ୍ରାୟ ପ୍ରତି ମାସରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଉପରୋକ୍ତ ବିଭାଗ ଗୁଡ଼ିକୁ ନିଆ ଯାଉଥିଲା। ୨୫ ଫେବ୍ରୁଆରି ୨୦୨୦ରେ ହାଇଦର୍‌କୁ ଭିମସାର୍‌ର ସର୍ଜରି, ନ୍ୟୁରୋଲଜି, ୟୁରୋଲଜି, ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସା ପାଇଁ ପଠା ଯାଇଥିଲା। ସର୍ଜରି ବିଭାଗ ତାର ସ୍ନାୟୁ ଚିକିତ୍ସା, ସିଟିଭିଏସ୍‌ (ହୃଦ୍‌ ଚିକିତ୍ସା ଯାହା ଭିମସାର୍‌ରେ ଉପଲବ୍‌ଧ ନାହିଁ), ଅସ୍ଥିଶଲ୍ୟ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲା। ତେଣୁ ୨୩ ଏପ୍ରିଲ୍‌ ୨୦୨୦ରେ ତାକୁ ପୁଣି ସର୍ଜରି, ନ୍ୟୁରୋ ଓ ଅର୍ଥୋପେଡିକ୍ ବିଭାଗର ପରାମର୍ଶ ପାଇଁ ବୁର୍ଲା ନିଆ ଯାଇଥିଲା। ସେଥର ସର୍ଜରି ବିଭାଗ ଆଉଟ୍‌ଡୋର୍‌ରୁ ତାକୁ ସିଟିଭିଏସ୍‌ ଓ ପ୍ଲାଷ୍ଟିକ୍ ସର୍ଜରି ପାଇଁ କଟକ ରେଫର କରାଯାଇଥିଲା। ଜେଲ୍‌ ବିଭାଗ ପକ୍ଷରୁ ତାକୁ କଟକ ନେବା ପାଇଁ ପୁଲିସ୍ ଏସ୍କର୍ଟ ମଗା ଯାଇଥିଲା। ମାତ୍ର କରୋନା ସମୟ ହୋଇଥିବାରୁ ପୁଲିସ୍ ଏସ୍କର୍ଟ ମିଳିପାରି ନଥିଲା। ତେଣୁ ହାଇଦର୍ କଟକ ଯାଇପାରି ନଥିଲା।

ଏହାପରେ ବି ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାକୁ ବହୁବାର ଭିମସାର୍‌ ନିଆଯାଇଥିଲା। କିନ୍ତୁ ୨୯ ଡିସେମ୍ବର ୨୦୨୦ରେ ତାର ଚକ୍ଷୁ ପରୀକ୍ଷା ପାଇଁ ଭିମସାର୍‌କୁ ନିଆ ଯାଇଥିଲା। ସେଠାରେ ଚକ୍ଷୁ ବିଭାଗ ଆଉଟ୍‌ଡୋର୍‌ରୁ ତାକୁ ଏକ ଉଚ୍ଚତର କେନ୍ଦ୍ର (ହାଇଅର୍‌ ସେଣ୍ଟର)କୁ ନେବା ପାଇଁ ପରାମର୍ଶ ଦିଆ ଯାଇଥିଲା।

ଆଖି ବିଭାଗର ସେହି ପରାମର୍ଶ ହାଇଦର୍‌କୁ କଟକ ଯାଇ ଫେରାର୍‌ ହେବା ପାଇଁ ବାଟ ଖୋଲି ଦେଇଥିଲା। ଜେଲ୍‌ କର୍ତ୍ତୃପକ୍ଷ ପୁଣିଥରେ ପୁଲିସ୍ ଏସ୍କର୍ଟ ପାଇଁ ଆବେଦନ କରିଥିଲେ। ତାହା ମିଳିବା ପରେ ୧୯.୦୧.୨୦୨୧ରେ ସମ୍ବଲପୁର ପୁଲିସ୍‌ର ସୁରକ୍ଷା ଭିତରେ ହାଇଦର୍‌କୁ କଟକ ନିଆ ଯାଇଥିଲା। ଏହାପରେ ହାଇଦର୍‌ ଆଉ ବୁର୍ଲାକୁ ଫେରି ଚାହିଁ ନାହିଁ। କଟକ ଯାଇ ତାକୁ ଚକ୍ଷୁ ସମେତ ପ୍ଲାଷ୍ଟିକ୍ ସର୍ଜରି, ଜେନେରାଲ୍ ସର୍ଜରି, ନେଫ୍ରୋଲଜି, ନ୍ୟୁରୋଲଜି, ଅର୍ଥୋପେଡିକ, ୟୁରୋଲଜି ବିଭାଗରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନେଫ୍ରୋଲଜି, ଚକ୍ଷୁ, ନ୍ୟୁରୋଲଜି ବିଭାଗ ତାକୁ ମାସେ ପରେ ପୁଣି ଆସିବାକୁ ପରାମର୍ଶ ଦେଇଥିଲେ। ୨୩.୨.୨୦୨୧ରେ ସମ୍ବଲପୁର ଜେଲ୍‌ ପକ୍ଷରୁ ପୁଲିସ୍‌ ସହାୟତାରେ ତାକୁ ପୁଣି କଟକ ନିଆ ଯାଇଥିଲା। ସେଠାରେ ସର୍ଜରି ବିଭାଗ ପକ୍ଷରୁ ହାଇଦର୍‌ର ହାଇଡ୍ରୋସିଲ୍ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା କୁହାଯାଇଥିଲା। ତେବେ ରକ୍ତ ସର୍କରା ଓ ୟୁରିଆ କ୍ରିଏଟିନ୍‌ ସ୍ତର ନିୟନ୍ତ୍ରଣ କରି ଅସ୍ତ୍ରୋପଚାର ପାଇଁ ଗୋଟିଏ ମାସ ପରେ ପୁଣି ଭର୍ତ୍ତି ହେବାକୁ କହା ଯାଇଥିଲା। ସେହିପରି ଆଉ କିଛି ବିଭାଗ ମଧ୍ୟ ମାସେ ପରେ ଆସିବାକୁ ପରାମର୍ଶ ଦେଇଥିଲେ। ତେଣୁ ଠିକ୍ ମାସେ ପରେ ୨୩.୩.୨୧ରେ ହାଇଦର୍‌କୁ ପୁଣି କଟକ ନିଆଯାଇ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ପାଇଁ ସର୍ଜରି ୱାର୍ଡରେ ଭର୍ତ୍ତି କରା ଯାଇଥିଲା। ସେଠାରେ ୧୮ ଦିନ ରହିବା ପରେ ବି ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ତ ହୋଇ ନଥିଲା, କିନ୍ତୁ ୧୦ ଏପ୍ରିଲ୍‌ରେ ସେ ଚମ୍ପଟ ମାରିବାରେ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର