ଭୀମଭୋଇଙ୍କ ବାଣୀକୁ ଆଗରେ ରଖି ମୁଁ ବଢ଼ୁଛି: ରାଷ୍ଟ୍ରପତି

ସନ୍ଥକବିଙ୍କ ବାର୍ତ୍ତା ପାଠ୍ୟକ୍ରମରେ ସାମିଲ କରିବାର ଯୋଜନା ରହିଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ରେଢ଼ାଖୋଲ: ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’। ରାଷ୍ଟ୍ରପତି ଭାବେ ଶପଥ ପାଠ ନେବା ସମୟରେ ସନ୍ଥକବି ଭୀମ ଭୋଇଙ୍କର ଏହି ଧେୟ ବାକ୍ୟକୁ ମୁଁ ଉଚ୍ଚାରଣ କରିଥିଲି। ଆଜି ସେହି ବାଣୀକୁ ପାଥେଇ କରି ମୁଁ ଆଗକୁ ବଢୁଛି। ସମ୍ବଲପୁର ରେଢ଼ାଖୋଲ ମିନି ଷ୍ଟାଡିୟମ୍‌ରେ ଭୀମଭୋଇ ସ୍ମୃତି କମିଟି ଦ୍ବାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ତିନିଥର ଗୁରୁବ୍ରହ୍ମ ଅଲେଖ ଶରଣଂ କହି ରାଷ୍ଟ୍ରପତି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ଭୀମଭୋଇଙ୍କ ବାଣୀ ଓ ଆଦର୍ଶ ମୋ’ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ।

ରାଷ୍ଟ୍ରପତି କହିଥିଲେ, ଭୀମ ଭୋଇଙ୍କ ଦୃଷ୍ଟିଶକ୍ତି ନଥିଲା, କିନ୍ତୁ ତାଙ୍କର ଅନ୍ତଦୃଷ୍ଟି ଥିଲା ଅତି ପ୍ରଖର। ସେହି ଅନ୍ତଦୃଷ୍ଟି ଶକ୍ତି ବଳରେ ସେ ସବୁ ଦେଖିପାରୁ ଥିଲେ। ଫଳରେ ସେ ଅନେକ କବିତା ଓ ଗ୍ରନ୍ଥ ଲେଖିପାରିଛନ୍ତି। ଆନୁଷ୍ଠନିକ ଭାବେ ଶିକ୍ଷା ଗ୍ରହଣ କରି ନଥିଲେ ବି ଭୀମଭୋଇ ଉଚ୍ଚକୋଟିର ସାହିତ୍ୟ ସୃଷ୍ଟି କରିଛନ୍ତି। ବୋଲି ମହାମହିମ ରାଷ୍ଟ୍ରପତି କହିଥିଲେ। ଏହି ଅବସରରେ ଉପସ୍ଥିତ ରହି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମହାତ୍ମା ଗାନ୍ଧୀ ଯେମିତି ପ୍ରଭାବଶାଳୀ ଥିଲେ, ସନ୍ଥ କବି ଭୀମ ଭୋଇଙ୍କ ବିଚାର ମଧ୍ୟ ସେଭଳି ପ୍ରଭାବଶାଳୀ। ବିଶ୍ୱର ବଡ଼ ବଡ଼ ଦାର୍ଶନିକଙ୍କ ଠାରୁ ଭୀମ ଭୋଇ ବହୁତ ଊର୍ଦ୍ଧ୍ବରେ ରହିବେ। ମହିମା ଗୋସାଇଁଙ୍କ ବିଚାର ଓ ସନ୍ଥ କବି ଭୀମ ଭୋଇଙ୍କ ଜୀବନ ଦର୍ଶନକୁ ଆନ୍ତର୍ଜାତିକ ସ୍ତରରେ ସ୍ଥାପନ କରିବା ପାଇଁ ସାମୂହିକ ଉଦ୍ୟମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଥିଲେ। ମହିମାବିଚାର ଓ ସନ୍ଥକବିଙ୍କ ବାର୍ତ୍ତାକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଯୋଜନା ହୋଇଛି।

ଏକବିଂଶ ଶତାବ୍ଦୀରେ ପିଲାମାନେ ଏହାକୁ ବିଚାର ଭାବେ ଗ୍ରହଣ କରିବେ। ଜାତୀୟ ଶିକ୍ଷା ନୀତି ଅନୁସାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ ବିଲାସପୁର ସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ରୀତା ସାହୁ କହିଛନ୍ତି, ସନ୍ଥ କବି ଭୀମଭୋଇଙ୍କ ବାଣୀ ଶୁଣିଲେ ସମସ୍ତେ ଶୃଙ୍ଖଳିତ ହୋଇପାରିବେ। ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶେଷ ଦିନ ସମ୍ବଲପୁର ରେଢ଼ାଖୋଲ ଗସ୍ତ କରିଛନ୍ତି। ପ୍ରଥମେ ମଧୁପୁର ଗାଁକୁ ଯାଇ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ସେଠାରେ ଥିବା ଧୂନୀମଣ୍ଡପ ବୁଲି ଦେଖିଥିଲେ। ତାପରେ କାନ୍ଧରା ଗାଁକୁ ଯାଇ ଭୀମ ଭୋଇଙ୍କ ଜ୍ଞାନପ୍ରାପ୍ତି ପୀଠ ଦର୍ଶନ କରିଥିଲେ। ତାପରେ କାଙ୍କଣପଡ଼ା ଯାଇ ଶୂନ୍ୟମନ୍ଦିର ଓ ଆଶ୍ରମ ବୁଲି ଦେଖିଥିଲେ। ସାଧୁ ଆନନ୍ଦ ଦାସ, ବାବା ସୌଭାଗ୍ୟ ଦାସ, ଅରୁଣ ରାଉତ, ପ୍ରଭାକର ଦାସ ଓ ଭୀମଭୋଇ ସୃତି କମିଟିର ଚକ୍ରଧର ପ୍ରଧାନ ମଞ୍ଚାସୀନ ଥିଲେ। ହରପ୍ରସାଦ ଦାସ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର