ଆଇସିଏସ୍‌ ପ୍ରାରମ୍ଭିକ ପରୀକ୍ଷା ୫ରେ

କଟକର ୩୯ କେନ୍ଦ୍ରରେ ପରୀକ୍ଷା ଦେବେ ରାଜ୍ୟର ୧୬,୭୨୪
ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର କେନ୍ଦ୍ର

କଟକ : କେନ୍ଦ୍ରୀୟ ଲୋକସେବା ଆୟୋଗ ନିୟନ୍ତ୍ରଣାଧୀନ ଭାରତୀୟ ପ୍ରାଶାସନିକ ସେବା (ଆଇସିଏସ୍‌) ପ୍ରାରମ୍ଭିକ ପରୀକ୍ଷା-୨୦୨୨ ପରିଚାଳନାଜନିତ ଏକ ପ୍ରସ୍ତୁତି ବୈଠକ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ଲୋକସେବା ଆୟୋଗ ଯୁଗ୍ମ ସଚିବ ରାହୁଲ ସିଂହ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାଜ୍ୟ ଖଣି ନିଗମ ବଳୱନ୍ତ ସିଂହ, ରାଜ୍ୟ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଜ୍ଞାନ ଦାସ, କେନ୍ଦ୍ରୀୟ ଲୋକସେବା ଆୟୋଗ ଅନୁଶାସନ ସଚିବ ଶୈଳେଶ ଗୌତମ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ବିଜୟ କୁମାର ଖଣ୍ଡାୟତରାୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ର ଯୋଗଦେଇ ସମଗ୍ର ରାଜ୍ୟର ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କଟକ ଜିଲ୍ଲା ସଦର ମହକୁମାରେ ଜୁନ ୫ତାରିଖ (ରବିବାର) ଦିନ ବିଭିନ୍ନ କେନ୍ଦ୍ରରେ ହେବାକୁ ଥିବା ଆଇସିଏସ୍‌ ପ୍ରାରମ୍ଭିକ ପରୀକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ।

ପ୍ରକାଶଥାଉକି, ଆସନ୍ତା ୫ରେ ପ୍ରାରମ୍ଭିକ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପୂର୍ବାହ୍ନ ସାଢେ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ନ ସାଢେ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟର ୧୬,୭୨୪ ଜଣ ପରୀକ୍ଷାର୍ଥୀ କଟକ ସହରରେ ସ୍ଥିରୀକୃତ ୩୯ ଗୋଟି କେନ୍ଦ୍ରରେ ପରୀକ୍ଷା ଦେବେ। ସିଡିଏସ୍ଥିତ ସେକ୍ଟର୍‌-୬ (ନ୍ୟୁ ବ୍ଲକ୍‌) ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ କେବଳ ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷାକେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ପାନୀୟଜଳ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି।

ପରୀକ୍ଷା ଦିନ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା କେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ଏବଂ ଓଏମ୍‌ଆର୍‌ ସିଟ୍‌ ସକାଳ ୭ଟା ଏବଂ ଦ୍ବିତୀୟ ପର୍ୟ୍ୟାୟ ନିମନ୍ତେ ମଧ୍ୟାହ୍ନ ୧୨ଟା ସମୟରେ ସୁରକ୍ଷା ବଳୟ ମଧ୍ୟରେ ଜିଲ୍ଲା କୋଷାଗାରରୁ ପ୍ରେରଣ କରାଯିବ। କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରି ପରୀକ୍ଷାର ଶୃଙ୍ଖଳାଗତ ଗତିବିଧି ସମ୍ବନ୍ଧରେ ଅନୁଧ୍ୟାନ କରିବେ। ବୈଠକରେ ଡେପୁଟି କଲେକ୍ଟର ପ୍ରତିଷ୍ଠାନ ଉପ-ବିଭାଗ ପ୍ରସନ୍ନ ସେନାପତି, ଡେପୁଟି କଲେକ୍ଟର ଜୁଡିସିଆଲ ପ୍ରିୟଦର୍ଶିନୀ ଜେନା, ପରୀକ୍ଷାରେ ନିଯୁକ୍ତ ପରିଦର୍ଶକ ଓ ନିରୀକ୍ଷକମାନଙ୍କୁ ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପରେ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା କାର୍ଯ୍ୟା‌ଳୟର ବରିଷ୍ଠ ରାଜସ୍ୱ ସହାୟକ ରାଜେଶ ସୁବୁଦ୍ଧି ଏବଂ ସୂର୍ଯ୍ୟକାନ୍ତ ପାଣି ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର