ଓଡ଼ିଶା ସ୍ପଞ୍ଜ ଆଇରନରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା

କେନ୍ଦୁଝର : ପଳାଶପଙ୍ଗ‌ାସ୍ଥିତ ଓଡିଶା ସ୍ପଞ୍ଜ ଆଇରନ୍‌ ଲିମିଟେଡ (ଓଏସ୍‌ଆଇଏଲ୍‌) ପୁନଃ କାର୍ଯ୍ୟକ୍ଷମ ପରେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ବେକାରମାନଙ୍କୁ ସିଧାସଳଖ ନିଯୁକ୍ତି ଦେବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଏଥିନେଇ ପଳାଶପଙ୍ଗା ଅଞ୍ଚଳର କିଛି ଲୋକ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସାଧାରଣତଃ କାରଖାନା ହେଲେ ସ୍ଥାନୀୟ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ପାଆନ୍ତି । ଏହି କାରଖାନାରେ ପୂର୍ବରୁ ଅନେକ ବୈଷୟିକ ଶିକ୍ଷାପ୍ରାପ୍ତ ଯୋଗ୍ୟ ବ୍ୟକ୍ତିବିଶେଷ ନିଯୁକ୍ତି ପାଇଥିଲେ । ମାତ୍ର କାରଖାନା ବନ୍ଦ ହୋଇ ରହିଥିବା ହେତୁ ଅନେକଙ୍କର ଆର୍ଥିକ ପରିସ୍ଥିତି ଖୁବ୍ ଶୋଚନୀୟ । ସେହିପରି ବହୁଜଣ କର୍ମସଂସ୍ଥାନ ଫେରି ପାଇବା ପାଇଁ ଅପେକ୍ଷାରତ । ଶିକ୍ଷିତ ଓ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ବର୍ତ୍ତମାନର କାର୍ଯ୍ୟକ୍ଷମ କାରଖାନାରେ ପୁନଃ ନିଯୁକ୍ତି ଦିଆନଗଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ଅଭିଯୋଗ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଓଏସ୍‌ଆଇଏଲ୍ ଆହାରପଶିସ୍ଥିତ ଅରଡେଇ ନଦୀରୁ ପାଣି ବ୍ୟବହାର କରିବା ଆରମ୍ଭ କରୁଛି । ଏହି ନଦୀ ଉପରେ ସ୍ଥାନୀୟ ଲୋକେ ନିର୍ଭର କରନ୍ତି। ଓଏସ୍‌ଆଇଏଲ୍ ଯଦି ଏହି ନଦୀରୁ ପାଣି ବ୍ୟବହାର କରେ, ତେବେ ତଳମୁଣ୍ଡରେ ସାଧାରଣ ଚାଷୀଟିଏ ଗାଧୋଇବା ପାଇଁ ହେଉ କି ଚାଷ ପାଇଁ ପାଣି ପାଇବା କଷ୍ଟକର ହେବ। ତେଣୁ କଂପାନିକୁ ଏହି ନଦୀର ଜଳ ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର