ଘୋଘରପାଲିରେ ଚୋରା କୋଇଲା ଖଣି, ଗଣମାଧ୍ୟମକୁ ସୂଚନା ଦେବା ସନ୍ଦେହରେ ଯୁବକଙ୍କୁ ଧମକ

ସୁନ୍ଦରଗଡ଼ : ହେମଗିର ଅଞ୍ଚଳସ୍ଥିତ ରାଷ୍ଟ୍ରାୟତ କମ୍ପାନି ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ (ଏମସିଏଲ)ର କୋଇଲା ଖଣି କ୍ଷେତ୍ର ବସୁନ୍ଧରା, କୁଲଡା, ଗର୍ଜନବାହାଲ ସମେତ ଲଇକେରା ଆଦି ସାଇଡିଂରୁ କୋଇଲା ଚୋରି ସାଧାରଣ କଥା ହୋଇଗଲାଣି। ତେବେ ଖଣି ବିଭାଗ ଓ ପୁଲିସର ନିଷ୍କ୍ରିୟତା ଯୋଗୁଁ ଖଣି ପ୍ରକଳ୍ପ ଆରମ୍ଭ ହୋଇ ନଥିବା ସ୍ଥାନରେ ମଧ୍ୟ ବେଆଇନ ଖଣି ଖୋଳି କୋଇଲା ଚୋରି ହେଉଥିବା ଅଭିଯୋଗ ହୋଇଥିଲା। ହେମଗିର ବ୍ଲକ୍ ବଲିଙ୍ଗା ଫାଣ୍ଡି ଅନ୍ତର୍ଗତ ଘୋଘରପାଲି ନିକଟରେ ଜେସିବି ଓ ଗାଁ ଶ୍ରମିକ ଜରିଆରେ ଏପରି ବେଆଇନ ଖଣି ଖୋଳି ଟ୍ରକ ଟ୍ରକ କୋଇଲା ଗଦା କରି ସେଠାରୁ ଜଣେ କୋଇଲା ମାଫିଆଙ୍କ ଜରିଆରେ ଛତିଶଗଡ଼କୁ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଏସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ହଇଚଇ ଖେଳି ଯାଇଥିଲା। ଏହା ପରେ ମାଫିଆ ଓ ଏଜେଣ୍ଟଙ୍କ ମଧ୍ୟରେ ଛନକା ପଶିଯାଇଥିଲା। ଏହା ମଧ୍ୟରେ କୋଇଲା ଚୋରି ବନ୍ଦ ହୋଇଯାଇଛି।

ତେବେ ଏଥିରେ ଉତକ୍ଷିପ୍ତ କୋଇଲା ମାଫିଆଙ୍କ ଇଙ୍ଗିତରେ ଚୋରା ଖଣିର ଜଣେ ଦଲାଲ ବା ଏଜେଣ୍ଟ ରତନପୁରରେ ୧୫ ବର୍ଷ ହେଲା ରହୁଥିବା ଘୋଘରପାଲିର ଜଣେ ଯୁବକଙ୍କୁ ଗଣମାଧ୍ୟମର ସୂଚନାଦାତା କହି ଫୋନରେ ଧମକଚମକ ଦେଇଥିବା, ଏପରିକି ଯୁବକଙ୍କ ଦାଦାଙ୍କୁ ଅଟକାଇ ଏଥିରୁ ନିବୃତ୍ତ ରହିବାକୁ ତାଗିଦ୍ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଯୁବକ ଏସପିଙ୍କୁ ଲିଖିତ ଅଭିଯୋଗ କରି ସୁରକ୍ଷା ଲୋଡ଼ିବା ସହ ସମ୍ପୃକ୍ତ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି। ସମ୍ପୃକ୍ତ ଚୋରା ଖଣିର ଏଜେଣ୍ଟଙ୍କ ନାମରେ ପୂର୍ବରୁ ମଧ୍ୟ କୋଇଲା ଚୋରି ମାମଲା ରହିଛି, ସେ ଜାମିନରେ ଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଘୋଘରପାଲି କୋଇଲା ଖଣି ଡବ୍ଲୁସିଏଲକୁ ମିଳିଛି। କିନ୍ତୁ ଏଯାଏ ଜମି ଅଧିଗ୍ରହଣ ସମ୍ପର୍କିତ ପ୍ରାରମ୍ଭିକ ପ୍ରକ୍ରିୟା ସର୍ଭେ ମଧ୍ୟ ହୋଇ ନାହିଁ। ଏସ୍ଥିତିରେ ମାଫିଆମାନେ ଘୋଘରପାଲି ଜାମ୍ଭନା ନାଲାର ବିଭିନ୍ନ ସ୍ଥାନରେ ଚୋରା ଖଣି ଖୋଳି ଚାଲିଥିଲେ। ଖଣିରେ ଭରି ଯାଉଥିବା ପାଣି ନିଷ୍କାସନ ପାଇଁ ସେଠାରେ ଅସ୍ଥାୟୀ ମଟର ବ୍ୟବସ୍ଥା ଓ ସେଥିପାଇଁ ଗାଁରୁ ବିଦ୍ୟୁତ ସଂଯୋଗ ନିଆଯାଇଥିଲା। ଚୋରା ଖଣିରୁ କୋଇଲା ଉତ୍ତୋଳନ ପରେ ତାକୁ ଟ୍ରାକ୍ଟର ଯୋଗେ ଅନ୍ୟ ଏକ ସ୍ଥାନରେ ଗଦା (ଡମ୍ପିଂ) କରାଯାଇ ସେଠାରୁ ଟ୍ରକରେ ବୋଝେଇ କରି ଛତିଶଗଡ଼ ଚାଲାଣ କରାଯାଉଥିଲା। ପୁଲିସ ଓ ଅନ୍ୟମାନଙ୍କ ଉପରେ ନଜର ରଖିବାକୁ ରାସ୍ତାର ବିଭିନ୍ନ ଛକରେ ମାଫିଆମାନେ କିଛି ଯୁବକଙ୍କୁ ନିୟୋଜିତ କରିଥିବା ମଧ୍ୟ ସୂଚନା ରହିଥିଲା। କିଛି ଦିନ ତଳେ ୪୦ ଟ୍ରାକ୍ଟର କୋଇଲା ଉତ୍ତୋଳନ ହୋଇ ନାଲା ମୁଣ୍ଡରେ ଜମା କରାଯାଇଥିବା ସୂଚନା ମିଳିବା ପରେ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା। ସେପଟେ ସାରା ରାତି କୋଇଲା ବୋହି ଛତିଶଗଡ଼ ନେଇଥିଲା ୫ଟି ଟ୍ରକ। ସୂଚନା ପାଇବା ସତ୍ତ୍ବେ ପୁଲିସ ନିଷ୍କ୍ରିୟତା ପ୍ରଦର୍ଶନ କୋଇଲା ମାଫିଆମାନଙ୍କୁ ବେଶ ସୁହାଇଥିବା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର