କଟକରେ ନକଲି ଖାଇବା ତେଲ କାରଖାନା ଠାବ : ମାଲିକ ଅଟକ, ଅପମିଶ୍ରିତ ତେଲ, ନକଲି ସରଞ୍ଜାମ ଜବତ

ଫୁଲନଖରା : କଟକ ଜଗତପୁର ପରେ ସଦର ଥାନା ଅଞ୍ଚଳରେ ଏକ ବୃହତ ନକଲି ଖାଇବା ତେଲ କାରଖାନାକୁ ପୁଲିସ ଠାବ କରିଛି। ଏଠାରୁ ବହୁ ପରିମାଣର ଅପମିଶ୍ରିତ ତେଲ ଏବଂ ତେଲ ପ୍ୟାକିଂରେ ବ୍ୟବହୃତ ଟିଣ, ପେଟି, କମ୍ପାନି ଲୋଗୋ ଓ ସରଞ୍ଜାମକୁ ପୁଲିସ ଜବତ କରିଛି। ତେଲ ପରିବହନ ପାଇଁ ନିୟୋଜିତ ଟ୍ରକକୁ ମଧ୍ୟ ଜବତ କରାଯାଇଛି। କାରଖାନାର ମାଲିକ କୁହାଯାଉଥିବା କଟକ ଖାନନଗର ଅଞ୍ଚଳର ଜଗୁ ସାହୁଙ୍କୁ ପୁଲିସ ଅଟକ ରଖି ଜେରା କରୁଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଟକ ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ବମ୍ଫକୁଦଠାରେ ଦୀର୍ଘ ବର୍ଷ ଧରି ଏହି ନକଲି ତେଲ କାରଖାନା ଚାଲୁଥିଲା। କଲିକତା ଓ ହଳଦିଆରୁ ଅପମିଶ୍ରିତ ତେଲ ଏଠାକୁ ଆସି ବିଭିନ୍ନ ପ୍ରତିଷ୍ଠିତ କମ୍ପାନି ନାମରେ ସେଗୁଡ଼ିକୁ ପ୍ୟାକ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠା ଯାଉଥିଲା। ଏଭଳି କାରବାରରେ ଅସଲି କମ୍ପାନି ମାଲିକମାନଙ୍କର ବ୍ୟବସାୟ ପ୍ରଭାବିତ ହେବାରୁ ସେମାନେ ଏ ବିଷୟରେ ଖୋଳତାଡ଼ କରି ପୁଲିସକୁ ସୂଚନା ଦେଇଥିଲେ। ସେହି ସୂଚନା ଆଧାରରେ ସଦର ଥାନା ପୁଲିସ କାରଖାନାରେ ଚଡ଼ଉ କରିଥିଲା। ସେଠାରେ ସ୍ଥାପିତ ଏକ ବଡ ଧରଣର ମେସିନ ସହାୟତାରେ ଦୈନିକ ପ୍ରାୟ ୫ ହଜାର ଲିଟର ନକଲି ତେଲ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। ଚଡ଼ଉ ସମୟରେ ସେଠାରେ ମହଜୁଦ ଥିବା ପ୍ରାୟ ୨୦ ହଜାର ଟିଣ (ପ୍ରତ୍ୟେକ ୧୫ଲିଟର) ଅପମିଶ୍ରିତ ତେଲ, ବହୁ ପରିମାଣର କାଗଜ ପେଟି, ନକଲି ଲୋଗୋ, ଜରି ପ୍ୟାକେଟ, ଖାଲି ଟିଣ ଓ ଏଥିରେ ବ୍ୟବହାର ପାଇଁ ରହିଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ପୁଲିସ କାରଖାନାର ମାଲିକ ଜଗୁ ସାହୁଙ୍କୁ ଅଟକ ରଖି ଜେରା କରିବା ସହିତ ପ୍ୟାକେଜିଙ୍ଗ ୟୁନିଟ ଓ କାରଖାନାକୁ ସିଲ କରିଛି। ତେବେ ଜାତୀୟ ରାଜପଥ ପାର୍ଶ୍ବରେ ଦୀର୍ଘ ୨୦ ବର୍ଷ ଧରି ଏ ଧରଣର କାରଖାନା ଏଠାରେ ସୁରକ୍ଷିତ ଭାବେ କିପରି ଚାଲୁଥିଲା ଏବଂ ଏହା ବିଷୟରେ କେହି ସାମାନ୍ୟତମ ସୁରାକ ପାଉ ନଥିଲେ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର