ନାବାଳିକା ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନି‌ର୍ଦ୍ଦେଶ : ଜାମିନ ଶୁଣାଣି ପୂର୍ବରୁ ପୀଡ଼ିତାଙ୍କୁ ହେବ ନୋଟିସ୍

ବିଜ୍ଞପ୍ତି ଜାରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିୟମିତ ଜାମିନ ଆବେଦନ ଶୁଣାଣି ପୂର୍ବରୁ ପୀଡ଼ିତା ଅଥବା ଏତଲାକାରୀଙ୍କୁ ନୋଟିସ୍ କରାଯିବ। ଯାହାଫଳରେ ଏ ସଂପର୍କିତ ଜାମିନ ଆବେଦନର ଶୁଣାଣି ସମୟରେ ପୀଡ଼ିତା, ଏତଲାକାରୀ ଅଥବା ତାଙ୍କ ପକ୍ଷରୁ କୌଣସି ବ୍ୟକ୍ତି ଉପସ୍ଥିତ ରହି ପକ୍ଷ ରଖି ପାରିବେ। ଜାମିନ ଆବେଦନର ଶୁଣାଣି ପୂର୍ବରୁ ପୀଡ଼ିତା ଅଥବା ଏତଲାକାରୀଙ୍କୁ ଯେଭଳି ଏ ସଂକ୍ରାନ୍ତରେ ନିଶ୍ଚିତ ସୂଚନା ମିଳିବ, ସେ ସଂପର୍କରେ ସମସ୍ତ ନିମ୍ନ ଅଦାଲତଙ୍କୁ ‘ପ୍ରାକ୍ଟିସ୍ ଡାଇରେକ୍ସନ୍‌’ ବା ବିଜ୍ଞପ୍ତି ଜାରି କରିବାକୁ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନାବାଳିକା ଦୁଷ୍କର୍ମ ସଂପର୍କିତ ମାମଲାରେ ଦାୟର ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ, କ୍ରିମିନାଲ ଲ (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୧୮ ଅନୁସାରେ ନାବା‌ଳିକା ଦୁଷ୍କର୍ମ ଅଭିଯୋଗ ସଂପର୍କିତ ମାମଲାରେ ଅଭିଯୁକ୍ତର ନିୟମିତ ଜାମିନ ଆବେଦନର ଶୁଣାଣି ସମୟରେ ପୀଡ଼ିତା ଅଥବା ଅଭିଯୋଗକାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ। ଏହା ଆଇନର ମୌଳିକ ଆବଶ୍ୟକତା ଓ ଏପରି ବ୍ୟବସ୍ଥାକୁ ଅଣଦେଖା କରାଯାଇ ପାରିବନାହିଁ ବୋଲି। ଦିଲ୍ଲୀ ହାଇକୋର୍ଟ ସିଆର୍‌ଏଲ୍‌.ଏମ୍‌.ଏ୍‌ସି. ନଂ. ୧୪୭୪/୨୦୨୦ ଓ ସିଆର୍‌ଏଲ୍‌.ଏମ୍‌.ଏ. ନଂ.୬୩୩୦/ ୨୦୨୦, ୬୭୦୫/ ୨୦୨୦ରେ ଜୁନ୍ ୫ରେ ପ୍ରଦାନ କରିଥିବା ଏ ସଂପର୍କିତ ରାୟ ପ୍ରସଂଗରେ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି।

୨୦୧୯ରେ କାଶୀନଗର ଥାନାରେ ରୁଜୁ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ସଂପର୍କିତ ମାମଲା‌ରେ ଗିରଫ ଆବେଦନକାରୀଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ହାଇକୋର୍ଟଙ୍କ ଖଣ୍ଡପୀଠ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ଅତିରିକ୍ତ ଦୌରା ଜଜ୍ ତଥା ସ୍ପେଶାଲ ଜଜ୍ ଖାରଜ କରିବା ପରେ ଗିରଫ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରଥମେ ଆଇପିସିର ଦଫା ୩୬୩ରେ ପୁଲିସ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ହସ୍ତଗତ ତଥ୍ୟ ପ୍ରମାଣ ଅନୁସାରେ ଆଇପିସିର ଦଫା ୩୭୬(୨)(ଏନ୍)(୩) ଓ ପୋକ୍‌ସୋ ଆଇନର ଧାରା ୬କୁ ମାମଲା ପରିବର୍ତ୍ତିତ ହୋଇଥିଲା। ହାଇକୋର୍ଟରେ ନିୟମିତ ଜାମିନ ଆବେଦନର ଶୁଣାଣି ସମୟରେ ଖଣ୍ଡପୀଠ ପୀଡ଼ିତା ଅଥବା ଅଭିଯୋଗକାରୀଙ୍କୁ ନୋଟିସ୍ ଜାରି କରିବାକୁ ଚାହିଁଥିବାବେଳେ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦର୍ଶାଇଥିଲେ ଯେ, ଏଭଳି ନୋଟିସ୍ ଜାରି କରାଯିବା ଆବଶ୍ୟକ ନୁହେଁ। ଏହାପରେ ଖଣ୍ଡପୀଠ କ୍ରିମିନାଲ ଲ (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୧୮ରେ ଥିବା ବ୍ୟବସ୍ଥାକୁ ବିଚାରକୁ ନେଇ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର