ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୧୯୮୬ରୁ ଡେମୋନଷ୍ଟ୍ରେଟରଙ୍କୁ ସଂଶୋଧିତ ଦରମା ମିଳିବ

କଟକ: ରାଜ୍ୟର ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ କଲେଜର ଡେମୋନଷ୍ଟ୍ରେଟରଙ୍କୁ ୟୁଜିସି ନିୟମାବଳୀ ଅନୁସାରେ ଦରମା ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଡେମୋନଷ୍ଟ୍ରେଟରଙ୍କୁ ୟୁଜିସି ସ୍କେଲ୍ ଅଫ୍ ପେ’ ୧୯୮୬ ଜାନୁଆରି ୧ରୁ ପ୍ରଦାନ କରାଯିବ। ଏ ବାବଦ ବକେୟା ପ୍ରାପ୍ୟ ଆବେଦନକାରୀଙ୍କୁ ୧୨ ମାସ ଭିତରେ ପ୍ରଦାନ କରାଯିବ। ଯଦି କୌଣସି ଆବେଦନକାରୀ ମାମଲା ବିଚାରାଧୀନ ଥିବା ବେଳେ ଅବସର ଗ୍ରହଣ କରିଥିବେ ତେବେ ମଧ୍ୟ ସେମାନଙ୍କୁ ଏହି ସୁବିଧା ମିଳିବ। ଆବେଦନକାରୀଙ୍କ ଅନୁପସ୍ଥିତି‌ରେ ତାଙ୍କ ପ୍ରତିନିଧିଙ୍କୁ ଏହି ଆର୍ଥିକ ଲାଭ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ୍ ନେଇ ଗଠିତ ଖଣ୍ଡପୀଠ ୧୧ ଜଣ ଡେମୋନଷ୍ଟ୍ରେଟରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ବିଭିନ୍ନ ସଂପୂର୍ଣ୍ଣ ସରକାରୀ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଡେମୋନଷ୍ଟ୍ରେଟରଙ୍କୁ ୟୁଜିସି ନିୟମାବଳୀ ଅନୁସ‌ାରେ ସଂଶୋଧିତ ଦରମା ପ୍ରଦାନ କରାଯାଉ ବୋଲି ଦର୍ଶାଇ ୨୦୧୧ରେ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। କେନ୍ଦ୍ର ସରକାର ଅଧ୍ୟାପକ ଓ ଡେମୋନଷ୍ଟ୍ରେଟରଙ୍କ ଦରମା ସଂଶୋଧନ ପାଇଁ କହିଥିଲେ। ଯଦି ରାଜ୍ୟ ସରକାର ଏହି ଯୋଜନା ଲାଗୁ କରନ୍ତି ତେବେ ଏଥିପାଇଁ ୧୯୮୬, ଜାନୁଆରି ୧ରୁ ୧୯୯୦, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପଡିବାକୁ ଥିବା ଆର୍ଥିକ ବୋଝରୁ ୮୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବେ ବୋଲି କୁହାଯାଇଥିଲା। ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେବେ ବୋଲି କେନ୍ଦ୍ର ସରକାର କହିଥିଲେ। ୧୯୯୦ ଏପ୍ରିଲରୁ ରାଜ୍ୟ ସରକାର ଏ ବାବଦ ସବୁ ଅର୍ଥ ବହନ କରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ନଥିଲା। ଉଚ୍ଚଶିକ୍ଷା ବିଭାଗ ୟୁଜିସି ନିୟମାବଳୀ ଅନୁସାରେ ଡେମୋନଷ୍ଟ୍ରେଟରଙ୍କୁ ସଂଶୋଧିତ ଦରମା ପ୍ରଦାନ କରି ନଥିଲା ବୋଲି ଅଭିଯୋଗ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପମି ରଥ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର