ଯୁବ ସ୍ବାଭିମାନ ଦିବସ: କରୋନା କଟକଣା ସତ୍ତ୍ବେ ୬୩ ଶିବିର, ୨୩୫୩ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ବର: ‘ଆମ ଓଡ଼ିଶା’ର ଅଧୢକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନକୁ ସାରା ରାଜ୍ୟରେ ‘ଯୁବ ସ୍ବାଭିମାନ ଦିବସ’ ଭାବେ ପାଳନ କରାଯାଇଛି। ରାଜ୍ୟରେ ରକ୍ତଦାନ ଅଭିଯାନକୁ ଏକ ନୂଆ ମୋଡ଼ ଦେଇଥିବା ଶ୍ରୀ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେଣୁ ଏଥର ଶ୍ରୀ ପଟ୍ଟନାୟକ ଜନ୍ମଦିନ ପାଳନ କରିନାହାନ୍ତି। ହେଲେ ତାଙ୍କର ହଜାର ହଜାର ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରକ୍ତଦାନ କରିଛନ୍ତି। ରାଜ୍ୟରେ ୬୩ଟି ଶିବିରରେ ୨୩୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି। କରୋନା କଟକଣା ସତ୍ତ୍ବେ ରାଜ୍ୟରେ ଗତ ୪ଦିନରେ ୬୩ଟି ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା।

‘ସମ୍ବାଦ’ର ୯ଟି ଜୋନ୍‌ରେ ‘ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ଏହି ଶିବିରଗୁଡ଼ିକର ଆୟୋଜନ କରାଯାଇଥିଲା। ଏଥିରେ ରକ୍ତ ଦେବାକୁ ଯୁବପିଢ଼ିଙ୍କ ମଧୢରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। କଟକ ଜୋନ୍‌ର ବଡ଼ମ୍ବାରୁ ସର୍ବାଧିକ ୧୨୧ ୟୁନିଟ, ସାଲେପୁରରୁ ୧୦୩ ୟୁନିଟ୍ ଓ ନିଆଳିରୁ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ମୋଟ୍‌ ୯ଟି ଶିବିରରୁ ୬୩୯ୟୁନିଟ ରକ୍ତ ସଂଗ୍ରହ ହୋଇଛି। ସେହିପରି ସମ୍ବଲପୁର ଜୋନ୍‌ର ନୂଆପଡ଼ାରୁ ୧୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା

ବେଳେ ମୋଟ୍‌ ୧୫ଟି ଶିବିରରୁ ୫୨୭ ୟୁନିଟ୍, ବାଲେଶ୍ବର ଜୋନ୍‌ର ୧୨ଟି ଶିବିରରୁ ୩୯୪ ୟୁନିଟ, ଭୁବନେଶ୍ବର ଜୋନ୍‌ର ୭ଟି ଶିବିରରୁ ୨୧୩ ୟୁନିଟ, ଯାଜପୁର ଜୋନ୍‌ର ୬ଟି ଶିବିରରୁ ୧୪୨ ୟୁନିଟ, ଅନୁଗୁଳ ଜୋନ୍‌ର ୫ଟି ଶିବିରରୁ ୨୦୭ ୟୁନିଟ, ରାଉରକେଲା ଜୋନ୍‌ର ୪ଟି ଶିବିରରୁ୧୦୮ ୟୁନିଟ୍, ବ୍ରହ୍ମପୁର ଜୋନ୍‌ର ୩ଟି ଶିବିରରୁ ୭୧ ୟୁନିଟ ଓ ଜୟପୁର ଜୋନ୍‌ର ୨ଟି ଶିବିରରୁ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହାଦ୍ବାରା ରାଜ୍ୟର ସମସ୍ତ ରକ୍ତଭଣ୍ଡାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଆବଶ୍ୟକ ପରିମାଣର ରକ୍ତ ସଂଗ୍ରହ କରପାରିଛନ୍ତି। ରକ୍ତଦାନ ଶିବିରଗୁଡ଼ିକୁ ବିଭିନ୍ନ ଜିଲ୍ଲାର ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ପରିଚାଳନା କରିଥିବାବେଳେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର କର୍ମଚାରୀମାନେ ସହଯୋଗ କରିଥିଲେ। କରୋନା ମହାମାରୀ ସମୟରେ ରକ୍ତଦାନ କାର୍ଯ୍ୟକ୍ରମର ସଫଳତା ପାଇଁ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର