ବାତ୍ୟା ମାଣ୍ଡୋସ୍‌ ଗଞ୍ଜାମ ଚାଷୀଙ୍କ ଚିନ୍ତା ବଢ଼ାଇଲା

ବ୍ରହ୍ମପୁର : ଧାନ ଅମଳ ବେଳକୁ ପୁଣି ଦାଉ ସାଧିଛି ପ୍ରକୃତି। ତାମିଲନାଡ଼ୁ ଓ ଆନ୍ଧ୍ର ଉପକୂଳରେ ବାତ୍ୟା ମାଣ୍ଡୋସ୍‌ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଠାରୁ ଝିପିଝିପି ବର୍ଷା ଚାଲିଛି। ବର୍ଷା ପରିମାଣ ସେତେଟା ଅଧିକ ନଥିଲେ ମଧ୍ୟ ଅମଳ ଏକ ପ୍ରକାର ଅଟକି ଯାଇଛି। ପାଗ ମେଘୁଆ ରହିଥିବାରୁ ବଡ଼ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ରହିଛନ୍ତି। ଆଜି ଦିନ ସାରା ଗଞ୍ଜାମ ଜିଲ୍ଲାରେ କୋହଲା ପାଗ ଜାରି ରହିଥିବା ବେଳେ ଗତକାଲି ରାତି ଠାରୁ କିଛିକିଛି ଘଣ୍ଟାର ବ୍ୟବଧାନରେ ଝିପିଝିପି ବର୍ଷା ହେଉଛି। ଏହାକୁ ନଜରରେ ରଖି ଜିଲ୍ଲା କୃଷି ବିଭାଗ ସତର୍କ ରହିବା ସହିତ ଚାଷୀମାନଙ୍କୁ ସଜାଗ ରହିବାକୁ କୁହାଯାଇଛି। କଟା ଯାଇଥିବା ଧାନ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୃଷି ବିଭାଗ ତରଫରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ ୪୦ ପ୍ରତିଶତ ଧାନ କଟା ସରିଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ପ୍ରାୟ ୨୦/୨୫ ପ୍ରତିଶତ ଧାନ ବିଲରୁ ଉଠି ସାରିଛି। ସେଭଳି ବଡ଼ ଧରଣର ବର୍ଷା ନଥିବାରୁ ଚିନ୍ତାର ସେତେଟା କାରଣ ନାହିଁ କୃଷି ଅଧିକାରୀ କହିଛନ୍ତି।

ପାଚିଲା ଧାନକୁ ବର୍ଷା ମାଡ଼, ୪୦ ପ୍ରତିଶତ କଟାହୋଇ ପଡ଼ିଛି
କଟା ଅଟକିଲା, ସୁରକ୍ଷିତ ସ୍ଥାନକୁ ନେବାକୁ ପରାମର୍ଶ

ଓଡ଼ିଶାରେ ବାତ୍ୟା ମାଣ୍ଡୋସ୍‌ର ସେତେଟା ପ୍ରଭାବ ନାହିଁ। କେବଳ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। ଆଜି ଓ ଆସନ୍ତାକାଲି ଦୁଇଦିନ ବର୍ଷା ସମ୍ଭାବନା ରହିଛି। ଆଜି ବର୍ଷାର ପରିମାଣ ସେତେଟା ନଥିଲା। ଏବେ ଧାନ ଅମଳ ବେଳକୁ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଗତବର୍ଷ ମଧ୍ୟ ଠିକ୍‌ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାର ଖରିଫ୍‌ ଧାନ ଫସଲ ବ୍ୟାପକ ନଷ୍ଟ ହୋଇଥିଲା। ଯାହା ଫଳରେ ଚାଷୀକୁଳ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜିଲ୍ଲାର ଅଧିକାଂଶ ବ୍ଲକ୍‌ରେ ଏବେ ଧାନ କଟା ଚାଲିଛି। ଚାଷୀ ଧାନ ବିକ୍ରି କରିବା ପାଇଁ ଜଗି ବସିଛନ୍ତି। ଏଭଳି ସ୍ଥିତିରେ ବର୍ଷା ହେଲେ ନିଶ୍ଚିତ ଭାବେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିବ। ଏ ନେଇ ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ କହନ୍ତି, ବର୍ତ୍ତମାନ ଚାଷୀମାନେ ଧାନ କାଟୁଛନ୍ତି। ବିଲରେ ଧାନ ଗଦା ହୋଇ ରହିଛି। ଏଭଳି ସ୍ଥିତିରେ ଯଦି ବଡ଼ ବର୍ଷା ହୋଇଯିବ ତେବେ ଧାନ ନଷ୍ଟ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ଚଳିତ ଖରିଫ୍‌ରେ ଗଞ୍ଜାମ ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରାଯାଇଛି। ସେଥିରୁ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ହୋଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି, ବର୍ତ୍ତମାନ ଧାନ ଅମଳ ସମୟ। ଯେଉଁ ଜମିରେ ଧାନ ୯୦ ପ୍ରତିଶତରୁ ଅଧିକ ପାଚି ସାରିଛି, ଆବଶ୍ୟକସ୍ଥଳେ ସେଗୁଡ଼ିକ କାଟିବାକୁ ଚାଷୀଙ୍କୁ କୁହାଯାଇଛି। ଯେଉଁ କ୍ଷେତ୍ରରେ ଧାନ ପାଚି ନାହିଁ, ଆଉ କିଛିଦିନ ଅପେକ୍ଷା କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆ ଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର