ଅକ୍ସିଜେନ ପ୍ଲାଣ୍ଟ ଅଲୋଡ଼ା: କରୋନା ବେଳେ ସଚଳ ଏବେ ଅଚଳ

କେନ୍ଦୁଝର: କେବେ ଜୀବନ ସଂଜୀବନୀ ଭାବେ ଜରୁରୀ ହୋଇପଡ଼ିଥିଲା ଏହି ପ୍ଲାଣ୍ଟ। ଆଜି କିନ୍ତୁ ଅଚଳ ପଡ଼ିଛି। ଆବଶ୍ୟକତା ନ ଥିବାରୁ ଆଡ଼ଆଖିରେ ବି କେହି ଚାହୁଁ ନାହାନ୍ତି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା ହୋଇଥିବା ଅକ୍ସିଜେନ୍‌ ପ୍ଲାଣ୍ଟ ଏବେ ଅଚଳ ହୋଇପଡ଼ିଛି।

କରୋନା ବେଳେ ଅକ୍ସିଜେନ ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ନାକେଦମ ହୋଇଥିଲେ। ଏପରିକି ବିଭିନ୍ନ ସ୍ଥାନରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟକୋଠାକୁ ଅନବରତ ଅକ୍ସିଜେନ ଯୋଗାଣ ପାଇଁ ପ୍ରତି ମିନିଟରେ ୯୬୦ ଲିଟର କ୍ଷମତା ବିଶିଷ୍ଟ ଏକ ଅକ୍ସିଜେନ ଜେନେରେଟର ବା ପ୍ଲାଣ୍ଟ ଗତବର୍ଷ ଅକ୍ଟୋବର ମାସରେ ପ୍ରତିଷ୍ଠା କରାଯାଇଥିଲା। ଏକ ଘରୋଇ କମ୍ପାନି ସହଯୋଗରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା।

ରକ୍ଷଣାବେକ୍ଷଣ ପାଇଁ ଆଉଟ୍‌ସୋର୍ସିଂରେ ବୈଷୟିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ଏହା ସଠିକ ଭାବେ କାମ କରୁନାହିଁ। ଅକ୍ସିଜେନ ଲିକ୍‌ ହେଉଥିବାରୁ ଏହାର ବ୍ୟବହାର ହୋଇପାରୁ ନାହିଁ। ଆବଶ୍ୟକ ହେଲେ ପୂର୍ବଭଳି କାମଚଳା ଅକ୍ସିଜେନ୍‌ ଯୋଗାଣ କରାଯାଉଥିବା ଜଣାପଡ଼ିଛି। ଅନେକ ସମୟରେ ଅକ୍ସେଜନ ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ହିନସ୍ତା ହେବାକୁ ପଡ଼ୁଛି।

ମୁଖ୍ୟ ଡାକ୍ତରଖାନାର ସର୍ଜରି, ମେଡିସିନ୍‌, ଅସ୍ଥିଶଲ୍ୟ, କାଜୁଆଲିଟି ଆଦି ୱା‌ର୍ଡକୁ ଅକ୍ସିଜେନ୍‌ ଯୋଗାଇବା ପାଇଁ ଏହି ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ନିମ୍ନମାନର ଯନ୍ତ୍ରପାତି ବ୍ୟବହାର କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ହେବ ଏହା ଅଚଳ ହୋଇ ପଡ଼ିଥିଲେ ମଧ୍ୟ ଏହାର ମରାମତି କରାଯାଉନି। ଏଠାରେ ନିଯୁକ୍ତ ହୋଇଥିବା କର୍ମଚାରୀମାନେ ବସି ବସି ଦରମା ନେଉଛନ୍ତି।

ଏନେଇ ହସ୍‌ପିଟାଲର ପରିଚାଳକଙ୍କୁ ପଚାରିବାରୁ, ଅକ୍ଟୋବର ମାସରେ ଏହି ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇନାହିଁ ବୋଲି କହିଛନ୍ତି। ସେହିପରି ସିଡିଏମ୍‌ଓ ଡା. ସୁଜାତାରାଣୀ ମିଶ୍ର କହିଛନ୍ତି, ପ୍ଲାଣ୍ଟ ବସାଇଥିବା କମ୍ପାନିକୁ ଏନେଇ ବାରମ୍ବାର ଚିଠି ଲେଖାଯିବା ସହ ସରକାରଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଯାଇଛି। କିନ୍ତୁ ମରାମତି ପାଇଁ କେହି ଆସୁନାହାନ୍ତି। କୌଣସି ଅଘଟଣ ଘଟିବା ଆଶଙ୍କା କରି ପ୍ଲାଣ୍ଟରୁ ଅକ୍ସିଜେନ ଯୋଗାଣ ବନ୍ଦ କରାଯାଇଥିବା ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର