ଅପହଞ୍ଚ ସରକାରୀ ଯୋଜନା, ଆବର୍ଜନା କୁଣ୍ଡ ଦେଉଛି ଆହାର

ଝାରସୁଗୁଡ଼ା : ଆଭିଜାତ୍ୟ ଭରା ସହର। କଳକାରଖାନା ଗଢ଼ି ଉଠିଥିବାରୁ  ଲୋକଙ୍କ ଜୀବନଯାପନ ଶୈଳୀ ମଧ୍ୟ ଭିନ୍ନ ପ୍ରକାର। ଗେ‌ାଟିଏ ଗୋଷ୍ଠୀ ନାମୀଦାମୀ କାର୍‌ ଭିତରେ କାଚ ବନ୍ଦ କରି ଏସି ଲଗାଇ ଘୂରି ବୁଲୁଥିବା ବେଳେ ଜୀବନ ବଞ୍ଚାଇବାକୁ ଅହରହ ସଂଗ୍ରାମ କରୁଛି ଆଉ ଏକ ଗୋଷ୍ଠୀ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆକାଶ ପାତାଳ ଫରକ। ଏଭଳି ଏକ ସହରରେ ପେଟ ପାଇଁ ବଞ୍ଚିବା କେବଳ ଯନ୍ତ୍ରଣା। ଖରା, ବର୍ଷା, ଶୀତ ସବୁ ଋତୁରେ ଏମାନଙ୍କ  ସକାଳ ଆରମ୍ଭ ହୁଏ ଅଳିଆଗଦା ଭିତରୁ।  ହାତରେ ବିରାଟ ବସ୍ତା ଧରି ରାତି ପାହିବା ପୂର୍ବରୁ  ଏମାନେ ବାହାରି ପଡ଼ନ୍ତି ଜରି ଗୋଟେଇବାକୁ। ସହର ସାରା ବୁଲି ଅଳିଆ ଗଦାକୁ ଦରାଣ୍ଡି ଚାଲନ୍ତି। ଡଷ୍ଟବିନ୍‌ ଭିତରୁ ଯେଉଁଠାରୁ ନାକ ଫାଟ ଦୁର୍ଗନ୍ଧ ଭଣଭଣ ହୋଇ ବାହାରୁ ଥାଏ, ସେଥିରେ ନିର୍ବିକାର ଭାବରେ ଖୁସିରେ ଜରି, ପ୍ଲାଷ୍ଟିକ୍‌ ବୋତଲ, ଆଟା ପେଟି ଉଠାଇ ତାଙ୍କ ଝୁଲାରେ ଭର୍ତ୍ତି କରି ଦେଇଥାନ୍ତି। ସେହି ଝୁଲାକୁ କାନ୍ଧରେ ବୋହି ସହରର ଏ ମୁଣ୍ଡରୁ  ସେ ମୁଣ୍ଡ ବୁଲିବୁଲି ‌ଅଳିଆ ଗଦା ଖୋଜିଥାନ୍ତି।

ମହାମାରୀ କରୋନା ଗତ ବର୍ଷାଧିକ କାଳହେଲା ଅର୍ଥନୀତିକୁ ପ୍ରଭାବିତ କରି ରଖିଛି। ବନ୍ଦ ରହିଛି ବଜାର, ଅଚଳ ହୋଇ ପଡ଼ିଛି ଜୀବନଯାତ୍ରା। ଲକ୍‌ଡାଉନ୍‌-ସଟ୍‌ଡାଉନ୍‌ ଭିତରେ ପେଶି ହେଉଥିବା ଗରିବ ମଣିଷ ପେଟ ପାଇଁ ଡହଳବିକଳ ହେଉଛି। ହୋଟେଲ ଶିଳ୍ପ, ଟ୍ରେନ୍‌, ବସ୍‌, ସବୁ ପ୍ରଭାବିତ ହୋଇଛି। ଏହା ଫଳରେ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଲେଣି।। ସରକାର ଲୋକଙ୍କୁ ଘର ଭିତରେ  ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି। ପେଟକୁ ଖାଇବାକୁ ଗଚ୍ଛିତ ନଥିଲେ  ଜଣେ ଘର ଭିତରେ ବା କିପରି ବସି ରହିବ। ସକାଳ ହେଉହେଉ  ରାସ୍ତା ଘାଟ ଅଳିଆ ଗଦାକୁ ଅଣ୍ଡାଳି ପେଟ ପାଇଁ ଖାଦ୍ୟ ସଂଗ୍ରହ କରୁଥିବା ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ କରୋନା କଟକଣାର ମାନେ କିଛି ନାହିଁ। କରୋନାକୁ ଏମାନେ ଆଦୌ ଖାତିର କରନ୍ତି ନାହିଁ। ଏମାନଙ୍କ ମୁହଁରେ ନା ମାସ୍କ ରହିଛି, ନା ହାତରେ ରହିଛି ଗ୍ଲୋଭସ୍‌।  ବଡ଼ କରୁଣ ଏମାନଙ୍କ ଜୀବନ ଜୀବିକା। ମୁଣ୍ତ ଉପରେ ଛାତ ନାହିଁ କି ଦେହରେ ଖଣ୍ତେ ଭଲ କପଡ଼ା ନାହିଁ। ଦୁଃଖ, ସଂଘର୍ଷ ଓ ମଇଳା ଲୁଗା ଛଡ଼ା ଏମାନଙ୍କ ଜୀବନରେ ଆଉ କିଛି ନାହିଁ। ଏଭଳି ଏକ ଶ୍ରେଣୀର ଲୋକ ଅଛନ୍ତି ଯାହାଙ୍କୁ ଆମେ ଜରିବେଟୁ ବୋଲି କହି ଥାଉଁ।

ଏମା‌ନଙ୍କ ଜୀବନରେ ଆଉ କିଛି ନାହିଁ। ଜୀବନର ସବୁ ସୁଖଠାରୁ ଅଲଗା ହୋଇ ପଡ଼ିଥିବା ଏହି ଜରିବେଟୁମାନଙ୍କୁ ସରକାରଙ୍କ କୌଣସି ଯୋଜନା ଆନନ୍ଦ ଦେଇପାରେ ନାହିଁ। ଅଳିଆ ଗଦାରୁ ଜୀବନର ରାହା ଖୋଜିବାକୁ ବଡ଼ିଭୋରରୁ ଏହି ଜରିବେଟୁ  ପରିବାରର ସମସ୍ତ ସଦସ୍ୟଙ୍କ କାର୍ଯ୍ୟ ଆରମ୍ଭ ହୋଇଯାଏ। ଯାହା ସ˚ଗ୍ରହ କରନ୍ତି ତାକୁ କବାଡ଼ି ଗୋଦାମରେ ବିକ୍ରି କରି ଦୁଇ ପଇସା ପାଆନ୍ତି। ଦିନ ତମାମ ପରିଶ୍ରମ କରିବା ପରେ ରାତିରେ ପ୍ଲାଟ୍‌ ଫର୍ମ ହେଉ କି କେଉଁ ଦୋକାନ ବାରଣ୍ଡାରେ ବିଶ୍ରାମ ନିଅନ୍ତି। ଝାରସୁଗୁଡ଼ା ରେଳ ଷ୍ଟେସନ୍‌, ମୁଖ୍ୟ ରାସ୍ତାକଡ଼ରେ ଏଭଳି ପରିବାରର ସ˚ଖ୍ୟା କିଛି କମ୍‌ ନୁହେଁ। ସବୁ ପରିବାରର ପଛରେ ରହିଛି ଗୋଟିଏ ଗୋଟିଏ  ଛାତିଥରା କାହାଣୀ। କିଏ ଅନ୍ୟ ଜାତିରେ ବାହା ହେବାରୁ ଘରୁ ତଡ଼ା ଖାଇ ରେଳ ଷ୍ଟେସନକୁ ଘର କରିଛି ତ ଆଉ କାହାର ଘରଦ୍ବାର କିଛି ନଥିବାରୁ ରେଳ ଷ୍ଟେସନରେ ପଡ଼ି ରହି ଏହି ବୃତ୍ତିକୁ ଆଦରିଛି। ପରିବାରରେ ଥିବା ଛୋଟ ପିଲାଙ୍କ ଶିକ୍ଷାଦୀକ୍ଷା ସାତ ସପନ। ଏହି ପରିବାରର ପୁରୁଷ, ମହିଳା ସହିତ ଛୋଟ ଛୋଟ ପୁଅଝିଅ ମଧୢ ଜରି, ପ୍ଲାଷ୍ଟିକ୍‌ ସ˚ଗ୍ରହ କରିଥାନ୍ତି।

ସେମାନଙ୍କ ମଧ୍ୟରୁ ରୀତା ସୁନା(୩୫) କହନ୍ତି, ସେ ଅନ୍ୟ ଜାତିର ହୋଇଥିବାରୁ ତାଙ୍କ ଶ୍ବଶୁର ଘର ଲୋକେ ତାଙ୍କୁ ଘରେ ପୂରାଇ ଦେଇ ନଥିଲେ। ଫଳରେ ସେ ସ୍ବାମୀ ବିଶାଲ ସୁନା ସହିତ ରେଳ ଷ୍ଟେସନ୍‌କୁ ଘର କରି ରହିଛନ୍ତି। ତାଙ୍କର ୩ଟି ସନ୍ତାନ ମଧୢରୁ ବଡ଼ ଓ ଛୋଟ ପୁଅକୁ ଅନ୍ୟତ୍ର ଦେଇ ଦେଇଥିବା ବେଳେ ମଝିଆ ପୁଅ ଅଦିତ(୪)କୁ ନେଇ ତାଙ୍କ ସ˚ସାର। ସେହିପରି ନରି ବାଲାର୍(୪୦) ସ୍ବାମୀ ଲବ ବାଲାର୍ ମଧୢ ତାଙ୍କ ତିନି ସନ୍ତାନ ନିରଜ(୧୪), ଧିରଜ(୮), ପୁନମ୍‌(୫)ଙ୍କୁ ନେଇ ଜରି ବେଟି ଚଳନ୍ତି। ରାଧିକା ମହାନ୍ତି ସ୍ବାମୀ ଅଶୋକ ମହାନ୍ତି ଓ ତାଙ୍କ ଝିଅ କ୍ରିଷ୍ଣା(୫) ଓ ରାକ୍ଷୀ(୩), ଅଞ୍ଜଳି ରେଡ଼ି ସ୍ବାମୀ ତ୍ରିନାଥଙ୍କ ସହିତ ତିନି ସନ୍ତାନ ଲକ୍ଷ୍ମୀ(୮), ଜଗା(୩), ଜମୁନା(୨)। ରେସ୍‌ମା, ଫୁଲମନି, ମଙ୍ଗଲ ଏପରି ଅନେକ ପରିବାର ଯେଉଁମାନଙ୍କ ଘର ନାହିଁ। ଦୟନୀୟ ଜୀବନ ବିତାନ୍ତି ରେଳ ଷ୍ଟେସନରେ। ସମସ୍ତଙ୍କ ନଜରରେ ରାତି ପାହିଲେ କେବଳ ଅଳିଆ ଅଣ୍ତାଳି ପେଟ ପୂରାଇବା ଚିନ୍ତା।

ସମ୍ବନ୍ଧିତ ଖବର