ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ : ଅଭ୍ୟାସ ଲାଗି କଡା ସୁରକ୍ଷା ମଧ୍ୟରେ ଆସନ୍ତାକାଲି ବାରବାଟୀ ଯିବେ

ଭୁବନେଶ୍ବର: ଭାରତୀୟ କ୍ରିକେଟ୍ ଟିମ୍ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ସ୍ବତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହା ପରେ ଉଭୟ ଦଳର ଖେଳାଳିମାନେ ସ୍ୱତନ୍ତ୍ର ସୁରକ୍ଷା ଭିତରେ ହୋଟେଲ୍ ମେ ଫେୟାରକୁ ଆସିଛନ୍ତି। ଉଭୟ ଦଳର ଖେଳାଳିଙ୍କୁ ନାଚଗୀତ ସହ ପାରମ୍ପାରିକ ଶୈଳୀରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।  ବିସିସିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁସାରେ ହୋଟେଲ ମେ ଫେୟାରରେ ୯୦ଟି ରୁମ୍ ବୁକ୍ ହୋଇଛି । ଖେଳାଳିଙ୍କ ପାଇଁ ହୋଟେଲକୁ ସ୍ୱତନ୍ତ୍ରଭାବେ ସଜା ଯାଇଛି । ହୋଟେଲ ମେ ଫେୟାରରେ ରହଣି ସମୟରେ ଖେଳାଳିମାନେ କମ୍ ମସଲା ଓ ତେଲରେ ଖାଦ୍ୟ ଖାଇବେ ବୋଲି ଜଣାଯାଇଛି ।

ଅ‌ାସନ୍ତାକାଲି  ଖେଳାଳିମାନେ ଅଭ୍ୟାସ କରିବାକୁ ଷ୍ଟାଡିୟମକୁ ଯିବେ। ସକାଳ ୯ଟାରେ ୱେଷ୍ଟଇଣ୍ତିଜ୍‌ ଓ ଅପରାହ୍ଣ ୨ଟାରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବେ। ଏଥିପାଇଁ ଅଭ୍ୟାସ ପିଚ୍‌ର ପ୍ରସ୍ତୁତି ଶେଷ ହୋଇଛି। ଦୁଇ ଦଳର କଟକ ଗସ୍ତ ନେଇ କମିସନରେଟ ପୁଲିସ୍‌ ପକ୍ଷରୁ ବୁଧବାର କାରକେଡ୍‌ ରିହରସାଲ କରାଯାଇଛି। ଭୁବନେଶ୍ବର କମିସନରେଟ ପୁଲିସ୍‌ ପକ୍ଷରୁ ଖେଳାଳିମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ ଷ୍ଟାଡିୟମକୁ ନିଆଯିବ। ତ୍ରିଶୁଳିଆ ରାସ୍ତାରେ ସୁରକ୍ଷା ଜନିତ ସମସ୍ୟା ଥିବାରୁ ଖେଳାଳିମାନଙ୍କୁ ଜାତୀୟ ରାଜପଥ ପଟେ ଅଣାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିଲାଗି  ସୁରକ୍ଷାକର୍ମୀଙ୍କ ମଧ୍ୟରେ ସ୍ବତନ୍ତ୍ର ଭାବେ କମାଣ୍ତୋ ନିୟୋଜିତ ହୋଇଛନ୍ତି। କୌଣସି ଆପାତ୍ତକାଳୀନ ପରିସ୍ଥିତି ପାଇଁ ପୁଲିସ୍‌ ପକ୍ଷରୁ ବିକଳ୍ପ ପନ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିଅମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଦିନିକିଆ ଖେଳାଯିବ । ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁ ଦଳ ଏଠାରେ ମ୍ୟାଚ୍ ଜିତିବ ସେହି ଦଳ ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର