ଭୁବନେଶ୍ବର ମାଷ୍ଟର ପ୍ଲାନ୍ ଅଞ୍ଚଳରେ ଶିଳ୍ପାୟନ, ୯୮ ପ୍ରକଳ୍ପର ଜମି ଆବଣ୍ଟନ ପାଇଁ କମିଟିର ସୁପାରିସ

ଭୁବନେଶ୍ବର : ଭୁବନେଶ୍ବର ମାଷ୍ଟରପ୍ଲାନ ଅଞ୍ଚଳର ଗୋଠପାଟଣା, ଇନ୍‌ଫୋସିଟି, ଇନ୍‌ଫୋଭ୍ୟାଲି, ଡେରାସ୍ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଖୋର୍ଦ୍ଧାର ବିଭିନ୍ନ ଶିଳ୍ପାଞ୍ଚଳ, ଖୋଲାଦ୍ବାର, ଜୟମଙ୍ଗଳ, ଛତାବର, ଅଁଳାପାଟଣା, ଭଗବାନପୁର ଏବଂ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ୯୮ଟି ପ୍ରକଳ୍ପର ଜମି ଆବଣ୍ଟନ ପାଇଁ ଆଜି ସୁପାରିସ କରାଯାଇଛି। ପ୍ରକଳ୍ପ ଗୁଡ଼ିକର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଜମି ଆବଣ୍ଟନ କମିଟି ଏ ପ୍ରସ୍ତାବ ଗୁଡ଼ିକୁ ସରକାରଙ୍କ ପରବର୍ତ୍ତୀ ଉଚ୍ଚସ୍ତରୀୟ କମିଟିକୁ ବିଚାର ପାଇଁ ପଠାଇ ଦେଇଛି। ଖାଦ୍ୟ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଲଜିଷ୍ଟିକ୍ ପାର୍କ, ମ୍ୟାନୁଫାକଚରିଂ ଏବଂ ଅକ୍ଷୟ ଶକ୍ତି ଆଦି କ୍ଷେତ୍ରରେ ଏସବୁ ପ୍ରକଳ୍ପ ଗୁଡ଼ିକ ରହିଛି। ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସିନ୍‌ଟେକ୍ସ କୋଲାବରେସନ୍‌ ଟ୍ୟାଙ୍କ୍‌, ୩ଟି ଲଜିଷ୍ଟିକ୍ ପାର୍କ, ଗୋଦାମ ଗୃହ, ବରଫ ତିଆରି ଶିଳ୍ପ, ବାସନକୁସନ ନିର୍ମାଣ ୟୁନିଟ୍ ନିର୍ମାଣ ପ୍ରସ୍ତାବ ରହିଛି।

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରେ ଜମି ପ୍ରଦାନ ପାଇଁ ସୁପାରିସ କରାଯିବା ସହ ଏହି କାର୍ଯ୍ୟକୁ ତ୍ବରାନିତ କରିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟତଃ ଏହି ପ୍ରକଳ୍ପ ଗୁଡ଼ିକ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବର୍ଗର ହୋଇଥିବାରୁ ଏହି ପ୍ରକଳ୍ପ ଗୁଡ଼ିକରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି। ତୃଣମୂଳ ସ୍ତରରେ ଏହାଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ବୈଠକ ପରେ ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂ କହିଛନ୍ତି।

ପ୍ରକଳ୍ପର ଜମି ଆବଣ୍ଟନକୁ ମଞ୍ଜୁରି ଦେବା ସମୟରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠାନ ପାଇଁ କେତେ ଜମି ଆବଶ୍ୟକ ତାହାକୁ ଭଲଭାବେ ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକୁ ଆବଣ୍ଟନ କରାଯାଉଥିବା ଜମିର ଶତ ପ୍ରତିଶତ ଉପଯୋଗ ଉପରେ ମୁଖ୍ୟ ସଚିବ ଗୁରୁତ୍ବ ଦେଇଛନ୍ତି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର