ପୁରୀ ରଥଖଳାରେ କାଠ ପଡ଼ି ଗୁରୁତର ଆହତ ହୋଇଥିଲେ, ଆଖି ବୁଜିଲେ ମାନସ

କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ଦଶପଲ୍ଲା : ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଗତ ୯ ତାରିଖ ଦିନ ଦଶପଲ୍ଲା ବନାଞ୍ଚଳରୁ ପୁରୀ ରଥଖଳାକୁ ପଠାଯାଇଥିବା ଶେଷ ପର୍ଯ୍ୟାୟ କାଠ ଅନ୍‌ଲୋଡ୍‌ (ଖଲାସ) ସମୟରେ ଅଘଟଣ ହୋଇଥିବା ଦେଖିବାକୁ ମିଳିଥିଲା। ଗତକାଲି ରଥଖଳାରେ ଏକ କାଠ ମାଡ଼ିବସିବାରୁ ଦଶପଲ୍ଲା ବନ୍ଧୁଗାଁ (ରଥଗାଁ) ଗ୍ରାମର ଶ୍ରମିକ ମାନସ ପ୍ରଧାନ (୩୨) ଏଥିରେ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ କଟକରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ପୁଲିସ୍‌ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମାତ୍ର ଆଜି ଅପରାହ୍ଣରେ ମାନସଙ୍କ ଶବ ଦଶପଲ୍ଲାରେ ପହଞ୍ଚିବା ପରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ରଥଗାଁଠାରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ମାନସ ଘରେ ରୋଜଗାରିଆ ପୁଅ ହୋଇଥିବା ବେଳେ ପୁଅକୁ ହରାଇ ପରିବାର ଲୋକେ ଏବେ ବେସାହରା ହୋଇ ପଡ଼ିଛନ୍ତି। ରଥକାଠ ନେବା ପାଇଁ ଦାୟିତ୍ବରେ ଥିବା ଠିକାଦାରଙ୍କ ସହ ମାନସ ଦୀର୍ଘବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ। ମାନସଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଏବେ ୫ ମାସର ପୁଅଟିଏ ହୋଇଛି। ତେବେ ଏଥିପ୍ରତି ସମ୍ପୃକ୍ତ ଠିକାଦାର ଓ ବନବିଭାଗ ଦୃଷ୍ଟି ଦେଇ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ହୋଇଥିବା ବେଳେ ପୂର୍ବ ଓ ପଶ୍ଚିମ ଓଡ଼ିଶା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ବରେ ରିଲିଫ୍ ଟ୍ରକ୍‌ଠାରୁ ଆରମ୍ଭ କରି ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି।

ସମ୍ବନ୍ଧିତ ଖବର