ଓପିଜିସିରେ ପୁଣି ଧଳା ହାତୀ ପୋଷିବାକୁ ଚକ୍ରାନ୍ତ

ପୁରୁଣା କର୍ମଚାରୀ ଏବେ ବି ଅବହେଳିତ, ଗୋଟିଏ ସରକାରୀ ସଂସ୍ଥାରେ ୨ ପ୍ରକାର ଦରମା ବ୍ୟବସ୍ଥା

ଭୁ‌ବନେଶ୍ବର : ଓପିଜିସିରେ ଦୀର୍ଘ ବର୍ଷ ଧରି ମନମାନି ଚଳାଇଥିବା ଏଇଏସ୍‌ ପରିଚାଳନାରୁ ଓହରିଯାଇଛି। ଏବେ ଏହି ନିଗମର ମାଲିକାନା ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ହାତରେ। ଦାୟିତ୍ବ‌ରେ ଥିଲା ବେଳେ ଏଇଏସ୍‌ କର୍ତ୍ତୃପକ୍ଷ ଯେପରି କର୍ମଚାରୀ ମାରଣ ନୀତି ଆରମ୍ଭ କରିଥିଲେ, ଏବେ ସରକାରଙ୍କ ବାବୁମାନେ ସେହି ରାସ୍ତାରେ ଯିବା ଆରମ୍ଭ କରି ଦେଇଛନ୍ତି। ପୂର୍ବରୁ ଚାଲି ଆସିଥିବା ତିନି ପ୍ରକାର ଗ୍ରେଡ୍‌ ବ୍ୟବସ୍ଥାକୁ ହଟାଇବା ପରିବର୍ତ୍ତେ ପୁନର୍ବାର ସେହି ପ୍ରକ୍ରିୟାରେ ଧଳା ହାତୀ ପୋଷିବାକୁ ମୂଳଦୁଆ ପକାଇଲେଣି। ସରକାର ଓପିଜିସିର କର୍ମସଂସ୍କୃତିକୁ ସଜାଡ଼ି ଏହାକୁ ଏକ ଲାଭଜନକ ନିଗମରେ ପରିଣତ କରିବା ପାଇଁ ଯେଉଁ ଆଶା ରହିଥିଲା, ତାହା ପୂରଣ ହେବାର ସମ୍ଭାବନା କ୍ଷୀଣ ‌ହୋଇଯାଉଛି। ଏହାକୁ ନେଇ ପୁରୁଣା କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଓପିଜିସିର ୪୨୦ ମେଗାୱାଟ୍‌ ଶକ୍ତିସମ୍ପନ୍ନ ପ୍ରଥମ ଦୁଇଟି ୟୁନିଟ୍‌ ଓଡ଼ିଆ ଇଞ୍ଜିନିୟର ଓ ମ୍ୟାନେଜର୍ମାନେ ହିଁ ସଫଳତାର ସହ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ଓପିଜିସିରେ ବହୁରାଷ୍ଟ୍ରୀୟ କମ୍ପାନି ଏଇଏସ୍‌କୁ ସାଙ୍ଗରେ ନେବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ୧୩୨୦ ମେଗାୱାଟ୍‌ର ତୃତୀୟ ଓ ଚତୁର୍ଥ ୟୁନିଟ୍‌ ପାଇଁ ପୁଞ୍ଜିନିବେଶ କରିବା। ବହୁରାଷ୍ଟ୍ରୀୟ କମ୍ପାନି ହୋଇଥିବାରୁ ବିଶ୍ବସ୍ତରୀୟ ପରିଚାଳନାଗତ ଦକ୍ଷତାକୁ ବ୍ୟବହାର କରିବେ ବୋଲି ସରକାର ଭାବି ନେଇଥିଲେ। କିନ୍ତୁ ଦାୟିତ୍ବ ନେଲା ପରେ ଏଇଏସ୍‌ କର୍ତ୍ତୃପକ୍ଷ କର୍ମଚାରୀ ମାରଣ ନୀତିରେ ଏପରି ମାତିଲେ ଯେ ତାଙ୍କର ମୂଳ କାମ ଭୁଲିଗଲେ। ତୃତୀୟ ଓ ଚତୁର୍ଥ ୟୁନିଟ୍‌ ନିର୍ମାଣ ପାଇଁ ଅହେତୁକ ବିଳମ୍ବ କରି ଚାଲିଲେ। ନିର୍ମାଣରେ ବିଳମ୍ବ, ତ୍ରୁଟିପୂର୍ଣ୍ଣ ବୈଷୟିକ ନିଷ୍ପତ୍ତି ଓ ପରିଚାଳନାଗତ ଅପରାଗତା ଯୋଗୁ ନୂ୍ଆ ୟୁନିଟ୍‌ ପୂର୍ଣ୍ଣ କ୍ଷମତାରେ ଚାଲିପାରି ନାହିଁ।

ଏଇଏସ୍‌ର ଉଚ୍ଚପଦସ୍ଥ ଅଧିକାରୀମାନେ ମନମୁଖୀ କାର୍ଯ୍ୟ କରି ଓପିଜିସିରେ କାର୍ମିକ ପରିବେଶକୁ ନଷ୍ଟ କରିଦେଇଥିଲେ। ପୁରୁଣା ପ୍ରତିଷ୍ଠାତା କର୍ମଚାରୀମାନଙ୍କୁ ବିଶ୍ବାସକୁ ନେଲେ ନାହିଁ।

ତିନି ବର୍ଗର କର୍ମଚାରୀ ସୃଷ୍ଟି କରାଗଲା। ପ୍ରଥମେ ରିସୋର୍ସ ସେୟାରିଂ ନାମରେ ଆକାଶଛୁଆଁ ଦରମା ଦେଇ ମୁଷ୍ଟିମେୟ ଏଇଏସ୍‌ ଅଧିକାରୀଙ୍କୁ ପୂରାଇଲେ ଓ ସେମାନଙ୍କୁ ବିଭିନ୍ନ ବିଭାଗର ମୁଖ୍ୟ ଭାବେ ବସାଇଲେ। ପରେ ଖୋଲା ବଜାରର ଯୁକ୍ତି ଦର୍ଶାଇ ମାର୍କେଟ୍‌ ବେସ୍‌ଡ୍‌ ସାଲିରି(ଏମ୍‌ବିଏସ୍‌) ନାମରେ ଚଢ଼ା ଦରମା ଦେଇ ଆଉ ଗୋଟିଏ ବର୍ଗ ତିଆରି କରାଗଲା। ପୁରୁଣା କର୍ମଚାରୀମାନେ ଏକ ପ୍ରକାର ଅଛୁଆଁ ହୋଇ ପୁରୁଣା ଦରମା ହାରରେ ରହିଲେ। ସେମାନଙ୍କ ମନୋବଳ ଭାଙ୍ଗିଦିଆଗଲା। ଓପିଜିସିରେ ସମାନ କାମକୁ ସମାନ ଦରମା ନିୟମ ରହିଲାନି। ପୁରୁଣା ମୂଳ କର୍ମଚାରୀ ଓ ଏଇଏସ୍ ମନୋନୀତ କର୍ମଚାରୀଙ୍କ ମଧ୍ୟରେ ବିଶାଳ ତାରତମ୍ୟ ସୃଷ୍ଟି ହେଲା। ଏହା ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତି ଠାରୁ କୌଣସି ଗୁଣରେ କମ୍ ନ ଥିଲା। ପୁରୁଣା କର୍ମଚାରୀମାନେ ଶକ୍ତି ବିଭାଗରେ ଏହି ଅନ୍ୟାୟ ସମ୍ପର୍କରେ ଏକାଧିକ ବାର ଫେରାଦି ହୋଇଥିଲେ। ସରକାରଙ୍କ ହାତରେ ୫୧% ଅଂଶଧନ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ହାତ ଟେକି ଦେଉଥିଲେ। ଫଳରେ ଏଇଏସ୍‌ର ମନମାନି ପାଇଁ ସବୁ ପ୍ରକାର ଅନୁକୂଳ ପରିବେଶ ସୃଷ୍ଟି କରାଯାଉଥିଲା।

ଓପିଜିସିରୁ ଏଇଏସ୍ ଓହରିଗଲା ପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଲିକାନା ହାତକୁ ନେଲେ। ସରକାର ଓପିଜିସିରେ ନୂଆ କର୍ମସଂସ୍କୃତି ସୃଷ୍ଟି କରି ଏହାକୁ ଏକ ମଡେଲ୍‌ ଶିଳ୍ପାନୁଷ୍ଠାନ ଭାବେ ଗଢ଼ିବେ ବୋଲି ଆଶା କରାଯାଉଥିଲା। କାରଣ ଓଡ଼ିଶା ସରକାରଙ୍କ ହାତଗଣତି କିଛି ନିଗମ ବ୍ୟବସାୟିକ ସଫଳତା ପାଉଥିଲା ବେଳେ ଓପିଜିସି ତାହା ମଧ୍ୟରୁ ଅନ୍ୟତମ। ଗୋଟିଏ ଶିଳ୍ପ ସଂସ୍ଥାର କର୍ମଚାରୀମାନେ ହେଲେ ମୂଳ ଭିତ୍ତି। ତେଣୁ ପୁରୁଣା ପ୍ରତିଷ୍ଠାତା କର୍ମଚାରୀମାନଙ୍କୁ ନ୍ୟାୟ ଦେଇ ଦୁଇ/ତିନି ପ୍ରକାର ଗ୍ରେଡ୍‌ ବ୍ୟବସ୍ଥା ରଖିବେ ନାହିଁ ବୋଲି ଧାରଣା ସୃଷ୍ଟି ହୋଇଥିଲା। ସବୁ କର୍ମଚାରୀଙ୍କୁ ‌ଗୋଟିଏ ଗ୍ରେଡ୍‌ରେ ରଖି ନିଗମକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି। କିନ୍ତୁ ଏ ଯାଏ ସେପରି କିଛି ଘଟି ନାହିଁ। ବରଂ ଏଇଏସ୍‌ ସମୟର ହିତାଧିକାରୀଙ୍କୁ ପୁଣି ଥରେ ଥଇଥାନ କରିବାକୁ ଉଦ୍ୟମ ଜାରି ରହିଛି।

ଏଇଏସ୍‌ ଓହରିଗଲା ପରେ ଓପିଜିସିର ପରିଚାଳନା ପାଇଁ ପ୍ରଥମେ ସରକାର ଏନ୍‌ଟିପିସିର ସହଯୋଗ ଲୋଡ଼ିଲେ। ଏନ୍‌ଟିପିସିର ଏକ ପ୍ରତିନିଧି ଦଳ ବନହରପାଲିର ବିଦ୍ୟୁତ ଉତ୍ପାଦନ କ୍ଷେତ୍ରକୁ ପରିଦର୍ଶନ କରି ଏକ ଆଠ ଜଣିଆ ପରିଚାଳକ ଗୋଷ୍ଠୀକୁ ସାମୟିକ ଭାବେ ପଠାଇବେ ବୋଲି ସହମତି ଦେଲେ। କିନ୍ତୁ ହଠାତ ସରକାର ଏହି ପ୍ରସ୍ତାବରୁ ଓହରିଗଲେ। ଏଇଏସ୍‌ର ଏକ ପୁରୁଣା ଗୋଷ୍ଠୀକୁ ଚଢ଼ା ଦରମାରେ କମ୍ପାନି ଚଳାଇବାର ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଲେ। ଏହାକୁ ବିରୋଧ କରାଯିବାରୁ ୬ ମାସ ପାଇଁ ସାମୟିକ ଭାବେ ଏହି ନିଯୁକ୍ତି ଦିଆଯାଇଛି ବୋଲି କୁହାଗଲା। ତେଣୁ ଆଶା କରାଯାଉଥିଲା ଯେ ସରକାର ଖୁବ୍ ଶୀଘ୍ର ଓପିଜିସିର ସବୁ କର୍ମଚାରୀଙ୍କ ପାଇଁ ଗୋଟିଏ ଗ୍ରେଡ୍‌ ବ୍ୟବସ୍ଥା ଆରମ୍ଭ କରିବେ। କିନ୍ତୁ ଏବେ ପୁନର୍ବାର ବଜାର ଦରରେ ଉଚ୍ଚ ପାହ୍ୟାର କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତାହା ସହ ଏଇଏଏସ୍‌ର କିଛି ଗେହ୍ଲା ଅଧିକାରୀଙ୍କୁ ପୂର୍ଣ୍ଣକାଳୀନ ଥଇଥାନ କରିବା ପାଇଁ ମଧ୍ୟ ମସୁଧା ଚାଲିଛି। ତେବେ ପୁରୁଣା କର୍ମଚାରୀଙ୍କୁ ନ୍ୟାୟ ଦେବା ପାଇଁ ଆଦୌ ତତ୍ପରତା ପ୍ରକାଶ ପାଉନାହିଁ। ସେମାନଙ୍କ ପଦୋନ୍ନତି କମିଟି ବସୁନି କି ସେମାନଙ୍କ କଥା ଚିନ୍ତା କରାଯାଉ ନାହିଁ। ପ୍ରଶ୍ନ ଉଠୁଛି, ଗୋଟିଏ ସରକାରୀ ସଂସ୍ଥାରେ ଏକାଧିକ ଗ୍ରେଡ୍‌ ବ୍ୟବସ୍ଥା ରହିବ କିପରି? ସମାନ କାମ ପାଇଁ ସମାନ ଦରମା ନିୟମ ଓପିଜିସିରେ କାହିଁକି ଲାଗୁ ହେବ ନାହିଁ? ପୁରୁଣା କର୍ମଚାରୀଙ୍କ ପାଇଁ ବର୍ତ୍ତମାନ ଦାୟିତ୍ବରେ ଥିବା ସରକାରୀ ବାବୁମାନଙ୍କ ଅସୂୟା ଭାବ କାହିଁକି? ପୁରୁଣା କର୍ମଚାରୀଙ୍କୁ ନ୍ୟାୟ ଦେବାକୁ କିଏ ବାଟ ଓଗାଳୁଛି? କିଛି ବାବୁ ମନଇଚ୍ଛା ନିଷ୍ପତ୍ତି ନେଉଥିଲା ବେଳେ ସରକାର ଚୁପ୍ ବସିଛନ୍ତି କାହିଁକି?

ଓପିଜିସିକୁ ଏକ ସଫଳ ଶିଳ୍ପାନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ପ୍ରକାର ସମ୍ଭାବନା ରହିଛି। କାରଣ ଏହି ସଂସ୍ଥାର ନିଜସ୍ବ କୋଇଲା ଖଣି ରହିଛି। ପୁଣି ଏଠାରୁ ଉତ୍ପାଦିତ ହେଉଥିବା ବିଜୁଳି ବିକ୍ରି ପାଇଁ ମଧ୍ୟ ଗ୍ରିଡ୍‌କୋ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ତେଣୁ ସମସ୍ତଙ୍କ ସହଯୋଗ, ସଦିଚ୍ଛା ବଳରେ ଓପିଜିସିକୁ ଦେଶର ଏକ ପ୍ରମୁଖ ତାପଜ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାରେ ପରିଣତ କରାଯାଇପାରିବ। ‌ଏହି ପରିପ୍ରେକ୍ଷୀରେ ଆଭ୍ୟନ୍ତରୀଣ ମାନବ ସମ୍ବଳର ସୁପରିଚାଳନା କରି ଦାୟିତ୍ବରେ ଥିବା ଅଧିକାରୀମାନେ ଅନାସକ୍ତ ଭାବେ କାର୍ଯ୍ୟ କରିବାକୁ ସଚେତନ ନାଗରିକମାନେ ପରାମର୍ଶ ‌ଦେଇଛନ୍ତି।

ସମ୍ବନ୍ଧିତ ଖବର