ମାଟ୍ରିକ ପରୀକ୍ଷାରେ ରେକର୍ଡ ଫଳ: ୬ ଲକ୍ଷ ପିଲା ପଢ଼ିବେ କେଉଁଠି?

ଯୁକ୍ତ ୨ରେ ସିଟ୍‌ ଅଭାବ, ଡ୍ରପ୍‌ଆଉଟ୍‌ ଆଶଙ୍କା, ଏଣ୍ଟ୍ରାନ୍ସ ହେବନି, ମାର୍କ ଆଧାରରେ ନାମଲେଖା

ଭୁବନେଶ୍ବର : ଏ ବର୍ଷ ମାଟ୍ରିକ ପାସ୍‌ ହାର ଇତିହାସ ସୃଷ୍ଟି କରିଛି। ବିନା ପରୀକ୍ଷାରେ ୯୭.୮୯ ପ୍ରତିଶତ ଅର୍ଥାତ ୬ ଲକ୍ଷ ୧୭ହଜାର ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମାତ୍ର କୃତକାର୍ଯ୍ୟ ହୋଇଥିବା ଏତେସଂଖ୍ୟକ ଛାତ୍ରଛାତ୍ରୀ କେଉଁଭଳି ଓ କେଉଁଠି ଉଚ୍ଚଶିକ୍ଷା କରିବେ, ତାହାକୁ ନେଇ ଏବେ ଆଶଙ୍କା ପ୍ରକାଶ ପାଇଲାଣି। କାରଣ ଯେତିକି ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି, ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟରେ ଆବଶ୍ୟକ ସିଟ୍‌ ନାହିଁ। ତେଣୁ ଏହା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା କାରଣ ପାଲଟିବାକୁ ଯାଉଛି।

ମାଟ୍ରିକ୍‌ ପରେ ସାଧାରଣତଃ ଅଧିକାଂଶ ଛାତ୍ରଛାତ୍ରୀ ଯୁକ୍ତ୨ରେ ଶିକ୍ଷା ଗ୍ରହଣ କରିଥା’ନ୍ତି। ଅଳ୍ପ ସଂଖ୍ୟକ ପିଲା ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥା’ନ୍ତି। ହେଲେ ସବୁ କଲେଜ ମିଶାଇଲେ ବି ଚଳିତ ବର୍ଷ ପାସ୍‌ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍‌ ଅଣ୍ଟିବ ନାହିଁ। ରାଜ୍ୟରେ ଥିବା ୨୦୩୨ ଯୁକ୍ତ ୨ କଲେଜରେ ମୋଟ ୪ଲକ୍ଷ ୪୩ହଜାର ୩୫୪ସିଟ୍‌ ରହିଥିବା ବେଳେ ସରକାରୀ ଡିପ୍ଲୋମା କଲେଜରେ ୧୦ ହଜାର ୯୧୭, ବେସରକାରୀ ଡିପ୍ଲୋମା କଲେଜରେ ୫୩ ହଜାର ୪୦୦, ସରକାରୀ ଆଇଟିଆଇରେ ୧୮ ହଜାର ୨୫୮ ଓ ଘରୋଇ ଆଇଟିଆଇରେ ୭୭ ହଜାର ୧୮୪ ସିଟ୍‌ ରହିଛି। ସବୁ ମିଶାଇ ମୋଟ ସିଟ୍‌ ସଂଖ୍ୟା ହେଉଛି ୬ଲକ୍ଷ ୩ ହଜାର ୧୧୩। ତେବେ ଏଥର ମାଟ୍ରିକ୍‌ରେ ୬ଲକ୍ଷ ୧୭ ହଜାର ପିଲା ପାସ୍‌ କରିଥିବା ବେଳେ ସିବିଏସ୍‌ଇ, ଆଇସିଏସ୍‌ଇ ବୋର୍ଡରୁ ଆହୁରି ପ୍ରାୟ ୧୦ ହଜାର ପିଲା ଏହିସବୁ କଲେଜ‌କୁ ପାଠ ପଢ଼ିବାକୁ ଆସିବେ। ସେହି ଦୃଷ୍ଟିରୁ ଦେଖିଲେ ଉଚ୍ଚଶିକ୍ଷା ପାଇଁ ୬ ଲକ୍ଷ ୨୮ହଜାର
ସିଟ୍‌ର ଆବଶ୍ୟକତା ରହିଛି। ତେବେ ବର୍ତ୍ତମାନ ସମୟରେ ରାଜ୍ୟରେ ଏତେ ସଂଖ୍ୟକ ସିଟ୍‌ ନ ଥିବାରୁ ବହୁ ପିଲା ଅଧାରୁ ପାଠ ଛାଡ଼ିବା ବା ଡ୍ରପ୍‌ଆଉଟ୍‌ ହେବାର ଆଶଙ୍କା ଦେଖାଦେଇଛି।

୨୦୨୦-୨୧ ଶିକ୍ଷାବର୍ଷ ତଥ୍ୟକୁ ଅନୁଧ୍ୟାନ କଲେ, ଯୁକ୍ତ ୨ରେ ୪ଲକ୍ଷ ୪୩ ହଜାର ୩୫୪ ସିଟ୍‌ ରହିଥିଲା। ସେଥିମଧ୍ୟରୁ ୩ ଲକ୍ଷ ୪୩ ହଜାର ୫୫ ସିଟ୍‌ ପୂରଣ ହୋଇଥିଲା ଏବଂ ୧ଲକ୍ଷ ୨୯୯ ସିଟ୍‌ ଖାଲି ପଡ଼ିଥିଲା। କଳା ବିଭାଗର ୨ ଲକ୍ଷ ୩୯ ହଜାର ୮୮୨ ସିଟ୍‌ ମଧ୍ୟରୁ ୧୬ ହଜାର ୫୯୮ ସିଟ୍‌ ବଳକା ଥିଲା। ବିଜ୍ଞାନ ବିଭାଗରେ ଥିବା ୧ଲକ୍ଷ ୪୦ ହଜାର ୪୮୦ ସିଟ୍‌ ମଧ୍ୟରୁ ୭୮ ହଜାର ୧୧୪ଟି ପୂରଣ ହୋଇଥିବା ବେଳେ ୬୨ ହଜାର ୩୬୬ ଖାଲି ରହିଥିଲା। ବାଣିଜ୍ୟରେ ୪୧ ହଜାର ୧୭୬ ସିଟ୍‌ ମଧ୍ୟରୁ ୨୫ ହଜାର ୫୦୬ଟି ପୂରଣ ହୋଇଥିଲା। ସଂସ୍କୃତ ବିଭାଗରେ ୧୧ ହଜାର ୫୮୪ ସିଟ୍‌ ମଧ୍ୟରୁ ୧୦ ହଜାର ୨୧ ସିଟ୍‌ ପୂରଣ ହୋଇଥଲା। ଧନ୍ଦାମୂଳକ ପାଠ୍ୟକ୍ରମରେ ୧୦ ହଜାର ୨୩୨ ସିଟ୍‌ ମଧ୍ୟରୁ ୪ ହଜାର ୧୦୨ ସିଟ୍‌ ଖାଲି ପଡ଼ିଥିଲା। ଆଇଟିଆଇ, ଡିପ୍ଲୋମା ପାଠ୍ୟକ୍ରମରେ ଶିକ୍ଷା ଲାଭ ପାଇଁ ବିକଳ୍ପ ରହିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଏଥିପ୍ରତି ମନ ବଳାଉ ନାହାନ୍ତି। ଗତ ୫ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ, ଆଇଟିଆଇ ଓ ଡିପ୍ଲୋମାରେ ୫୦%ରୁ ଅଧିକ ସିଟ୍‌ ଖାଲି ପଡ଼ୁଛି। ବ୍ୟାପକ ନିଯୁକ୍ତି ସୁଯୋଗ ନ ଥିବାରୁ ପ୍ରଚୁର ଟଙ୍କା ଖର୍ଚ୍ଚ କରି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଏହି ପାଠ୍ୟକ୍ରମ ପଢ଼ାଉ ନାହାନ୍ତି।

ତେବେ ପିଲାଙ୍କ ପାଇଁ ଏଭଳି ସିଟ୍‌ ଅଭାବ ଆଶଙ୍କାକୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଖଣ୍ଡନ କରିଛନ୍ତି। ‘ସମ୍ବାଦ’କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଯୁକ୍ତ୨ରେ ସିଟ୍‌ ଅଭାବ ହେବ ନାହିଁ। କାରଣ ପିଲା ନ ହେବାରୁ ପ୍ରତିବର୍ଷ ଲକ୍ଷାଧିକ ସିଟ୍‌ ଖାଲି ପଡ଼ୁଛି। ଏମିତିକି ଗତବର୍ଷ ଲକ୍ଷେ ସିଟ୍‌ ଖାଲି ପଡ଼ିଥିଲା। ଯେତେ ପିଲା ମାଟ୍ରିକ୍‌ ପାସ୍‌ କରନ୍ତି, ସମସ୍ତେ ଯେ ଯୁକ୍ତ୨ରେ ନାମ ଲେଖାଇବେ, ତାହାର କୌଣସି ମାନେ ନାହିଁ। ଉଚ୍ଚଶିକ୍ଷା ଲାଗି ବିଭିନ୍ନ ପାଠ୍ୟକ୍ରମ ରହିଥିବାରୁ ସେଠାକୁ ଛାତ୍ରଛାତ୍ରୀ ଯାଇଥା’ନ୍ତି। ତଥାପି ସ୍ଥିତି ଉପରେ ଆମେ ନଜର ରଖିଛୁ।

ଏଣ୍ଟ୍ରାନ୍ସ ହେବନି, ମାର୍କ ଆଧାରରେ ନାମଲେଖା
ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ମାଟ୍ରିକ୍‌ ମାର୍କ ଆଧାରରେ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ହେବ। କଲେଜସ୍ତରରେ କିମ୍ବା ରାଜ୍ୟସ୍ତରରେ କୌଣସି ପ୍ରକାର ପ୍ରବେଶିକା ପରୀକ୍ଷା ବା ଏଣ୍ଟ୍ରାନ୍ସ ଟେଷ୍ଟ କରାଯିବ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏମିତିରେ ୬ଲକ୍ଷ ପିଲାଙ୍କ ପାଇଁ ଏଣ୍ଟ୍ରାନ୍ସ କରିବା ସମ୍ଭବପର ନୁହେଁ। ତେଣୁ ମାଟ୍ରିକ୍‌ ଗ୍ରେଡ୍‌ ତଥା ମାର୍କ ଆଧାରରେ ପିଲାମାନେ ଯେଉଁ କଲେଜ ପାଇଁ ଯୋଗ୍ୟ ହେବେ, ସେଠାରେ ନାମ ଲେଖାଇବେ। ପ୍ରତିବର୍ଷ ଭଳି ଏଥର ବି ସାମ୍‌ସ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ହେବ। ତେଣୁ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମଲେଖା ଲାଗି ବ୍ୟସ୍ତବିବ୍ରତ ହେବାର କାରଣ ନାହିଁ। ‌ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର